ଯୁବପିଢ଼ିକୁ ପ୍ରେରଣା ଦେବ: ଡି. ଏସ୍‌. ତ୍ରିପାଠୀ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପୋଦ୍ୟୋଗୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ଉତ୍କର୍ଷ ହାସଲ ପାଇଁ ଏକ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ରାଜ୍ୟର ଅନ୍ୟତମ ପ୍ରମୁଖ ରିଅଲ ଇଷ୍ଟେଟ ସଂଘ ‘କ୍ରେଡାଇ ଓଡ଼ିଶା’ର ଅଧ୍ୟକ୍ଷ ଡି. ଏସ୍‌. ତ୍ରିପାଠୀଙ୍କ ମତକୁ ଏଠାରେ ଉପସ୍ଥାପନ କରାଯାଇଛି…


ଏହି ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କ’ଣ?
ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟକୁ ଗର୍ବିତ କରିଥିବା କର୍ପୋରେଟ ହାଉସ୍‌ଗୁଡ଼ିକୁ ‘ସମ୍ବାଦ’ ଭଳି ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପୁରସ୍କୃତ କରିବା ଲାଗି ପଦକ୍ଷେପ ନିଆଯିବା ଏକ ଖୁସିର ବିଷୟ। ଉଦ୍ୟୋଗୀମାନଙ୍କୁ ଶୀର୍ଷରେ ପହଞ୍ଚିବା ପାଇଁ ଏହା ନିଶ୍ଚିତଭାବେ ଉତ୍ସାହିତ କରିବାରେ ସହାୟକ ହେବ।
ରାଜ୍ୟରେ ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟିରେ ଏହି ପୁରସ୍କାର ସହାୟକ ହେବ କି?
ଉପଯୁକ୍ତ ଉଦ୍ୟୋଗୀଙ୍କୁ ଏହି ପୁରସ୍କାର ଓ ପ୍ରଶଂସା ମିିଳିଲେ ସେମାନେ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ବସ୍ତୁତଃ ଏହାଦ୍ୱାରା ଶିଳ୍ପ କ୍ଷେତ୍ରରେ ଏକ ଉତ୍ତମ ବାତାବରଣ ସୃୃଷ୍ଟି ହୋଇପାରିବ।
ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି କି?
କିଛିମାତ୍ରାରେ ସନ୍ତୁଷ୍ଟ ଅଛି। କିନ୍ତୁ ଏଥିରେ ଆହୁରି ଅଧିକ କିଛି କରିବାର ଆବଶ୍ୟକତା ରହିଛି।
ରାଜ୍ୟର ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ପ୍ରତ୍ୟେକ କ୍ଷେତ୍ର ପାଇଁ ଉପଯୁକ୍ତ ଓ ସୁହାଇଲା ଭଳି ନୀତି ପ୍ରସ୍ତୁତ ହେବା ଉଚିତ। ଏଭଳି ନୀତି ପ୍ରସ୍ତୁତ କରିବାକୁ ହେଲେ ସରକାରଙ୍କୁ ସବୁ ଅଂଶୀଦାରଙ୍କ ସହ ସାମିଲ କରାଯିବା ଉଚିତ। ଅଂଶୀଦାରମାନେ ଦେଉଥିବା ଠିକ୍‌ ପ୍ରସ୍ତାବଗୁଡ଼ିକୁ ବିଚାରକୁ ନିଆଯିବା ଆବଶ୍ୟକ।
ସରକାରଙ୍କଠାରୁ କେଉଁ କ୍ଷେତ୍ର ଅଧିକ ସହାୟତା ଆବଶ୍ୟକ କରୁଛି?
ମୋ ମତରେ ସାମର୍ଥ୍ୟ ଥିବା ପ୍ରତ୍ୟେକ କ୍ଷେତ୍ରକୁ ସରକାର ସହାୟତା ଯୋଗାଇ ଦେବା ଉଚିତ। ନୀତି ନିର୍ଧାରକମାନେ କେବଳ ରାଜସ୍ୱ ସଂଗ୍ରହ ଉପରେ ପ୍ରାଧାନ୍ୟ ଦେଉଥିବାରୁ ଏହା ବଜାର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ତେଣୁ ସରକାର ଏହା ଉପରେ ପ୍ରାଧାନ୍ୟ ନଦେଇ ଏକ ଦୀର୍ଘମିଆଦୀ ଓ ନିରନ୍ତର ବଜାର ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଉଚିତ।
ଶିଳ୍ପାୟନ ପାଇଁ ଓଡ଼ିଶାରେ କେଉଁ କେଉଁ କ୍ଷେତ୍ରରେ ଅଧିକ ସୁଯୋଗ ରହିଛି?
ଇସ୍ପାତ, ଖଣି, ଶକ୍ତି, ଆଇଟି, ପର୍ଯ୍ୟଟନ, ଭିତ୍ତିଭୂମି, ରିଅଲ ଇଷ୍ଟେଟ, ଶିକ୍ଷା, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସମେତ ଆହୁରି ଅନେକ କ୍ଷେତ୍ରରେ ଶିଳ୍ପାୟନ ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି।
ରାଜ୍ୟରେ ବ୍ୟାବସାୟିକ ବାତାବରଣରେ ଉନ୍ନତି ଆଣିବା ପାଇଁ ସରକାର କ’ଣ କରିବା ଉଚିତ?
ସବୁ କ୍ଷେତ୍ର ପାଇଁ ସରକାର ସ୍ପଷ୍ଟ ନୀତି ଆଣିବା ଆବଶ୍ୟକ। ଅଧିକରୁ ଅଧିକ ଉଦ୍ୟୋଗୀ ବ୍ୟବସାୟ ଜଗତରେ ଯେଭଳି ପ୍ରବେଶ କରିବେ ସେଥିପାଇଁ ସରକାରୀ କଳକୁ ଯଥେଷ୍ଟ ପରିଶ୍ରମ କରିବାକୁ ହେବ।

ପୁରସ୍କାର ପାଇଁ କେମିତି ଆବେଦନ କରିବେ

www.sambadawards.in ଓ୍ଵବସାଇଟ୍‌ରୁ ଫର୍ମ ଡାଉନଲୋଡ୍‌ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।

ସମ୍ବନ୍ଧିତ ଖବର