‘ସମ୍ବାଦ’ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଆଜି

ଭୁବନେଶ୍ବର : ‘ସମ୍ବାଦ’ର ୩୯ତମ ସ୍ବନକ୍ଷତ୍ର ଅବସରରେ ଆଜି ୧୮ ତାରିଖ ରବିବାର ଅନୁଷ୍ଠିତ ହେଉଛି ବାର୍ଷିକ ଜୋନ୍ ସ୍ତରୀୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତା। ୯ଟି ଜୋନ୍‌ର ୧୨ଟି କେନ୍ଦ୍ରରେ ଏହି ପ୍ରତିଯୋଗିତା ହେବ।

ଉଭୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତାରେ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଉଛନ୍ତି। ଯେଉଁମାନେ କୌଣସି ସମସ୍ୟା ଯୋଗୁଁ ଅନ୍‌ଲାଇନରେ ପଞ୍ଜୀକରଣ କରିପାରି ନାହାନ୍ତି, ସେମାନେ ପରୀକ୍ଷା କେନ୍ଦ୍ରକୁ ଆସି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିପାଇଁ ନିଜ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଆଣିବାକୁ ପଡ଼ିବ। ପ୍ରତିଯୋଗିତା ଦିନ ୧୦ଟାରେ ଆରମ୍ଭ ହେବ। ସାରେଗାମା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଓଡ଼ିଆ କିମ୍ବା ହିନ୍ଦୀ ଭାଷାରେ ଭଜନ ଓ ଲଘୁ ସଙ୍ଗୀତ ଗାଇପାରିବେ। ସେମାନଙ୍କୁ ବାଦ୍ୟଯନ୍ତ୍ରର ସହାୟତା ଯୋଗାଇ ଦିଆଯିବ। କୌଣସି ଅଶ୍ଳୀଳ ଓ ଦ୍ବିଅର୍ଥବୋଧକ ଗୀତ ଗାଇପାରିବେ ନାହିଁ।

ସେହିପରି ବିତର୍କ ପ୍ରତିଯୋଗିତାର ବିଷୟବସ୍ତୁ ପ୍ରତିଯୋଗିତା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ପ୍ରଦାନ କରାଯିବ। ଜୋନସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ। ରାଜ୍ୟସ୍ତରୀୟ ପ୍ରତିଯୋଗିତାର ତିନି ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ସ୍ଥାନ ପାଇଁ କୃତୀ ପ୍ରତିଯାଗୀଙ୍କୁ ପୁରସ୍କାର ବାବଦ ୧୦ ହଜାର ଟଙ୍କା, ଦ୍ବିତୀୟ ପୁରସ୍କାର ପାଇଁ ୭ ହଜାର ୫୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ବାବଦ ୫ ହଜାର ଟଙ୍କା ଓ ସାର୍ଟିଫିକେଟ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର