ଉଦ୍ୟୋଗୀଙ୍କୁ ପ୍ରଶଂସା କରିବାର ସୁଯୋଗ ଦେବ: ବିବେକ ପଟ୍ଟନାୟକ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପୋଦ୍ୟାଗୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ଉତ୍କର୍ଷ ହାସଲ ପାଇଁ ଏକ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ବିବେକ ପଟ୍ଟନାୟକଙ୍କ ମତାମତକୁ ଏଠାରେ ଉପସ୍ଥାପନ କରାଯାଇଛି…

ଏହି ପୁରସ୍କାର ସମ୍ପର୍କରେ ଆପଣ କ’ଣ କହିବେ?
‘ସମ୍ବାଦ’ର ଏହା ଏକ ବହୁତ ଭଲ ପଦକ୍ଷେପ। କାରଣ ପୂର୍ବରୁ ଓଡ଼ିଶାରେ ସମ୍ବାଦପତ୍ର ଦ୍ୱାରା ଏଭଳି ପୁରସ୍କାର ପ୍ରାୟତଃ ଦିଆଯାଉ ନଥିଲା। ଏହି ପୁରସ୍କାର ଫଳରେ ଶିଳ୍ପ ପ୍ରତିଷ୍ଠାନ ଓ ଉଦ୍ୟୋଗୀମାନଙ୍କୁ ପ୍ରଶଂସା କରିବାର ସୁଯୋଗ ମିଳିବ।
ରାଜ୍ୟରେ ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟିରେ ଏହି ପୁରସ୍କାର ସହାୟକ ହେବ କି?
ନିଶ୍ଚୟ ସହାୟକ ହେବ। ସାଧାରଣ ଲୋକଙ୍କ ମଧ୍ୟରେ ଏକ ଧାରଣା ରହିଛି ଯିଏ ଶିଳ୍ପ କଲା ସିଏ କଳାଧଳା କରୁଛି, ଅନୈତିକ କାର୍ଯ୍ୟ କରୁଛି। ସେହି ଧାରଣାରେ ପରିବର୍ତନ ଆଣିବାକୁ ହେବ। ଶିଳ୍ପ ପ୍ରତିଷ୍ଠାନ ଓ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବାକୁ ହେବ। ରାଜ୍ୟରେ ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପଡ଼ିବ। କେବଳ ସରକାର ଚାହିଁଲେ ଏସବୁ ହେବ ନାହିଁ, ଆମ ସମାଜ ମଧ୍ୟ ଏଥିପାଇଁ ଆଗେଇ ଆସିବା ଉଚିତ। ଏ କ୍ଷେତ୍ରରେ ଗଣମାଧ୍ୟମର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ପରିପ୍ରେକ୍ଷୀରେ ଉକ୍ତ ପୁରସ୍କାର ରାଜ୍ୟରେ ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟିରେ ସହାୟକ ହେବ ବୋଲି କୁହାଯାଇ ପାରିବ।
ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି କି?
ଶିଳ୍ପାୟନ ପାଇଁ ପ୍ରଚେଷ୍ଟା କରାଯାଉଛି। ଏହା ହିଁ ବଡ଼ କଥା। ସେଥିରୁ କେତେକ ହୋଇପାରେ, କେତେକ ନ ହୋଇ ବି ପାରେ। ଓଡ଼ିଶାରେ ପ୍ରଚୁର ମାତ୍ରାରେ ଖଣିଜ ସମ୍ପଦ ରହିଛି। ପାଣି ରହିଛି, ବିଦ୍ୟୁତ ଶକ୍ତି ଅଛି। ଅତୀତରେ ଅନେକ ବଡ଼ ବଡ଼ ଉଦ୍ୟୋଗ ରାଜ୍ୟରେ କାରଖାନା ସ୍ଥାପନ ପାଇଁ ଆଗ୍ରହ ଦେଖାଇଥିଲେ। କିନ୍ତୁ ସେଗୁଡ଼ିକ ମଧ୍ୟରୁ କେତେକ ଓହରି ଯାଇଛନ୍ତି। ଯାହା ଘଟିଯାଇଛି ତାହା ଉପରେ ଚିନ୍ତା କରିବାର ବେଳ ଏବେ ନୁହେଁ। କିନ୍ତୁ ଶିଳ୍ପାୟନ ପାଇଁ ପ୍ରଚେଷ୍ଟା ଜାରି ରହିବା ଉଚିତ।
ରାଜ୍ୟର ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ମୂଳ କଥା ହେଉଛି ଶିଳ୍ପାୟନ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବା ଆବଶ୍ୟକ। ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ରଖୁଥିବା ବ୍ୟକ୍ତିଙ୍କ ମନରେ ଆସ୍ଥା ସୃଷ୍ଟି କରିବାକୁ ହେବ। ସେମାନଙ୍କୁ ସାହସ ଦେବାକୁ ହେବ। ବ୍ୟକ୍ତିଗତ ଭାବେ ସାହାଯ୍ୟ କରିବା ବା ପର୍ସନାଲ ଟଚ୍‌ ଦେବା ବହୁତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ସେମାନଙ୍କୁ ହାତ ଧରି ଶିଖାଇଲା ଭଳି ସହଯୋଗ ଯୋଗାଇ ଦେବା ଉଚିତ।
