କରୋନା ବେଳେ ଆସିଛି ବିପୁଳ ପୁଞ୍ଜି: ମୁଖ୍ୟମନ୍ତ୍ରୀ

୧୪ ଉଦ୍ୟୋଗୀ ପାଇଲେ ସମ୍ବାଦ କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧

ବିକଶିତ ଓଡ଼ିଶା ପାଇଁ ଆମକୁ ସଂପତ୍ତି ସୃଷ୍ଟି କରିବାକୁ ହେବ; ସମ୍ପନ୍ନ ହେଲେ ହିଁ ସ୍ବାଭିମାନ ସମ୍ଭବ: ଧର୍ମେନ୍ଦ୍ର
ତିନି ବର୍ଷରେ ୧୦ ଜଳସେଚନ ପ୍ରକଳ୍ପ କାମ ଶେଷ ହେବ: ଅସିତ
ନବୀନ ଓ ଧର୍ମେନ୍ଦ୍ର ଆମ ରାଜ୍ୟର ୨ ଅପ୍ରତିଦ୍ବନ୍ଦ୍ବୀ ବ୍ରାଣ୍ଡ୍‌: ସୌମ୍ୟରଂଜନ

ଭୁବନେଶ୍ବର : ବ୍ରାଣ୍ଡିଂ ଓ ପ୍ରମୋସନ ଯେ କୌଣସି ବ୍ୟବସାୟ କିମ୍ବା ଶିଳ୍ପ ପାଇଁ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ସଫଳ ସାମଗ୍ରୀ ବିକ୍ରି ହେବା ପାଇଁ ବ୍ରାଣ୍ଡ ନିଶ୍ଚିତ ଭାବେ ଜରୁରୀ। ଯେଉଁ ବ୍ରାଣ୍ଡ ଲୋକମାନଙ୍କର ସମସ୍ୟାର ସମାଧାନ ନେଇ ଆସିବ ତାହା ନିଶ୍ଚିତ ଭାବେ ସଫଳ ହେବ। ବ୍ରାଣ୍ଡ୍‌ଗୁଡ଼ିକ ଲୋକଙ୍କ ସମସ୍ୟାକୁ ଚିହ୍ନି ତାହାର ସହଜ ସମାଧାନ ବାହାର କରିବା ଆବଶ୍ୟକ। ଯାହାଫଳରେ ପୁଞ୍ଜି ବଢ଼ିବା ସହିତ ବ୍ରାଣ୍ଡ ମଧ୍ୟ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ଓଡ଼ିଶାର ଷ୍ଟାର୍ଟ-ଅପ୍ ନୀତି ଦେଶରେ ସର୍ବୋତ୍ତମ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଶିଳ୍ପଦ୍ୟୋଗୀ ବିଶେଷକରି ଯୁବକମାନଙ୍କୁ ଏହାର ସୁଯୋଗ ନେବା ଲାଗି ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି।

‘ସମ୍ବାଦ’ ଗ୍ରୁପ ପକ୍ଷରୁ ହୋଟେଲ ମେ ଫେୟାରରେ ଆୟୋଜିତ ୪ର୍ଥ ‘ବ୍ରାଣ୍ଡସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍‌ସ ଆୱାର୍ଡସ୍‌-୨୦୨୧ ଉତ୍ସବକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାର ଓଡ଼ିଶାର ବ୍ୟବସାୟିକ ବାତାବରଣକୁ ଆହୁରି ଉନ୍ନତ କରିବାକୁ ପ୍ରତିଶ୍ରୁତିବଦ୍ଧ। ପୁଞ୍ଜିନିବେଶ ପାଇଁ ଅନୁକୂଳ ନୀତି, ସହଜ ମଞ୍ଜୁରି ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ଦେଶରେ ଏକ ପସନ୍ଦଯୋଗ୍ୟ ପୁଞ୍ଜିନିବେଶସ୍ଥଳୀରେ ପରିଣତ ହୋଇଛି। କରୋନା କାଳରେ ମଧ୍ୟ ଓଡ଼ିଶା ବିପୁଳ ପୁଞ୍ଜି ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଛି। ଗତ ଫେବ୍ରୁଆରି ୨୦୨୦ରୁ ଏ ପର୍ଯ୍ୟନ୍ତ ଓଡ଼ିଶା ୧.୨୫ଲକ୍ଷ କୋଟିର ପୁଞ୍ଜି ଆକୃଷ୍ଟ କରିପାରିଛି। ଓଡ଼ିଆ ଯୁବକ ରିତେଶ ଅଗ୍ରୱାଲଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ରିତେଶଙ୍କ ଦ୍ବାରା ପ୍ରତିଷ୍ଠିତ ‘ଓୟୋ’ ହୋଟେଲ୍‌ସ ଏହାର ଏକ ବଳିଷ୍ଠ ଉଦାହରଣ। ହୋଟେଲ ଉଦ୍ୟୋଗରେ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ ପାଇଁ ଏକ ସହଜ ସମାଧାନ କରିବାରେ ସେ ସଫଳ ହୋଇଛନ୍ତି। ମାତ୍ର ତାଙ୍କର ନିଜସ୍ବ କୌଣସି ହୋଟେଲ ନାହିଁ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ସାରା ବିଶ୍ବରେ ଓଡ଼ିଶାର ସବୁଠାରୁ ବଡ଼ ବ୍ରାଣ୍ଡ୍‌ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ପୃଥିବୀରେ ଓଡ଼ିଆ ଲୋକ ସଚ୍ଚୋଟପଣିଆ ଓ କର୍ମଠ ପାଇଁ ସୁନାମ ଅର୍ଜନ କରିପାରିଛନ୍ତି। ଓଡ଼ିଶାକୁ ବିକଶିତ କରିବାକୁ ହେଲେ ଆମକୁ ସଂପତ୍ତି ସୃଷ୍ଟି କରିବାକୁ ହେବ। ସଂପନ୍ନ ଓ ଧନୀ ହେଲେ ହିଁ ଆମର ସ୍ବାଭିମାନ ଆସିବ। ସଂପତ୍ତି ସୃଷ୍ଟି ପାଇଁ ଆମକୁ ଅଧିକରୁ ଅଧିକ ଶିଳ୍ପଦ୍ୟୋଗୀ ସୃଷ୍ଟି କରିବା ସହିତ ସ୍ବନାମଧନ୍ୟ ବ୍ରାଣ୍ଡ ଗଢ଼ିବାକୁ ପଡ଼ିବ। ଆସନ୍ତା ୨୦୩୬ ମସିହାରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟଭାବେ ନିଜର ୧୦୦ବର୍ଷ ପୂର୍ତି ପାଳନ କରିବ। ଏହି ଶତବାର୍ଷିକୀ ପାଳନ ବେଳକୁ ଓଡ଼ିଶାର ସମସ୍ୟାଗୁଡ଼ିକୁ ସମାଧାନ କରି ଉନ୍ନତି ପଥରେ ଆଗେଇ ନେବା ସବୁ ଓଡ଼ିଆଙ୍କ ଦାୟିତ୍ବ ହେବା ଉଚିତ। ଏହି ଅବସରରେ ସେ ତିନିଟି ‘ସ’ ସମସ୍ୟା, ସମ୍ଭାବନା ଓ ସମାଧାନ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ। ଓଡ଼ିଶାରେ ‘ଅପପୁଷ୍ଟି’କୁ ଏକ ସମସ୍ୟା ଭାବେ ବର୍ଣ୍ଣନା କରି ସେ କହିଲେ ଯେ ଅପପୁଷ୍ଟି ଜନିତ ସମସ୍ୟା ଯୋଗୁଁ ବିଶେଷ କରି ଗ୍ରା‌ମାଞ୍ଚଳ ଓ ଦୂରଦୂରାନ୍ତର ଜିଲ୍ଲାର ସ୍କୁଲଗୁଡ଼ିକରେ ପଢ଼ୁଥିବା ପିଲାମାନଙ୍କ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ଆମପାଇଁ ଆହ୍ବାନ ହେବ। ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଆ ପୁଅ ‘ଓୟୋ’ ତିଆରି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ସେଥିରେ ମୁଁ ଆଉ ଦୁଇଟି ଉଦାହରଣ ଯୋଡ଼ିବାକୁ ଚାହୁଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର କଲେଜ ଛାତ୍ର ଶିବ ପାତ୍ର ଇଣ୍ଟରନେଟ୍‌ର ଉପଯୋଗ କରି ବାସି ଫୁଲରୁ ସୁଗନ୍ଧ ଧୂପକାଠି ତିଆରି କରି ସଫଳ ବ୍ୟବସାୟୀ ହୋଇପାରିଛନ୍ତି। ନିଆଳିର ଉପେନ୍ଦ୍ର ରାଉତ ନିଜ ଜମିରେ ଥାଇଲ୍ୟାଣ୍ଡର ସୁସ୍ୱାଦୁ ଫଳ ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ପ୍ରଗତି ଶୀର୍ଷରେ ପହଞ୍ଚିବା ପାଇଁ ଓଡ଼ିଶାରେ ସବୁ ଉପାଦାନ ଭରି ରହିଛି। ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ ସାଙ୍ଗକୁ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଆଗାମୀ ଦିନରେ ଓଡ଼ିଶା ପେଟ୍ରୋକେମିକାଲ୍‌ର ନୂଆ ଦୁନିଆ ହେବାକୁ ଯାଉଛି। କୃଷିର ନିଜସ୍ବ ସମ୍ଭାବନା ଓଡ଼ିଶା ଭିତରେ ରହିଛି। ଏହି ସବୁ ସମ୍ଭାବନାକୁ ମିଶାଇ ଆଗକୁ ବଢ଼ିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କହିଲେ, ସମାଜର ଉନ୍ନତି ପାଇଁ ଶିଳ୍ପଦ୍ୟୋଗୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ତେବେ ଏହା ଏକ ଆହ୍ବାନପୂର୍ଣ୍ଣ ଯାତ୍ରା। ଶିଳ୍ପର ବିକାଶ ଦ୍ବାରା ଆମେରିକା ବିଶ୍ବର ସବୁଠାରୁ ଧନୀ ଓ ଶକ୍ତିଶାଳୀ ହୋଇପାରିଛି। ବିଶ୍ବର ପ୍ରମୁଖ ଧନୀ ଲୋକଙ୍କ ତାଲିକାରେ ଆମେରିକୀୟଙ୍କ ଆଧିପତ୍ୟ ରହିଛି। ଏକ ନୂଆ ଆଇଡିଆ ବା କଳ୍ପନା ଯେ କୌଣସି କ୍ଷେତ୍ରରେ ଲୋକଙ୍କ ଜୀବନରେ ପରିବର୍ତନ ଆଣିପାରିବ। ଯୁବପିଢ଼ି ନୂଆ ନୂଆ ଆଇଡିଆ ଉପରେ କାର୍ଯ୍ୟ କରିବା ଜରୁରି। ଓଡ଼ିଶାରେ ଏଭଳି ଅନେକ ଆଇଡିଆ ରହିଛି। ବିଗତ ୩/୪ବର୍ଷ ଭିତରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ନୂଆ ନୂଆ ଜିନିଷ କରାଯାଇଛି। ୫୦ରୁ ଅଧିକ ନେଚର କ୍ୟାମ୍ପ୍ ସହିତ ୫ଟି ବିଳାସପୂର୍ଣ୍ଣ ଇକୋ-ରିଟ୍ରିଟ୍ ଲୋକଙ୍କୁ ଭେଟି ଦିଆଯାଇଛି। ଏ ସବୁରେ କମ୍ୟୁନିଟି ବା ଲୋକଙ୍କୁ ଯୋଡ଼ିବା ହେଉଛି ଏକ ନୂଆ ଆଇଡିଆ। ରାଜ୍ୟର ଯୁବପିଢ଼ି ବୈଷୟିକ ଦୃଷ୍ଟିକୋଣରୁ ସକ୍ଷମ। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ସହାୟତା କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ସେହିପରି ଆସନ୍ତା ୨/୩ ବର୍ଷ ମଧ୍ୟରେ ରାଜ୍ୟର ୧୦ଟି ଜଳସେଚନ ପ୍ରକଳ୍ପର କାମ ନିଶ୍ଚିତ ଶେଷ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଆମ ରାଜ୍ୟର ଦୁଇ ଅପ୍ରତିଦ୍ବନ୍ଦ୍ବୀ ବ୍ରାଣ୍ଡ। ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ବର୍ଷ ଧରି ବିବିଧ କ୍ଷେତ୍ରରେ ଅନେକ ସଫଳତା ହାସଲ କରି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ସେହିପରି ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରରେ ଇସ୍ପାତ ଓ ପେଟ୍ରୋଲିୟମ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ସମ୍ଭାଳିବା ସହିତ ମୋଦୀଜୀଙ୍କ ଘନିଷ୍ଠ ସହଯୋଗୀ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହାସହ ଅସିତ ତ୍ରିପାଠୀ ମଧ୍ୟ ଜଣେ ସଫଳ ପ୍ରଶାସକଭାବେ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ପଦବିକୁ ଯାଇପାରିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ପ୍ରାଇଡ୍‌ ଓ ବ୍ରାଣ୍ଡ୍‌ ନ ଥିଲେ ଜଣେ ଆଗକୁ ବଢ଼ିପାରିବ ନାହିଁ। ରାଜ୍ୟରେ ଅନେକ ସମ୍ଭାବନାପୂର୍ଣ୍ଣ ବ୍ୟକ୍ତି, ସଫଳ ସଂସ୍ଥା ରହିଛି। ଏହି କାର୍ଯ୍ୟକ୍ରମ ଏକ ଆତ୍ମଆବିଷ୍କାର କରିବାର ମଞ୍ଚ। ଅନେକ ସମୟରେ ଗଣତନ୍ତ୍ର ଉତ୍କର୍ଷର ଉପାସକ ହେବାକୁ ଚାହେଁ ନାହିଁ। ଗଣମାଧ୍ୟମର କାର୍ଯ୍ୟ ହେଉଛି ଉତ୍କର୍ଷମାନଙ୍କୁ ଚିହ୍ନଟ କରି ସ୍ବୀକୃତି ପ୍ରଦାନ କରିବା। ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ସଫଳ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ଆବିଷ୍କାର କରି ସେମାନଙ୍କ ସଫଳତାକୁ ଉପସ୍ଥାପିତ କରିବାର ସୁଯୋଗ ମିଳିପାରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରି କହିଲେ ଯେ ପ୍ରତିବର୍ଷ ଓଡ଼ିଶାରେ ନୂ୍ଆ ନୂଆ ବ୍ରାଣ୍ଡ୍‌ ଆବିର୍ଭାବ ହେବା ଆନନ୍ଦର ବିଷୟ। ‌ଏହି ନୂତନ ଉଦ୍ୟୋଗୀମାନେ ରାଜ୍ୟ ବାହାରେ ମଧ୍ୟ ସେମାନଙ୍କ ଦକ୍ଷତା ପ୍ରତିପାଦିତ କରି ଓଡ଼ିଶା ପାଇଁ ସୁନାମ ଅର୍ଜନ କରୁଛନ୍ତି। ଆମେ ଚାରି ବର୍ଷ ହେଲା ଏଭଳି ସଫଳ ବ୍ରାଣ୍ଡ୍‌ଗୁଡ଼ିକୁ ‌ଚୟନ କରି ପୁରସ୍କୃତ କରୁଥିବାବେଳେ ଚଳିତ ବର୍ଷ ରାଜ୍ୟର କୋଣ ଅନୁକୋଣରୁ ଏଥିପାଇଁ ଆବେଦନ ଆସିବା ଖୁସିର କଥା ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।

ଏହି ଅବସରରେ ୫ଟି ବର୍ଗରେ ମୋଟ ୧୪ଟି ସଫଳ ଉଦ୍ୟୋଗ ଏବଂ ଅଭିଜ୍ଞ ତଥା ଉଦୀୟମାନ ଉଦ୍ୟୋଗୀଙ୍କୁ ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଫ୍ଲୋରା।

ସମ୍ବନ୍ଧିତ ଖବର