ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୨ର ପୁରସ୍କାର ବିତରଣ ସମାରୋହ ଆଜି: ଯୋଗଦେବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ର ସ୍ବତନ୍ତ୍ର ଅଭିଯାନ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୨ର ପୁରସ୍କାର ବିତରଣ ସମାରୋହ ଶୁକ୍ରବାର ଏଠାରେ ଅନୁଷ୍ଠିତ ହେବ। ପଞ୍ଚମ ସଂସ୍କରଣର ଏହି ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫଳ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇ ଉଦ୍‌ଘାଟନୀ ଭାଷଣ ଦେବେ। ଅନ୍ୟତମ ଅତିଥି ଭାବେ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନା‌ୟକ, ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଯୋଗ ଦେବେ। କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଚଳିତ ସଂସ୍କରଣରେ ମଧ୍ୟ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌), ବୃହତ (ଲାର୍ଜ), ମିଡିୟମ (ମଧ୍ୟମ), ସ୍ମଲ୍ (କ୍ଷୁଦ୍ର) ଓ ଇମର୍ଜିଂ/ଷ୍ଟାର୍ଟଅପ୍ ଭଳି ପାଞ୍ଚଟି ବର୍ଗରେ ପୁରସ୍କାର ଦିଆଯିବ। ରାଜ୍ୟର ବହୁ ସଂଖ୍ୟକ ସଂସ୍ଥା ପୁରସ୍କାର ପାଇଁ ଆବେଦନ କରିଥିଲେ। ସମସ୍ତ ଆବେଦନକୁ ଏକ ନିରପେକ୍ଷ ଓ ବାହ୍ୟ ବିଚାରକ ମଣ୍ଡଳୀ ଅନୁଶୀଳନ କରିବା ପରେ ବିଜେତାମାନଙ୍କୁ ଚୟନ କରିଛନ୍ତି। ଓଡ଼ିଶାରୁ ଆରମ୍ଭ ହୋଇ ରାଜ୍ୟ ବାହାରେ ଓ ଦେଶବିଦେଶରେ ସୁନାମ ଅର୍ଜନ କରିଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ସ୍ବୀକୃତି ଓ ମାନ୍ୟତା ପ୍ରଦାନ କରିବାର ମହତ ଲକ୍ଷ୍ୟ ନେଇ ‘ସମ୍ବାଦ’ ପକ୍ଷରୁ ଏହି ପୁରସ୍କାରର ପରିକଳ୍ପନା କରାଯାଇଛି।

ସମ୍ବନ୍ଧିତ ଖବର