‘ସମ୍ବାଦ’ ସର୍ବଦା କିଛି ନୂଆ କରି ଦେଖାଇଥାଏ: ବିଜୟ କୁମାର ସାହୁ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ-ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ବିଭିନ୍ନ ଶିଳ୍ପସଂସ୍ଥା ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି। ‘ସମ୍ବାଦ’ର ଏହି ପ୍ରୟାସ ଶିଳ୍ପଦ୍ୟୋଗୀମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଏବଂ କନଫେଡେରସନ୍‌ ଅଫ୍‌ ଇନଫରମେସନ୍‌ ଟେକ୍ନୋଲୋଜି ଏଣ୍ଟରପ୍ରାଇଜେସ୍‌ର ସଭାପତି ବିଜୟ କୁମାର ସାହୁଙ୍କ ମତାମତକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।

ଏହି ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କ’ଣ?
‘ସମ୍ବାଦ’ ସର୍ବଦା କିଛି ନୂଆ କରି ଦେଖାଇଥାଏ। ଶିକ୍ଷା, ସାହିତ୍ୟ, ଫ୍ୟାସନ୍‌, ଶିଳ୍ପ, ବାଣିଜ୍ୟ ସବୁ କ୍ଷେତ୍ରରେ ନୂତନତ୍ୱ ଆଣିଛି। ତେଣୁ ଏହି ପୁରସ୍କାର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଭଲ ପ୍ରଭାବ ପକାଇବ ବୋଲି ମୁଁ ଭାବୁଛି। ଓଡ଼ିଶାର ପ୍ରତିଭାଙ୍କୁ ସମ୍ମାନିତ କରିବା ଓ ସ୍ୱୀକୃତି ଦେବା ପାଇଁ ମୁଁ ସମ୍ବାଦର ପଦକ୍ଷେପକୁ ସ୍ୱାଗତ କରୁଛି।

ଏହା ରାଜ୍ୟରେ ଏକ ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ କି?
ହଁ। ଓଡ଼ିଶାରେ ଏକ ନୂଆ ବାତାବରଣ ସୃଷ୍ଟି ହେବ। ଏବେବି ଓଡ଼ିଶାର ଯୁବପିଢ଼ି ବ୍ୟବସାୟ ପ୍ରତି ମନ ବଳାଉନଥିବାବେଳେ ସେମାନଙ୍କୁ ସ୍ୱୀକୃତି ମିଳୁଥିବା ଜାଣିଲେ ଅଧିକ ଆଗ୍ରହୀ ହେବେ। ରାଜ୍ୟରେ ଅଧିକ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଏହା ମୂଳଦୁଆ ପକାଇବ।

ଆପଣ ଭାବୁଛନ୍ତି କି ବର୍ତ୍ତମାନ ସମୟରେ ଏଭଳି ପୁରସ୍କାରର ଆବଶ୍ୟକତା ଅଛି?
ଏହି ଆଓ୍ଵାର୍ଡ ଠିକ୍‌ ସମୟରେ ପ୍ରଦାନ କରାଯାଉଛି ବୋଲି ଭାବୁଛି। ଓଡ଼ିଶାରେ ଶିଳ୍ପର ସ୍ଥିତି ଯାହା ଅଛି ସେଥିପାଇଁ ପ୍ରୋତ୍ସାହନ ଓ ମାନସିକ ସମର୍ଥନ ସୃଷ୍ଟି ହେବା ଦରକାର ଥିଲା। ଯାହା ଏହି ପୁରସ୍କାର ପୂରଣ କରିପାରିବ। ଉଭୟ ରାଜ୍ୟ ଓ ଜାତୀୟସ୍ତରରେ ଏହାର ପ୍ରଭାବ ଦେଖିବାକୁ ମିଳିବ।

ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ କି?
ପୂରା ସନ୍ତୁଷ୍ଟ ନହେଲେ ବି ସନ୍ତୁଷ୍ଟ। ଗତ ୫ବର୍ଷ ମଧ୍ୟରେ ସରକାର ଶିଳ୍ପକୁ ବହୁ ଗୁରୁତ୍ୱ ଦେଇଛନ୍ତି। ସରକାର ଶିଳ୍ପାନୁମୁଖୀ ହୋଇଛନ୍ତି। କେତେକ କାରଣ ଯୋଗୁଁ ଯଦିଓ କିଛି ଶିଳ୍ପ ପ୍ରତିଷ୍ଠା ହୋଇପାରିନି। କିଛି ପ୍ରକଳ୍ପ ଆରମ୍ଭ ହୋଇନି କିନ୍ତୁ ବହୁ ଉଦ୍ୟୋଗୀ ଓଡ଼ିଶା ମୁହାଁ ହୋଇଛନ୍ତି। ନିକଟ ଭବିଷ୍ୟତରେ ଏହା ଜଣାପଡ଼ିବ।

ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ ହେବା ଦରକାର?
ଦ୍ରୁତ ଶିଳ୍ପାୟନ ପାଇଁ ଜମିର ଆବଶ୍ୟକତା ଅଛି। ଏ ଦିଗରେ ସରକାର ହାତ ଖୋଲା ହେବା ଦରକାର। ସବୁ ପ୍ରକଳ୍ପକୁ ତୁରନ୍ତ ଅନୁମୋଦନ ମିଳିବା ଦରକାର। ବହୁ ସ୍ଥାନରେ ସାଧାରଣ ଲୋକ, ସ୍ୱେଚ୍ଛାସେବୀ ସଙ୍ଗଠନ ବିରୋଧ କରୁଥିବାବେଳେ ସେମାନଙ୍କୁ ବୁଝାଇବା ଦରକାର। ଶିଳ୍ପ ଦ୍ୱାରା ସେମାନଙ୍କ ପ୍ରଗତି, ରାଜ୍ୟର ବିକାଶ ହେବ ବୋଲି ରାଜ୍ୟ ସରକାର ଅଭିଯାନ ଆରମ୍ଭ କରିବା ଦରକାର। ଏହା ହେଲେ ହିଁ ଶିଳ୍ପକୁ ଅଧିକରୁ ଅଧିକ ସମର୍ଥନ ମିଳିବ।

କେଉଁ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ସରକାରଙ୍କ ମୌଳିକ ସୁବିଧା ସୁଯୋଗ ଆବଶ୍ୟକତା ଅଛି?
ଆଇଟି, ପର୍ଯ୍ୟଟନ, ପ୍ରାଥମିକ ଓ ଉଚ୍ଚଶିକ୍ଷା, ସାମାଜିକ ଭିତ୍ତିଭୂମି, ଦକ୍ଷତା ବିକାଶ ଦିଗରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ଅଛି। ଏହାର ଠିକ୍‌ ବଜାରୀକରଣ ସହ ସରକାରଙ୍କ ପୂର୍ଣ୍ଣ ସହଯୋଗ ଦରକାର। ସରକାର ଯେଉଁ ନୀତି, ନିୟମ କରୁଛନ୍ତି ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ଦରକାର। ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ପାଳନ କରିବା ଦରକାର। ଏହାବାଦ୍‌ ଦୂରଦୃଷ୍ଟି ରଖିଥିବା ଶିଳ୍ପ ସଂସ୍ଥାକୁ ଅଧିକ ସୁଯୋଗ ମିଳୁ। ସାଇ ଇଣ୍ଟରନ୍ୟାସନାଲ ସ୍କୁଲ କରିବା ପାଇଁ ମୁଁ ଆମେରିକା, ଇଂଲଣ୍ଡ, ଚୀନ୍‌, ଅଷ୍ଟ୍ରେଲିଆ, ସିଙ୍ଗାପୁର ଭଳି ରାଷ୍ଟ୍ର ବୁଲିବା ପରେ ସେହିମାନର ଶିକ୍ଷାନୁଷ୍ଠାନ ଖୋଲିବାକୁ ଉଦ୍ୟମ କରିଥିଲି। ଏଥିରେ ସଫଳତା ମିଳିଛି। ଏଥିରେ ସରକାରଙ୍କ ସହଯୋଗକୁ ଅସ୍ୱୀକାର କରିପାରିବିନି।

ଏହି ପୁରସ୍କାର ନୂଆ ପିଢ଼ିଙ୍କୁ ଉଦ୍ୟୋଗୀ ହେବା ପାଇଁ ଅନୁପ୍ରାଣିତ କରିବ ବୋଲି ଭାବୁଛନ୍ତି କି?
ନିଶ୍ଚିତ। ଏହି ପୁରସ୍କାର ସେମାନଙ୍କ ଉପରେ ବହୁତ ପ୍ରଭାବ ପକାଇବ।

ଓଡ଼ିଶାରେ ଶିଳ୍ପାୟନ ଠିକଣା ଦିଗରେ ନେବା ପାଇଁ ପ୍ରସ୍ତାବ କ’ଣ ରହିବ?
ଯୁବପିଢ଼ି କୌଣସି କାର୍ଯ୍ୟ କଲେ ସେମାନଙ୍କୁ ପ୍ରୋତ୍ସାହନ ମିଳିବା ଦରକାର। ଅଧିକରୁ ଅଧିକ ଯୁବପିଢ଼ି ଯେପରି ଚାକିରି ପଛରେ ନ ଗୋଡ଼ାଇ ଉଦ୍ୟୋଗୀ ହେବେ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ସେ ମାନସିକତା ତାଙ୍କ ମଧ୍ୟରେ ଆଣିବା ଦରକାର। ଏଥିପାଇଁ ପ୍ରାରମ୍ଭିକ ଶିକ୍ଷା ସମୟରେ ସେମାନଙ୍କୁ ମନସ୍ଥ କରିବାକୁ ପଡ଼ିବ। ଆମେ ଆମ ସ୍କୁଲରେ ଏହା ଉପରେ ଗୁରୁତ୍ୱ ଦେଉଛୁ। ଅନ୍ୟମାନେ ବି ଦେବା ଦରକାର।

ପୁରସ୍କାର ପାଇଁ କେମିତି ଆବେଦନ କରିବେ

www.sambadawards.in ଓ୍ଵବସାଇଟ୍‌ରୁ ଫର୍ମ ଡାଉନଲୋଡ୍‌ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।

ସମ୍ବନ୍ଧିତ ଖବର