ଭୁବନେଶ୍ବର: ‘ସମ୍ବାଦ’ର ୪୨ତମ ସ୍ବନକ୍ଷତ୍ର ଅବସରରେ ସେପ୍ଟେମ୍ବର ୧୪ ତାରିଖ ରବିବାର ପୂର୍ବାହ୍ନ ୧୦ଟାରେ ବାର୍ଷିକ ଜୋନ୍ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ବର ସମେତ କଟକ, ଯାଜପୁର, ଅନୁଗୁଳ, ବାଲେଶ୍ବର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଜୟପୁର ଆଦି ୯ଟି ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଭୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨), ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ଭାଗ ନେଇପାରିବେ। ଏଥିପାଇଁ ଅନଲାଇନ୍ ପଞ୍ଜୀକରଣ ଜାରି ରହିଛି। ହାତରେ କମ୍ ସମୟ ରହିଥିବାରୁ ଆଗ୍ରହୀ ଛାତ୍ରଛାତ୍ରୀ https://competition.sambad.in/ରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣରେ କୌଣସି ସମସ୍ୟା ଦେଖାଦେଲେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଆସି ସିଧାସଳଖ ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିପାଇଁ ନିଜ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟପତ୍ରକୁ ସାଙ୍ଗରେ ଆଣିବାକୁ କୁହାଯାଇଛି।
ଯେକୌଣସି କେନ୍ଦ୍ରରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ
ବାହାର ରାଜ୍ୟର ପିଲା ବି ଅଂଶଗ୍ରହଣ କରିପାରିବେ
ରାଜ୍ୟର ୯ଟି ସହରରେ ପ୍ରତିଯୋଗିତା କେନ୍ଦ୍ର ହୋଇଛି। ଭୁବନେଶ୍ବର ଜୋନ୍ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ କଟକରେ ବିତର୍କ ପାଇଁ ଶ୍ରୀରାମଚନ୍ଦ୍ର ଭବନ ଓ ସାରେଗାମା ପାଇଁ ଶତାଦ୍ଦୀ ଭବନ, ସମ୍ବଲପୁରରେ ବିତର୍କ ପ୍ରତିଯୋଗିତା ‘ସମ୍ବାଦ ଭବନ’ ଓ ସାରେଗାମା ପ୍ରତିଯୋଗିତା ଓଡ଼ିଶା ସାଂସ୍କୃତିକ ସମାଜ (ସେନ୍ପାର୍କ ନିକଟ), ଅନୁଗୁଳରେ ଉଭୟ ପରୀକ୍ଷା କେନ୍ଦ୍ର ରୋଟାରି ପବ୍ଲିକ୍ ସ୍କୁଲ, ଯାଜପୁରରେ ଯାଜପୁରରୋଡ୍ ଦଳାଛକସ୍ଥିତ ସେଣ୍ଟ ଜାଭିୟର ଇଣ୍ଟର୍ନ୍ୟାସ୍ନାଲ୍ ସ୍କୁଲ, ବାଲେଶ୍ବରରେ ‘ସମ୍ବାଦ’ ବାଲେଶ୍ବର ସଂସ୍କରଣ କାର୍ଯ୍ୟାଳୟ, ବ୍ରହ୍ମପୁରରେ ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପ, ଜୟପୁରରେ ସରକାରୀ ମହିଳା ମହାବିଦ୍ୟାଳୟ ଓ ରାଉରକେଲାରେ ଛେଣ୍ଡ୍ସ୍ଥିତ ରିମ୍ସ କଲେଜଠାରେ ପରୀକ୍ଷା କେନ୍ଦ୍ର ହୋଇଛି। ଓଡ଼ିଶା କିମ୍ବା ଓଡ଼ିଶା ବାହାର ଛାତ୍ରଛାତ୍ରୀ ଯେକୌଣସି କେନ୍ଦ୍ରକୁ ଯାଇ ବୈଧ ପରିଚୟପତ୍ର ଦେଖାଇ ଅଂଶଗ୍ରହଣ କରିପାରିବେ। ସାରେଗାମା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଓଡ଼ିଆ କିମ୍ବା ହିନ୍ଦୀ ଭାଷାରେ ଭଜନ ଓ ଲଘୁ ସଙ୍ଗୀତ ଗାଇପାରିବେ। ସେମାନଙ୍କୁ ବାଦ୍ୟଯନ୍ତ୍ରର ସହାୟତା ଯୋଗାଇ ଦିଆଯିବ। କୌଣସି ଅଶ୍ଳୀଳ ଓ ଦ୍ବିଅର୍ଥବୋଧକ ଗୀତ ପରିବେଷଣ କରିପାରିବେ ନାହିଁ। ସେହିପରି ବିତର୍କ ପ୍ରତିଯୋଗିତାର ବିଷୟବସ୍ତୁ ପ୍ରତିଯୋଗିତା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ପ୍ରଦାନ କରାଯିବ। ଜୋନ୍ସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ। ରାଜ୍ୟସ୍ତରୀୟ ପ୍ରତିଯୋଗିତାର ତିନି ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିଯୋଗିତା ସଂପର୍କରେ ଅଧିକ ସୂଚନା ପାଇଁ ନିୟମିତ ‘ସମ୍ବାଦ’ ପଢ଼ିବାକୁ କୁହାଯାଇଛି।