ଆଗକୁ ବଢ଼ିବା ପାଇଁ ସରକାରଙ୍କଠାରୁ କେଉଁ କ୍ଷେତ୍ର ଅଧିକ ସହାୟତା ଆବଶ୍ୟକ କରୁଛି?
ସବୁ ପ୍ରକାର ଶିଳ୍ପ ପାଇଁ ତ ସହାୟତା ଆବଶ୍ୟକ। କିନ୍ତୁ ମଧ୍ୟମ, କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପ ଗୁଡ଼ିକୁ ଅଧିକ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି। କାରଣ ବୃହତ୍‌ ଶିଳ୍ପ ଦ୍ୱାରା ବେକାରି ସମସ୍ୟା ଯେତିକି ମାତ୍ରାରେ ଦୂର କରାଯାଇ ପାରିବ ନାହିଁ ମଧ୍ୟମ, କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପ ଦ୍ୱାରା ତାହା ହୋଇପାରିବ। ଏତଦ୍‌ବ୍ୟତୀତ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ସରକାର ସହାୟତା ଯୋଗାଇ ଦେବା ଉଚିତ। ଗ୍ରାମାଞ୍ଚଳରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ ଉପରେ ମଧ୍ୟ ସରକାର ପ୍ରାଧାନ୍ୟ ଦେବା ଆବଶ୍ୟକ।
ରାଜ୍ୟରେ ବ୍ୟାବସାୟିକ ବାତାବରଣରେ ଉନ୍ନତି ପାଇଁ ସରକାର କ’ଣ କରିବା ଉଚିତ?
ମୋ ମତରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍‌ ରଖିବା ଉପରେ ସରକାର ଗୁରୁତ୍ୱ ଦେବା ଉଚିତ। ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସୁଥିବା ବ୍ୟକ୍ତିମାନଙ୍କୁ ଯେଭଳି କେହି ଦାଦାବଟି ନମାଗନ୍ତି ତାହାକୁ ଜିଲ୍ଲାପାଳ ଓ ଏସ୍‌ପିମାନେ ନିଶ୍ଚିତ କରିବା ଆବଶ୍ୟକ। ଏଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଉପରେ ଶିଳ୍ପାୟନ ସଫଳ ହେବାର ଗୁରୁ ଦାୟିତ୍ୱ ରହିଛି ବୋଲି କୁହାଯାଇପାରିବ।
ରାଜ୍ୟରେ ଶିଳ୍ପାୟନ ଠିକ୍‌ ଦିଗରେ ଆଗକୁ ବଢ଼ୁଛି କି? ଯଦି ନୁହେଁ, ଆଉ କ’ଣ କରିବା ଆବଶ୍ୟକ?
ଠିକ୍‌ ଚାଲିଛି। ଠିକ୍‌ ନାହିଁ ବୋଲି କହି ମୁଁ କାହାକୁ ହତୋତ୍ସାହିତ କରିବାକୁ ଚାହୁଁନାହିଁ। କିନ୍ତୁ ଆହୁରି ଭଲ ଭାବରେ ହୋଇପାରନ୍ତା। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭଲ ସମନ୍ଵୟ ରହିବା ଉଚିତ। କେନ୍ଦ୍ରର ଶିଳ୍ପକୁ ରାଜ୍ୟ ସରକାର ସହଯୋଗ କରିବା ଆବଶ୍ୟକ। ସେହିଭଳି ରାଜ୍ୟର ଉଦ୍ୟୋଗକୁ କେନ୍ଦ୍ର ମଧ୍ୟ ସହଯୋଗ କରିବା ଉଚିତ। ବିଶେଷକରି ବିକାଶ ଓ ଶିଳ୍ପାୟନ ଭଳି ପ୍ରସଙ୍ଗରେ ପ୍ରଶାସନିକ ଅଧିକାରୀମାନେ ନିରପେକ୍ଷ ରହିବା ଆବଶ୍ୟକ।

ପୁରସ୍କାର ପାଇଁ କେମିତି ଆବେଦନ କରିବେ

www.sambadawards.in ଓ୍ଵବସାଇଟ୍‌ରୁ ଫର୍ମ ଡାଉନଲୋଡ୍‌ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।

ସମ୍ବନ୍ଧିତ ଖବର