ବିକାଶ ପାଇଁ ସ୍ଥିର ସରକାର ଜରୁରି

ଭୁବନେଶ୍ୱର : ‘ସମ୍ବାଦ’ର ୩୪ତମ ସ୍ୱନକ୍ଷତ୍ର ଉପଲକ୍ଷେ ଆଜି ଜୟଦେବ ଭବନରେ ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିତର୍କ ପ୍ରତିଯୋଗିତାର ବିଷୟବସ୍ତୁ ରହିଥିଲା ‘ସ୍ଥିର ସରକାର ବିକାଶ ପାଇଁ ଜରୁରି’। ଏଥିରେ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୪ ମିନିଟ୍ ସମୟ ମିଳିଥିଲା। କିଏ ଏହାର ସପକ୍ଷରେ ମତ ଦେଇଥିଲା ତ ଆଉ କିଏ ବିପକ୍ଷରେ। ଏଥିପାଇଁ ସମୁଦାୟ ୩୦ ମାର୍କ ରହିଥିଲା। ଭାଷା, ବିଷୟବସ୍ତୁ ଓ ଉପସ୍ଥାପନା ଶୈଳୀ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ୧୦ ମାର୍କ ଲେଖାଏଁ ଦିଆଯିବାର ନିୟମ ରହିଥିଲା। ପ୍ରାୟ ୨ଘଣ୍ଟା ଧରି ଜୟଦେବ ଭବନରେ ପ୍ରତିଯୋଗୀମାନେ ନିଜ ନିଜର ମତ ପ୍ରକାଶ କରିଥିଲେ।

ବିତର୍କରେ କିରଣ ପ୍ରଥମ, ପ୍ରଜ୍ଞା ପାରମିତା ଦ୍ୱିତୀୟ ଓ ମୋନାଲି ତୃତୀୟ

ବିଷୟବସ୍ତୁର ସପକ୍ଷବାଦୀଙ୍କ ମତ ହେଲା, ସ୍ଥିରତା ହେଉଛି ପ୍ରଗତିର ପରିଚୟ। ସରକାର ସ୍ଥାୟୀ ରହିଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ। ଅସ୍ଥିର ସରକାରରେ ରାଷ୍ଟ୍ରର ବିକାଶ ସମ୍ଭବ ନୁହେଁ। ଯେପରି ଜଣେ ଅସ୍ଥିର ମଣିଷ କୌଣସି ସଫଳ କାର୍ଯ୍ୟ କରିପାରି ନ ଥାଏ, ସେପରି ଅସ୍ଥିର ସରକାରରେ ଅର୍ଥନୈତିକ ବିକାଶ, ସାମାଜିକ ବିଶୃଙ୍ଖଳା, ଶିକ୍ଷ‌ା, ସ୍ୱାସ୍ଥ୍ୟ, ବିଦେଶ ନୀତି ଓ ଅନ୍ୟାନ୍ୟ କ୍ଷେତ୍ର ପ୍ରଭାବିତ ହୋଇଥାଏ। ସରକାର, ସ୍ଥାୟୀ ଓ ବିକାଶ ଏକ ତ୍ରିଭୁଜ ସଦୃଶ। ବାରମ୍ବାର ସରକାର ବଦଳିଲେ ଦେଶ ଏକ ରଂଗମଞ୍ଚରେ ପରିଣତ ହୁଏ। ବାରମ୍ବାର ନିର୍ବାଚନ ଫଳରେ ଆର୍ଥିକ କ୍ଷତି ହୋଇଥାଏ। ଅସ୍ଥିର ସରକାର ଦେଶର ଅର୍ଥନୀତିକୁ ପଙ୍ଗୁ କରିଦିଏ। ସେହିପରି ସରକାର ଜନସାଧାରଣଙ୍କ ପାଇଁ ଯେଉଁସବୁ ଯୋଜନା କରୁଛନ୍ତି, ଯଦି ଏକ ସ୍ଥିର ସରକାର ନ ଆସେ, ତେବେ ଏହାର ସଫଳ ରୂପାୟନ ସମ୍ଭବ ହୋଇପାରି ନ ଥାଏ। ସ୍ଥିର ସରକାର ରହିଲେ ଜିଡିପିରେ ବୃଦ୍ଧି ଘଟିଥାଏ। ଅସ୍ଥିର ସରକାରରେ କୌଣସି ଏକ ନିଷ୍ପତ୍ତି ପାଇଁ ସହଯୋଗୀ ଦଳମାନଙ୍କ ସହମତି ଆବଶ୍ୟକ ପଡ଼ିଥାଏ। ତେଣୁ ଏକ ସଂଖ୍ୟା ଗରିଷ୍ଠ ଦଳ ଶାସନକୁ ଆସିଲେ ଦେଶ ସମୃଦ୍ଧ ହୋଇପାରିଥାଏ। ଏହି ଅବସରରେ ପ୍ରତିଯୋଗୀମାନେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟର ଉଦାହରଣ ଦେଇ ନିଜର ଯୁକ୍ତିକୁ ଅଧିକ ସୁଦୃଢ଼ କରିଥିଲେ।

