ଭୁବନେଶ୍ବର: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୩ର ପୁରସ୍କାର ବିତରଣ ସମାରୋହ ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍ର ପରିଚାଳନା ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭିଡିଓ ବାର୍ତ୍ତାରେ କହିଛନ୍ତି, ଓଡ଼ିଶା ଏବେ ପୁଞ୍ଜି ବିନିଯୋଗ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସେ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବାଦର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ)ର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଅତିଥି ଭାବେ ଯୋଗ ଦେଇଛନ୍ତି।
ଏହି ଅବସରରେ ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ)ର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀଙ୍କୁ ଅତିଥି ଭାବେ ପାଇ ମୁଁ ଖୁସି। ୩୮ ବର୍ଷ ଭିତରେ ସମ୍ବାଦ ବି ଏକ ବ୍ରାଣ୍ଡରେ ପରିଣତ ହୋଇଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ସବୁଠାରୁ ବଡ଼ ବ୍ରାଣ୍ଡ।
ଜାନୁଆରି ୨୦ ତାରିଖ (ଶୁକ୍ରବାର) ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଓଡ଼ିଶାରୁ ନିଜ ବ୍ରାଣ୍ଡ୍ର ପରିଚୟ ଆରମ୍ଭ କରି ଓଡ଼ିଶା ବାହାରେ ତାହାର ପ୍ରଚାର ଓ ପ୍ରସାର କରିଥିବା ସଂସ୍ଥାଗୁଡ଼ିକୁ ପୁରସ୍କୃତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହାର ଷଷ୍ଠ ସଂସ୍କରଣ।
କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍), ବୃହତ (ଲାର୍ଜ), ମଧ୍ୟମ(ମିଡିଅମ୍), କ୍ଷୁଦ୍ର (ସ୍ମଲ୍) ଓ ଇମର୍ଜିଂ/ ଷ୍ଟାର୍ଟଅପ୍ ଭଳି ପାଞ୍ଚଟି ବର୍ଗରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ପ୍ରତି ବର୍ଗ ପାଇଁ ପ୍ଲାଟିନମ୍, ଗୋଲ୍ଡ ଓ ସିଲ୍ଭର ଭଳି ତିନି ପ୍ରକାର ପୁରସ୍କାରର ବ୍ୟବସ୍ଥା ରହିଛି। ଚଳିତ ସଂସ୍କରଣରେ ସାମିଲ ହେବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ବିପୁଳ ଆବେଦନ ଆସିଥିଲା। ସ୍ବାଧୀନ ଓ ନିରପେକ୍ଷ ବିଚାରକ ମଣ୍ଡଳୀ ସେଗୁଡ଼ିକୁ ଅନୁଧ୍ୟାନ କରିବା ପରେ ବିଜେତାମାନଙ୍କୁ ଚୟନ କରିଛନ୍ତି।