ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ : ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆୱାର୍ଡ

ଭୁବନେଶ୍ବର : ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରି ଓଡ଼ିଶାକୁ ସମଗ୍ର ଦେଶରେ ଗର୍ବିତ କରିଥିବା ଶିଳ୍ପ ଉଦ୍ୟୋଗୀଙ୍କ ଅବଦାନକୁ ମିଳିବ ସମ୍ମାନ ଓ ସ୍ବୀକୃତି। ସେହି ସଫଳ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରି ‘ସମ୍ବାଦ’ ଉତ୍କର୍ଷର ଉପାସକ ହେବ। ଗତବର୍ଷ ‘ସମ୍ବାଦ’ ପକ୍ଷରୁ ଆରମ୍ଭ ‌େ‌ହାଇଥିବା ‘ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆୱାର୍ଡ’ ଉତ୍ସବର ଦ୍ବିତୀୟ ସଂସ୍କରଣ ଆସନ୍ତା ଜାନୁଆରି ମାସ ୧୯ ତାରିଖରେ ହୋଟେଲ୍‌ ମେ ଫେୟାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ଏହି ଅବସରରେ ଯୋଗ୍ୟ ବିବେଚିତ ସର୍ବଶ୍ରେଷ୍ଠ ଉଦ୍ୟୋଗୀମାନଙ୍କୁ ସମ୍ବର୍ଧିତ କରାଯିବ। ଏନେଇ ଆଜି ସମ୍ବାଦ ଭବନ ପରିସରରେ ସ୍ବତନ୍ତ୍ର ଲୋଗୋ ଲୋକାର୍ପିତ ହୋଇଛି। ପ୍ରଥମ ଥର ପାଇଁ ପୁରସ୍କାର ବର୍ଗରେ ‘କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌)କୁ ସାମିଲ କରାଯାଇଛି।

ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏହି ଲୋଗୋ ଉନ୍ମୋଚନ କରି କହିଲେ, ଓଡ଼ିଶାର ସଫଳ ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଗଲେ ସେମାନେ ଆହୁରି ଅଧିକରୁ ଅଧିକ ସଫଳ ହେବାକୁ ପ୍ରେରଣା ପାଇବେ ବୋଲି କହିଥିଲେ। ଏହି ଅବସରରେ ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ଗଣମାଧ୍ୟମ ଓ ମନୋରଂଜନ ଶିଳ୍ପ କ୍ଷେତ୍ରରେ ସମ୍ବାଦ ଗ୍ରୁପ୍‌ ଏକ ସ୍ତମ୍ଭ ସ୍ଥାପନ କରିଛି। ଏହି ପରିପ୍ରେକ୍ଷୀରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ବାଦ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ, ସମ୍ପାଦକୀୟ ପୃଷ୍ଠା ସମ୍ପାଦକ ରଣଜିତ ଗୁରୁ, ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ, ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର ଏବଂ ‘ସମ୍ବାଦ’ର ଅନ୍ୟ ବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ଥିଲେ।

କେଉଁମାନେ ଆବେଦନ କରିପାରିବେ

ଏହି ପୁରସ୍କାର ଆବେଦନ ପାଇଁ ବ୍ରାଣ୍ଡ୍‌/ କମ୍ପାନିଗୁଡ଼ିକ ନିମନ୍ତେ ୩ଟି ପ୍ରାକ୍‌ ଯୋଗ୍ୟତା ରଖାଯାଇଛି। ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଲା, କମ୍ପାନିର ପଂଜୀକରଣ ଓ ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାରେ ହୋଇଥିବ। ଦ୍ବିତୀୟରେ କମ୍ପାନିର ଉତ୍ପାଦ ବା ସେବାର ଉପସ୍ଥିତି ଓଡ଼ିଶା ବାହାରେ ରହିଥିବ। ତୃତୀୟ ଯୋଗ୍ୟତାଟି ହେଲା, କମ୍ପାନିଟି ନିଶ୍ଚିତ ଭାବେ ୩ ବର୍ଷ ଧରି ସକ୍ରିୟ ହୋଇଥିବ। ଓଡ଼ିଶାରେ ପଞ୍ଜୀକୃତ ହୋଇଥିବା ଯେକୌଣସି ସଂସ୍ଥା/କଂପାନି ରାଜ୍ୟ କିମ୍ବା ରାଜ୍ୟ ବାହାରେ ସିଏସ୍‌ଆର୍‌ କାର୍ଯ୍ୟ କରୁଥିଲେ ସିଏସ୍‌ଆର୍‌ ପୁରସ୍କାର ପାଇଁ ଆବେଦନ କରିପାରିବେ। ଲାର୍ଜ, ମିଡିୟମ୍, ସ୍ମଲ କିମ୍ବା ଏମର୍ଜିଂ ବର୍ଗରେ ଆବେଦନ କରୁଥିବା ସଂସ୍ଥମାନେ ଚାହିଁଲେ ସିଏସ୍‌ଆର୍‌ ପୁରସ୍କାର ପାଇଁ ମଧ୍ୟ ଆବେଦନ କରିପାରିବେ।