ଅପରପ‌େକ୍ଷ ବିପକ୍ଷବାଦୀଙ୍କ ଯୁକ୍ତି ଥିଲା ଏହାଠାରୁ ସଂପୂର୍ଣ୍ଣ ଅଲଗା। ସେମାନେ ଯୁକ୍ତି ବାଢ଼ିଥିଲେ, ସ୍ଥିର ସରକାରର କୌଣସି ଆବଶ୍ୟକତା ନାହିଁ। ଦେଶ କିମ୍ବା ରାଜ୍ୟରେ ସ୍ଥିର ସରକାର ରହିଲେ ଶାସନ ମନମୁଖୀ ହୋଇପଡ଼େ। ସ୍ଥିର ସରକାରରେ ଗାଦିରେ ଥିବା ବ୍ୟକ୍ତିମାନେ ଜନସାଧାରଙ୍କ ସ୍ୱାର୍ଥକୁ ଛାଡ଼ି ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ପରିବର୍ତନ ସରକାରରେ ଲୋକଙ୍କ ନିକଟରେ ଏକ ବିକଳ୍ପ ରହିଥାଏ। ବିକଳ୍ପ ରହିବା ଯୋଗୁଁ ଦଳଗୁଡ଼ିକ କିଭଳି ଜନସାଧାରଣଙ୍କ ମନ ଜିଣିବେ, ସେଥିପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ। ମିଳିତ ସରକାରରେ ଏକାଧିକ ଦଳର ମତକୁ ନେଇ ବିଚାର କରିବାକୁ ପଡ଼ିଥାଏ। ଯାହାଫଳରେ ଗଣତନ୍ତ୍ର ବଳିଷ୍ଠ ହୋଇଥାଏ। ସ୍ଥିର ସରକାରରେ କ୍ଷମତା ହରାଇବାର କୌଣସି ଭୟ ନ ଥିବାରୁ ଦିନକୁ ଦିନ ସ୍ବେଚ୍ଛାଚାରିତା ବଢ଼ି ଚାଲିଥାଏ। ସ୍ଥିର ସରକାରରେ ଜନସାଧାରଣ ନିଜର ହକ୍ ହରାଇଥାନ୍ତି। ତେଣୁ ଦେଶରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳିବା ଆବଶ୍ୟକ। ସ୍ଥାୟୀ ନୁହେଁ ବରଂ ସ୍ଥିର ସରକାର ଜରୁରୀ ବୋଲି ବିପକ୍ଷବାଦୀ ଯୁକ୍ତି କରିଥିଲେ।

ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗ ଦେଇଥିଲେ ପୂର୍ବତନ ପୁଲିସ ମହାନିର୍ଦେଶକ ଶରତ ମିଶ୍ର, ସାମାଜିକ କର୍ମୀ ଜଗଦାନନ୍ଦ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା।

ପ୍ରତିଯୋଗୀମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ମିଶ୍ର କହିଥିଲେ, ବିକାଶ ପାଇଁ ଅନେକଗୁଡ଼ିକ କାରକ ଆବଶ୍ୟକ। ଏଥିରୁ ସ୍ଥିର ସରକାର ଗୋଟିଏ କାରକ। ତେଣୁ ସ୍ଥିର ସରକାର ରହିଲେ ଯେ ‌ବିକାଶ ହୋଇଥାଏ, ତାହା ଠିକ୍ ନୁହେଁ। ଅସ୍ଥିର ସରକାର ସମୟରେ ମଧ୍ୟ ଦେଶର ବିକାଶ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବା‌ଜପେୟୀ ହେଉଛନ୍ତି ଏହାର ଉଦାହରଣ ବୋଲି ଶ୍ରୀ ମିଶ୍ର କହିଥିଲେ। ଶ୍ରୀ ବେହେରା କହିଥିଲେ, ଜୀବନରେ ସଫଳତା ପାଇବାକୁ ହେଲେ ଅଧ୍ୟୟନ ଓ ଅଧ୍ୟବସାୟ ଜରୁରି। ତେଣୁ ପ୍ରତିଯୋଗୀମାନେ ଏ ଦିଗରେ ଗୁରୁତ୍ବ ଦେବା ଆବଶ୍ୟକ। ଶ୍ରୀ ଜଗଦାନନ୍ଦ କହିଥିଲେ, ଏକ ସ୍ଥିର ସରକାର ଚଳାଇବା ପାଇଁ ରାଜନୈତିକ ଦଳ ସହିତ ଏକ ସମ୍ବେଦନଶୀଳ ଅମଲାତନ୍ତ୍ର ଓ ସଚେତନ ନାଗରିକ ଜରୁରି। ଏବେ ସଚେତନ ଅମଲାତନ୍ତ୍ରର ଘୋର ଅଭାବ ଦେଖାଦେଇଛି। ତେଣୁ ନାଗରିକମାନଙ୍କୁ ସଚେତନ ହେବାକୁ ପଡ଼ିବ। ଆଜିର ଏହି ପ୍ରତିଯୋଗିତା ଏକ ସଫଳ ଯୁବପିଢ଼ିଙ୍କ ସମ୍ମିଳନୀ ବୋଲି ସେ କହିଥିଲେ।

‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ପ୍ରତିଯୋଗୀମାନେ ବିଷୟବସ୍ତୁ ଉପରେ ଅଧିକ ପ୍ରବେଶ ରଖିବା ଆବଶ୍ୟକ। ତଥ୍ୟ, ଯୁକ୍ତିକୁ ଅଧିକ ସାମର୍ଥ୍ୟ ଯୋଗାଇଥାଏ। ଏକ ସ୍ଥିର ସରକାର ଅହଂକାରୀ ହୋଇପଡ଼ିଥାଏ। ବିନା ବିରୋଧୀରେ ଗଣତନ୍ତ୍ର ବଞ୍ଚିବା ଏକପ୍ରକାର ଅସମ୍ଭବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ବିତର୍କ ପ୍ରତିଯୋଗିତାରେ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମିଡିଆ ସାଇନ୍‌ସର କିରଣ କୁମାର ମହାନ୍ତି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ପ୍ରଜ୍ଞା ପାରମିତା ପତି ଓ ର‌ମ‌ାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମୋନାଲି ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଆସନ୍ତାକାଲି ‘ସମ୍ବାଦ’ର ବାର୍ଷିକୋତ୍ସବରେ ସେମାନଙ୍କୁ ପୁରସ୍କୃତ କରା‌ଯିବ। ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର