କଟକ: ଯେଉଁଥିରେ ଆଗ୍ରହ ଅଛି, ସେହି ବୃତ୍ତିକୁ ଚୟନ କର। ମନରେ ଗର୍ବ, ଅହଙ୍କାର ରଖ ନାହିଁ। ବାପା-ମା’ ଗୁରୁଜନଙ୍କ ପ୍ରତି କୃତଜ୍ଞ ରୁହ। ‘ସମ୍ବାଦ’ କଟକ ସଂସ୍କରଣ ପକ୍ଷରୁ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଆୟୋଜିତ ମାଟ୍ରିକ୍ ଚାମ୍ପିଅନ୍ସ-୨୦୨୫ ସମ୍ବର୍ଦ୍ଧନା ସମାରୋହରେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଶିଷ୍ଟ ବ୍ୟକ୍ତିବୃନ୍ଦ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସିଆରପିଏଫ୍ର ଆଇଜି ଅମିତେନ୍ଦ୍ରନାଥ ସିହ୍ନା କହିଥିଲେ ଯେ ସଫଳତା ମନରେ ଅଭିମାନ ଆଣେ। କିନ୍ତୁ ଯିଏ ବିନୟଶୀଳ ହୁଏ, କୃତଜ୍ଞତା ଜ୍ଞାପନ କରିବାକୁ ଭୁଲେ ନାହିଁ, ସିଏ ସଫଳତାର ଶୀର୍ଷରେ ପହଞ୍ଚିପାରେ। ନିଜର ସଫଳତା ପାଇଁ ଅଭିଭାବକ ଓ ଗୁରୁଜନଙ୍କୁ ସମ୍ମାନ କରିବା ଓ କୃତଜ୍ଞତା ଜଣାଇବା ହେଉଛି ଜଣେ ଆଦର୍ଶ ଛାତ୍ରର ଲକ୍ଷଣ। ଛାତ୍ରଛାତ୍ରୀମାନେ ବାପା ଓ ମା’ଙ୍କ ପରାମର୍ଶକୁ ସମ୍ମାନ ଦେଇ ଶିଖିଲେ ଭବିଷ୍ୟତରେ ସମସ୍ୟାରେ ପଡ଼ିବା ସମ୍ଭାବନା କମ୍ ଥାଏ । ନିଜ ଆଗ୍ରହ ଅନୁସାରେ ବୃତ୍ତି ଚୟନ କର ଏବଂ ଜଣେ ଭଲ ମଣିଷ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଶ୍ରୀ ସିହ୍ନା ପରାମର୍ଶ ଦେଇଥିଲେ।
ମୁଖ୍ୟବକ୍ତା ଭାବେ ଅଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଡିନ୍ ତଥା ଅଧ୍ୟକ୍ଷା ପ୍ରଫେସର ଡାକ୍ତର ରେଖା ଦାସ ଯୋଗଦେଇ କହିଥିଲେ ଯେ କେବଳ ଡାକ୍ତର ଅଥବା ଇଞ୍ଜିନିୟର ହେବାକୁ ଉଦ୍ୟମ ନ କରି ଯେଉଁଥିରେ ରୁଚି ରହିଛି ସେହି ବିଷୟକୁ ବାଛନ୍ତୁ। ନିଜ ମଧ୍ୟରେ ଥିବା ଦକ୍ଷତାକୁ ଚିହ୍ନି ସେହି ଦିଗରେ ଅଗ୍ରସର ହେବା ସହିତ ସବୁବେଳେ ବାପା-ମା’, ପରିବାର କଥା ବି ବୃତ୍ତି ଚୟନ ବେଳେ ମନରେ ରଖିବାକୁ ପ୍ରଫେସର ଦାସ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ର ଅଧ୍ୟକ୍ଷ ତ୍ରିଦେବ ବେହେରା ଛାତ୍ରଛାତ୍ରୀଙ୍କୁ ସଫଳତାର ସୂତ୍ର କହିଥିଲେ। ପାଠପଢ଼ା ସମୟରେ ମୋବାଇଲର ସଦୁପଯୋଗ କରିବା ସହିତ ଜୀବନରେ ଲକ୍ଷ୍ୟ ସ୍ଥିର କରି ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ଉତ୍ସବରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ଡକ୍ଟର ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ କୃତୀ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ନିଜ ଅଭିଭାଷଣରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଆଜିର ଦିନରେ ବୃତ୍ତିର ପରିଭାଷା ବଦଳି ଯାଇଛି। ପ୍ରବୃତ୍ତି ଦେଖି ବୃତ୍ତି ଚୟନ କଲେ ଅଧିକ ସଫଳତା ମିଳିଥାଏ। ଭବିଷ୍ୟତରେ ପିଲା କଣ ପଢ଼ିବ, ସେ ପ୍ରସଙ୍ଗରେ ବାପା-ମା’ମାନେ କୌଣସି ନିଷ୍ପତ୍ତି ସେମାନଙ୍କ ପିଲାଙ୍କ ଉପରେ ଲଦି ନ ଦେଇ ବୃତ୍ତି ଚୟନରେ ପିଲାଙ୍କୁ ସଂପୂର୍ଣ୍ଣ ସ୍ବାଧୀନତା ଦିଅନ୍ତୁ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମା’, ମାଟି, ମାତୃଭାଷାକୁ ଭଲ ପାଇବା, ମଦଠାରୁ ଦୂରେଇ ରହିବା ସହ ମୋବାଇଲକୁ ନିଜ ନିୟନ୍ତ୍ରଣରେ ରଖିଲେ ଜଣେ ଛାତ୍ର ସଫଳତାର ଶୀର୍ଷରେ ପହଞ୍ଚିପାରିବ। ଛାତ୍ରଛାତ୍ରୀମାନେ ପ୍ରଶ୍ନ ପଚାରିବାର ଅଭ୍ୟାସ ରଖନ୍ତୁ। ସତ୍ରେ ରହି ଜ୍ଞାନ ଆହରଣ କରି ନିର୍ଭିକ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।
‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେବା ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ସମାରୋହରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ମାଟ୍ରିକ୍ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ୍ ପାଇଥିବା ୩୦୯ଜଣ କୃତୀ ଛାତ୍ରଛାତ୍ରୀ ଓ ୧୬୦ଟି ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ସମ୍ବାଦ’ କଟକ ଜିଲ୍ଲା ପ୍ରତିନିଧି ସୀମନ୍ତିକା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/08/VnE3GfU0j42dNcnCf5Xd.jpg)