ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପାଦ୍ୟୋଗୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନଗୁଡିକ ମଧ୍ୟରେ ଉତ୍କର୍ଷତା ହାସଲ ପାଇଁ ଏକ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିବ ବୋଲି ମତପ୍ରକାଶ ପାଇଛି। ଏ ସଂପର୍କରେ କେନ୍ଦୁଝରର ବିଶିଷ୍ଟ ଶିଳ୍ପପତି ତଥା ‘କାସ୍‌ଭି ଗ୍ରୁପ୍‌ ଅଫ୍‌ କମ୍ପାନିର ମୁଖ୍ୟ ଦେବବ୍ରତ ବେହେରାଙ୍କ ମତାମତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।

Advertisment

publive-image

‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ ସଂପର୍କରେ ଆପଣଙ୍କ ମତ କ’ଣ?
ଖବର ପରିବେଷଣରେ ‘ସମ୍ବାଦ’ ଯେମିତି ଆଗୁଆ, ନୂଆ ନୂଆ ପଦକ୍ଷେପ ନେବାରେ ବି ସେମିତି ଆଗୁଆ। ‘ସମ୍ବାଦ’ର ଏମିତି ଅନେକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମନକୁ ଛୁଇଁଛି। ସମାଜ ପରିବର୍ତ୍ତନରେ ଗଣମାଧ୍ୟମର ପ୍ରମୁଖ ଦାୟିତ୍ୱ ରହିଥିବା ବେଳେ ‘ସମ୍ବାଦ’ର ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଗୋଟିଏ ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ସମ୍ମାନିତ ହେଲେ ଶିଳ୍ପଦ୍ୟୋଗୀମାନେ ନିଶ୍ଚିତ ଉତ୍ସାହିତ ହେବେ।
ରାଜ୍ୟରେ ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟି କରିବାରେ ଏହି ପୁରସ୍କାର ସହାୟକ ହେବ କି?
ନିଶ୍ଚିତ। ଯେକୌଣସି ବ୍ୟକ୍ତିଙ୍କୁ ସମ୍ମାନ ଦେଲେ ତାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେବା ସ୍ୱାଭାବିକ। ଶିଳ୍ପପତିମାନେ ମଧ୍ୟ ମଣିଷ। ଏହା ନିଶ୍ଚିତ ଭାବେ ସେମାନଙ୍କୁ ଉତ୍ସାହିତ କରିବ। ଏଥି ସହିତ ସମାଜ ପ୍ରତି ଦାୟିତ୍ୱବୋଧ ଏବଂ ପ୍ରତିବଦ୍ଧତା ଅଧିକ ସୃଷ୍ଟି ହେବ ବୋଲି ମୋର ବିଶ୍ୱାସ।
ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ କି?
ଓଡିଶାରେ ବର୍ତ୍ତମାନର ଶିଳ୍ପାୟନ ନୀତି କିଛି ମାତ୍ରାରେ ସନ୍ତୋଷଜନକ। ତେବେ ଏଥିରେ ବହୁ ପରିବର୍ତ୍ତନର ଆବଶ୍ୟକତା ଅଛି। ଆଗ ଅପେକ୍ଷା ପରିସ୍ଥିତିରେ ଯଥେଷ୍ଟ ସୁଧାର ଆସିଥିଲେ ବି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଶିଳ୍ପପତିମାନେ ଏବେ ସୁଦ୍ଧା ଭୟ କରୁଛନ୍ତି। ଓଡିଶାରେ ଶିଳ୍ପାୟନ ପାଇଁ ଭଲ ସୁଯୋଗ ରହିଛି। ବହୁ ଦକ୍ଷ ମାନବସମ୍ବଳ ମଧ୍ୟ ରହିଛନ୍ତି। ଶିଳ୍ପ ବିକାଶରେ ଆମ ରାଜ୍ୟ ଏକ ନମ୍ବର ହୋଇପାରିବାର ସୁଯୋଗ ରହିଛି।
ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରିବାର ଆବଶ୍ୟକତା ରହିଛି?
ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ଜମି। ଏଥିପାଇଁ ସରକାର ଲ୍ୟାଣ୍ଡବ୍ୟାଙ୍କ୍‌ କରିଛନ୍ତି। ହେଲେ ଜମି ଅଧିଗ୍ରହଣ କାମଟି ବହୁ ବିଳମ୍ବିତ ହେଉଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ଚାହିଁଲେ ବି ଆମର ଏଠି ଜମି ଅଧିଗ୍ରହଣରେ ସେତିକି ସମୟ ଚାଲିଯାଉଛି। ଏମିତିକି ସମୟ ବିତିଯିବା ପରେ ମଧ୍ୟ ଜମି ଅଧିଗ୍ରହଣ ହୋଇ ପାରୁନାହିଁ। ପୋସ୍କୋ, ମିତ୍ତଲ, ଷ୍ଟେର୍‌ଲାଇଟ୍‌, ଉତ୍ତମ ଗାଲଭା ଭଳି ବଡ ବଡ ଶିଳ୍ପାନୁଷ୍ଠାନ ଓଡ଼ିଶା ପ୍ରକଳ୍ପରୁ ଓହରିଯିବା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ।
ଶିଳ୍ପାୟନ ପାଇଁ କେଉଁ କେଉଁ କ୍ଷେତ୍ରରେ ଅଧିକ ସୁଯୋଗ ରହିଛି?
ବର୍ତ୍ତମାନ ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭଲ ସୁଯୋଗ ରହିଛି। କଟକ, ଭୁବନେଶ୍ୱରରେ ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ସୁପର ସ୍ପେଶାଲିଟି ହସ୍ପିଟାଲ ଖୋଲିଛନ୍ତି। ରାଉରକେଲା, ସମ୍ବଲପୁର, ବାଲେଶ୍ୱର, କେନ୍ଦୁଝର ପରି ଜିଲ୍ଲାରେ ମଧ୍ୟ ଏଭଳି ହସ୍ପିଟାଲ ଖୋଲିବାର ଆବଶ୍ୟକତା ରହିଛି। ସୁବିଧାରେ ଜମି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଲେ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ସେମାନେ ହସ୍‌ପିଟାଲ୍‌ ଖୋଲିବାକୁ ଆଗ୍ରହ ପ୍ରକାଶ କରିବେ।
ଆଗକୁ ବଢିବା ପାଇଁ ସରକାରଙ୍କଠାରୁ କେଉଁ କ୍ଷେତ୍ରରେ ଅଧିକ ସହାୟତା ମିଳିବା ଜରୁରି?
ଶିଳ୍ପ ପାଇଁ ସରକାର ସହଜ ନୀତି ପ୍ରଣୟନ କରିବା ଦରକାର। ଜମି, ଜଳ, କଞ୍ଚାମାଲ, ଭିତ୍ତିଭୂମି ସୁବିଧା ଆଦି ସରକାର ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦେଲେ ଓଡ଼ିଶା ଶିଳ୍ପ ହବ୍‌ ଭାବେ ପରିଣତ ହୋଇପାରିବ।

ପୁରସ୍କାର ପାଇଁ କେମିତି ଆବେଦନ କରିବେ

www.sambadawards.in ଓ୍ଵବସାଇଟ୍‌ରୁ ଫର୍ମ ଡାଉନଲୋଡ୍‌ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।