ବାଲେଶ୍ବରରେ ‘ସମ୍ବାଦ’ ଓ ’କନକ ନ୍ୟୁଜ୍‌’ ବିତର୍କ ପ୍ରତିଯୋଗିତା: ‘ଆତ୍ମହତ୍ୟା ଚିନ୍ତା ଏକ ବିକୃତ ମାନସିକତା’

ବାଲେଶ୍ବର: ଆତ୍ମହତ୍ୟା ପାଇଁ ପରିବାର ଦାୟୀ। ଏପରି ଏକ ସମ୍ବେଦନଶୀଳ ବିଷୟବସ୍ତୁକୁ ନେଇ ଆଜି ସାରା ରାଜ୍ୟରେ ‘ସମ୍ବାଦ’ ଓ ’କନକ ନ୍ୟୁଜ୍‌’ ପକ୍ଷରୁ ଜୋନ୍‌ସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣ ପକ୍ଷରୁ ସ୍ଥାନୀୟ ବାଲେଶ୍ବର ଉଦ୍ୟୋଗ ଭବନରେ ପ୍ରତିଯୋଗିତା ସରିଛି। ଏଥିରେ ମୋଟ ୩୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଷୟ ଉପରେ ପ୍ରତିଯୋଗୀମାନେ ମାର୍ମିକ ବକ୍ତବ୍ୟ ରଖିଥିଲେ। ତେବେ ଅଧିକାଂଶ ଛାତ୍ରଛାତ୍ରୀ ଆତ୍ମହତ୍ୟା ଚିନ୍ତା ଏକ ବିକୃତ ମନସ୍ତତ୍ବ ବୋଲି କହିଥିଲେ।

ବିତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଢେଙ୍କାନାଳ ଆଇଆଇଏମ୍‌ସି ଛାତ୍ର କୌଶିକ ଲେଙ୍କା ପ୍ରଥମ, ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଛାତ୍ର କେଶରୀ ପ୍ରସାଦ ମହାନ୍ତି ଦ୍ବିତୀୟ ଏବଂ ଭଦ୍ରକ କଲେଜର ଛାତ୍ର ରୋଜାଲିନ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଯେଉଁ ପ୍ରତିଯୋଗୀମାନେ କୃତକାର୍ଯ୍ୟ ହୋଇ ନଥିଲେ, ଏହି ପ୍ରତିଯୋଗିତା ସେମାନଙ୍କୁ ମାର୍ଗଦର୍ଶନ କରିବ ବୋଲି କହିଥିଲେ।

‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ କବି ଶ୍ରୀଦେବ, ପ୍ରଫେସର ଡ. ଭାରତୀବାଳା ପଟ୍ଟନାୟକ, ପ୍ରଫେସର ଡ. ରମେଶ ଚନ୍ଦ୍ର ମିଶ୍ର ଯୋଗଦେଇଥିଲେ। ସେମାନେ ପ୍ରତିଯୋଗୀମାନଙ୍କ ବକ୍ତବ୍ୟର ପ୍ରଶଂସା କରିବା ସହ ବିଷୟ ଆଧାରିତ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା‌ କରିଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଜୋନ୍‌ସ୍ତରୀୟ ବିତର୍କ ପ୍ରତିଯୋଗିତା ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟରେ ସମସ୍ତେ ନାମ ପଞ୍ଜୀକରଣ କରିଥିଲେ ଏିଠ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ।

ସମ୍ବନ୍ଧିତ ଖବର