କେମିତି ଆବେଦନ କରିବେ

ଏହି ପୁରସ୍କାର ପାଇଁ ଆବେଦନ କରିବାକୁ ହେଲେ ଜଣଙ୍କୁ www.sambadawards.com ୱେବ୍‌ସାଇଟ୍‌କୁ ଯିବାକୁ ହେବ। ୱେବ୍‌ସାଇଟ୍‌ରେ ଉପର ଭାଗ ଡାହାଣ ପାର୍ଶ୍ବରେ ବ୍ଲିଙ୍କ୍‌ ହେଉଥିବା ‘ଆପ୍ଲାଏ ନାଓ’ରେ କ୍ଲିକ୍‌ କରି ଅତି ସହଜରେ ଫର୍ମ ପୂରଣ କରି ଆବେଦନ କରିପାରିବେ। ଅନଲାଇନ୍‌ ଆବେଦନର ଶେଷ ତାରିଖ ହେଉଛି ୪ ଜାନୁଆରି ୨୦୧୯। ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ମୋବାଇଲ୍‌ ନଂ ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗାଯୋଗ କରିହେବ।

ଚୟନ ପ୍ରକ୍ରିୟା

ଚୟନ ପ୍ରକ୍ରିୟା ମୁଖ୍ୟତଃ ୨ଟି ପର୍ଯ୍ୟାୟରେ ହେବ। କମ୍ପାନି/ବ୍ରାଣ୍ଡ୍‌ଗୁଡ଼ିକ ସେମାନଙ୍କ ସମ୍ପର୍କରେ ନିଜ ଆଡ଼ୁ ଯାଞ୍ଚ ହୋଇଥିବା ସୂଚନା ଦେବେ। ଏହି ସୂଚନାକୁ ଅଭିଜ୍ଞ ଓ ନିରପେକ୍ଷ ବିଚାରକ ମଣ୍ଡଳୀ ବିଚାର କରି ବିଜେତା ଚୟନ କରିବେ। ବିଚାରକ ମଣ୍ଡଳୀ ନେଇଥିବା ନିିଷ୍ପତ୍ତି ଚୂଡ଼ାନ୍ତ ବୋଲି ବିବେଚନା କରାଯିବ।

କେଉଁ ବର୍ଗରେ ଦିଆଯିବ ପୁରସ୍କାର

ମୁଖ୍ୟତଃ ବ୍ରାଣ୍ଡ୍‌/କମ୍ପାନିଗୁଡ଼ିକୁ ସିଏସ୍‌ଆର୍‌, ଲାର୍ଜ ଏଣ୍ଟରପ୍ରାଇଜ୍‌, ମିଡିୟମ୍‌ ଏଣ୍ଟରପ୍ରାଇଜ୍‌, ସ୍ମଲ୍‌ ଏଣ୍ଟରପ୍ରାଇଜ୍‌ ଓ ଏମର୍ଜିଂ ଏଣ୍ଟରପ୍ରାଇଜ୍‌ ଭଳି ୫ଟି ବର୍ଗରେ ପୁରସ୍କୃତ କରାଯିବ। ପ୍ରତ୍ୟେକ ବର୍ଗରେ ପ୍ଲାଟିନମ୍, ଗୋଲ୍‌ଡ, ସିଲ୍‌ଭର ଭଳି ତିନିଟି ଲେଖାଏଁ ହିସାବରେ ମୋଟ ୧୫ଟି ପୁରସ୍କାର ପ୍ରଦାନ କରାଯିବ।

ସେଗୁଡ଼ିକ ହେଲା:

ବ୍ରାଣ୍ଡ୍‌ ଅଫ୍ ଦି ଇୟର-ସିଏସ୍‌ଆର୍‌
ବ୍ରାଣ୍ଡ୍‌ ଅଫ୍‌ ଦି ଇୟର-ଲାର୍ଜ
ବ୍ରାଣ୍ଡ୍‌ ଅଫ୍‌ ଦି ଇୟର-ମିଡିୟମ୍‌
ବ୍ରାଣ୍ଡ୍‌ ଅଫ୍‌ ଦି ଇୟର-ସ୍ମଲ୍‌
ବ୍ରାଣ୍ଡ୍‌ ଅଫ୍‌ ଦି ଇୟର-ଇମର୍ଜିଂ
(ପ୍ରତି ବର୍ଗରେ ପ୍ଲାଟିନମ୍‌, ଗୋଲ୍‌ଡ ଓ ସିଲ୍‌ଭର ପୁରସ୍କାର ପ୍ରଦାନ କରାଯିବ)

ସମ୍ବନ୍ଧିତ ଖବର