କଟକ: ଓଡ଼ିଆ ଜାତିର ଭାଷା, ସଂସ୍କୃତି, ରାଜନୀତି, ଅର୍ଥନୀତି ଓ ସାମାଜିକ ଜୀବନକୁ ପରିପ୍ରକାଶ କରିବା ସହ ଏହାର ସୁରକ୍ଷା ଓ ବିକାଶ ଦିଗରେ ‘ସମ୍ବାଦ’ ସବୁ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଠନ କରିବାକୁ ଯେଉଁ ଲକ୍ଷ୍ୟ ରହିଛି, ତାହାକୁ ହାସଲ କରିବା ଦିଗରେ ‘ସମ୍ବାଦ’ର ସହଯୋଗର ଆବଶ୍ୟକତା ରହିଛି ବୋଲି ଶୁକ୍ରବାର ସାରଳା ଭବନରେ ଆୟୋଜିତ ‘ସମ୍ବାଦ’ କଟକ ସଂସ୍କରଣର ସ୍ବନକ୍ଷତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ ଯେ ‘ସମ୍ବାଦ’ କେବଳ ଖବରକାଗଜ ପ୍ରକାଶନରେ ସୀମିତ ନରହି ପରିବେଶ ସୁରକ୍ଷା, ରକ୍ତଦାନ, ଭାଷା ସୁରକ୍ଷା, ମଦମୁକ୍ତ ଓଡ଼ିଶା ଗଠନ ପରି ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟ ଜରିଆରେ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ଉଦ୍ୟମ କରି ଆସୁଛି। କଟକ-କେନ୍ଦ୍ରାପଡ଼ା-ଜଗତସିଂହପୁର: ବାସ୍ତବ ବିକାଶ କେବେ? ଶୀର୍ଷକ ପ୍ରସଙ୍ଗରେ ମତ ରଖି ଶ୍ରୀ ସ୍ବାଇଁ କହିଥିଲେ ଯେ ଭୁବନେଶ୍ବର, କଟକ, ପାରାଦୀପ ଓ ପୁରୀକୁ ନେଇ ବୃହତ୍ ଭୁବନେଶ୍ବର ଗଠନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ହୋଇଛି। କଟକର ଏସ୍ସିବି ନିକଟକୁ ମେଟ୍ରୋ ରେଳ ଆଣିବା ଏବଂ ମହାନଦୀର ସୌନ୍ଦର୍ଯ୍ୟୀକରଣ ଏହି ଯୋଜନାର ଏକ ଅଂଶବିଶେଷ। ଆଗାମୀ ଦିନରେ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ସହ ଶିଳ୍ପ ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି। କେନ୍ଦ୍ରାପଡ଼ାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାରେ ୪ଟି ଶିଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ପଦକ୍ଷେପ ନିଆଯିବା ସହିତ ପାରାଦୀପ ବନ୍ଦର ପଣ୍ୟ କାରବାରରେ ଏବେ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ।
ଅନ୍ୟତମ ଅତିଥି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ ଯେ କଟକରେ ସମାଜ, ପ୍ରଜାତନ୍ତ୍ର ଭଳି ଦୁଇଟି ବଡ଼ ଖବରକାଗଜ ବାହାରୁଛି। କିନ୍ତୁ ‘ସମ୍ବାଦ’ ଏପରି ଏକ ଖବରକାଗଜ ଯାହା ଭୁବନେଶ୍ବରରୁ ପ୍ରକାଶିତ ହେଉଥିଲେ ମଧ୍ୟ କଟକରେ କଟକିଆଙ୍କୁ ପ୍ରାୟ ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏକଜୁଟ କରିପାରୁଛି। ‘ସମ୍ବାଦ’ ସବୁ ବେଳେ ବିଭିନ୍ନ ବିଷୟରେ ଦିଗଦର୍ଶନ ଦେବା ସହ ସମାଜକୁ ସଚେତନ କରାଇ ଆସିଛି। ମହାବାତ୍ୟା ପରେ ଉପକୂଳବର୍ତ୍ତୀ ଓଡ଼ିଶାର ପୁନର୍ଗଠନ ସହ ରାଜ୍ୟବାସୀଙ୍କ ମଧ୍ୟରେ ଦୂରତା କମାଇବାକୁ ଗତ ସରକାରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ବିକାଶ କେବେ ଅଟକି ଯାଏ ନାହିଁ। ବିଭିନ୍ନ ସରକାରଙ୍କ ଦର୍ଶନ ମଧ୍ୟ ଭିନ୍ନ ଭିନ୍ନ ଥାଏ। ତେବେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ନେଇ ଆଜିର ସରକାରଙ୍କ ଯେଉଁ ଯୋଜନା ରହିଛି, ତାହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ନିମନ୍ତେ ଶ୍ରୀ ସାମନ୍ତରାୟ ମତ ରଖିଥିଲେ। ଅନ୍ୟତମ ଅତିଥି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା କହିଥିଲେ ଯେ ବିକାଶ ଏକ ଆପେକ୍ଷିକ ଶବ୍ଦ। ଗମନାଗମନ, ଶିକ୍ଷା, ପାନୀୟ ଜଳ ଓ ହାଟବଜାର ସୁବିଧା ଦୃଷ୍ଟିରୁ କଟକ-କେନ୍ଦ୍ରାପଡ଼ା-ଜଗତସିଂହପୁର ଜିଲ୍ଲା ବିକଶିତ। କେନ୍ଦ୍ର ସରକାର ଚିହ୍ନଟ କରିଥିବା ପଛୁଆ ଜିଲ୍ଲା ତାଲିକାରେ ଏହି ୩ ଜିଲ୍ଲା ନାହାନ୍ତି। ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ସୃଷ୍ଟିର ମାତ୍ର ୩୨ ବର୍ଷରେ ସଫଳତାର ସହ ଆଗକୁ ଯାଇଛନ୍ତି। କିଛି ଅଭାବ ଥିଲେ ବି ଏହି ଦୁଇ ଜିଲ୍ଲାକୁ ଅବିକଶିତ କହିବା ଉଚିତ ନୁହେଁ। କଟକ ଜିଲ୍ଲା ବିକଶିତ ଥିଲେ ମଧ୍ୟ ଏଠାରେ ବିମାନ ସେବା ଓ ମେଟ୍ରୋ ଟ୍ରେନ୍ ବ୍ୟବସ୍ଥା ଦରକାର। ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା କୃଷିଭିତ୍ତିକ ଜିଲ୍ଲା ହୋଇଥିଲେ ହେଁ ଏଠାରେ କୃଷିଭିତ୍ତିକ ଶିଳ୍ପ ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ଆବଶ୍ୟକ। କେନ୍ଦ୍ରାପଡ଼ାରୁ କଟକ, ପୁରୀ, ଭଦ୍ରକ ଦେଇ କୋଲକାତା ରେଳ ସେବା ସୁବିଧା ହେଲେ ଏହି ଜିଲ୍ଲାର ଅଧିକ ବିକାଶ ହୋଇପାରିବ ବୋଲି ଶ୍ରୀ ବେହେରା କହିଥିଲେ।
ସମାଜସେବା କ୍ଷେତ୍ରରେ ‘ସମ୍ବାଦ’ର ଭୂମିକା ଅନସ୍ବୀକାର୍ଯ୍ୟ। ସାଧାରଣ ଲୋକଙ୍କ ସ୍ବର ପାଲଟିଥିବା ‘ସମ୍ବାଦ’ ସବୁବେଳେ ଲୋକଙ୍କୁ ଏକାଠି କରିବାର ଉଦ୍ୟମ କରି ଆସିଛି ବୋଲି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ କହିଥିଲେ। ବିକଶିତ ଭାରତ ପାଇଁ ବିକଶିତ କଟକ ଆବଶ୍ୟକ। ବିଭିନ୍ନ ସହରର ମହତ୍ତ୍ବ ଓ ଗୁରୁତ୍ବ ଭିନ୍ନ ଭିନ୍ନ ଥାଏ। ଏହାକୁ ଆଧାର କରି ସହରଗୁଡ଼ିକର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇ କାମ କରାଗଲେ ବିକଶିତ ଭାରତ ଗଠନର ସ୍ବପ୍ନ ପୂରଣ ହୋଇପାରିବ ବୋଲି ସେ କହିବା ସହିତ କଟକକୁ ମେଟ୍ରୋ ସଂଯୋଗ ଓ ଚୌଦ୍ବାର-ଚାରବାଟିଆରେ ବିମାନ ବନ୍ଦର ପାଇଁ ପ୍ରସ୍ତାବ ରଖିଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ କହିଲେ ଯେ ‘ସମ୍ବାଦ’ ସବୁ ବେଳେ ସାହିତ୍ୟ, ଭାଷା ସୁରକ୍ଷା, ରକ୍ତଦାନ, ପରିବେଶ, ମଦମୁକ୍ତ ସମାଜ ଗଠନ ଭଳି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିଛି। ଖବରକାଗଜକୁ ନିର୍ଭୀକ ଭାବେ ଲୋକଙ୍କ ସ୍ବରରେ ପରିଣତ କରିବାକୁ ହେଲେ ଏଥିପାଇଁ ପାଠକଙ୍କ ସହଯୋଗ ଲୋଡ଼ା। ସତ ଆଉ ଚାପମୁକ୍ତ ଖବର ପଢ଼ିବା ପାଇଁ ଗଣମାଧ୍ୟମ ସହ ପାଠକମାନେ ଦୃଢ଼ତାର ସହ ଛିଡ଼ା ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେବା ସହିତ ପ୍ରତିକୂଳ ପାଗ ସତ୍ତ୍ବେ ସ୍ବନକ୍ଷତ୍ର ଉତ୍ସବରେ ଏତେ ସଂଖ୍ୟାରେ ଲୋକ ଯୋଗ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଉତ୍ସବରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସଂପାଦକ ତନୟା ପଟ୍ଟନାୟକ ଯୋଗ ଦେଇ କହିଥିଲେ, ଓଡ଼ିଶାର ପ୍ରତ୍ୟେକ ଘରେ ଜଣେ ଜଣେ ପରିବେଶ ଯୋଦ୍ଧା ତିଆରି କରିବା ପାଇଁ ‘ସମ୍ବାଦ’ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଜରିଆରେ ଉଦ୍ୟମ ଜାରି ରଖିଛି। ପରିବେଶ ସମସ୍ୟା ଆଜିର ଦିନରେ ସବୁଠୁ ବଡ଼ ଆହ୍ବାନ। ‘ସମ୍ବାଦ’ର ପ୍ରତିଟି କାର୍ଯ୍ୟକ୍ରମରେ ସାଂପ୍ରତିକ ସମସ୍ୟାର ସମାଧାନ ଲାଗି ପ୍ରୟାସ କରାଯାଉଥିବାରୁ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ।
କାର୍ଯ୍ୟକ୍ରମରେ କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିବା ସହିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ ଓ ସାଧାରଣ ସଂପାଦକ ଭିକାରି ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହିତ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀର ଟପର ଏବଂ ମାଟ୍ରିକ ପରୀକ୍ଷା ଟପର୍ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ସହ ସଂପାଦକ ସଚ୍ଚିକାନ୍ତ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/17/keIWsVp3dRikR6QoaVdU.jpg)