ମାଟି ମା’କୁ ପୂଜା କଲେ, ସେ ଆମକୁ ସ୍ନେହ କରିବ: ଭୂପେନ୍ଦର ଯାଦବ

ସମ୍ବାଦ ଡିଜିଟାଲ୍‌ ଓ ପୁନଶ୍ଚ ପୃଥିବୀର ଲୋକାର୍ପଣ ଉତ୍ସବ

ପୃଥିବୀ ଓ ପରିବେଶ ପାଇଁ ନୂଆ ଉପକ୍ରମ ଯୋଡ଼ିବାକୁ ଯାଉଛି: ଧର୍ମେନ୍ଦ୍ର
ପରିବେଶ ସଚେତନତା ସୃଷ୍ଟି ଗଣମାଧ୍ୟମର ଦାୟିତ୍ବ: ସୌମ୍ୟରଞ୍ଜନ
ପୁନଶ୍ଚ ପୃଥିବୀ ଅଭିଯାନ ପରିବେଶ ସୁରକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ

ଭୁବନେଶ୍ବର : ଆମେ ଯଦି ମାଟି ମା’, ପ୍ରକୃତିକୁ ନିଜ ମା’ ଭଳି ପୂଜା କରିବା, ସମ୍ମାନ ଦେବା, ତା’ହେଲେ ସେମାନେ ମଧ୍ୟ ଆମକୁ ସ୍ନେହ କରିବେ। ଆମ ସୁନ୍ଦର ପୃଥିବୀରେ ଅନେକ ରହସ୍ୟ ଲୁଚି ରହିଛି, ତାକୁ ସୁରକ୍ଷିତ ରଖିବା ଆମ ଦାୟିତ୍ୱ। ଯେତେବେଳେ ପୂରା ବିଶ୍ୱ କରୋନା ସହ ଯୁଦ୍ଧ କରୁଛି ସେତେବେଳେ ମାଟି ମା’, ପୃଥିବୀ ପାଇଁ ଏଭଳି ଅଭିଯାନ ସ୍ୱାଗତଯୋଗ୍ୟ। ମୁଁ ଭାବୁଛି ‘ପୁନଶ୍ଚ ପୃଥିବୀ’ ଅଭିଯାନ ପରିବେଶ ସୁରକ୍ଷା ଦିଗରେ ନିଶ୍ଚିତ ବିପ୍ଳବ ଆଣିବ। ଡିଜିଟାଲ ମୋଡ୍‌ରେ ଆୟୋଜିତ ‘ସମ୍ବାଦ ଡିଜିଟାଲ’ ଓ ‘ପୁନଶ୍ଚ ପୃଥିବୀ’ ଅଭିଯାନର ଲୋକାର୍ପଣ ଉତ୍ସବରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଅତିଥି ଭା‌ବେ ଯୋଗଦେଇ ଏହା କହିଛନ୍ତି।

ଏହି ଅବସରରେ ଶ୍ରୀ ଯାଦବ କହିଥିଲେ, ପୂର୍ବରୁ ଆମେ ପ୍ରକୃତିର ଦୟାରେ ବଞ୍ଚୁଥିଲୁ। ଏହାପରେ ପ୍ରକୃତି ସହ ବଞ୍ଚିଲୁ। କିନ୍ତୁ ଏବେ ପ୍ରକୃତିକୁ ନିୟନ୍ତ୍ରଣ କରିବାକୁ ଚାହୁଁଛୁ। ଜ୍ଞାନୀ ମଣିଷ ଏବେ ପରିବେଶକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି, ଯାହା ଦ୍ୱାରା ପରିବେଶ ଅସନ୍ତୁଳନ ଦେଖାଦେଉଛି। ଆମର ଜୈବ ବିବିଧତା ବିଗିଡ଼ିବାରେ ଲାଗିଛି, ଜଳବାୟୁ ପରିବର୍ତ୍ତନ ହେଉଛି। ପୃଥିବୀ ଉପରେ ଆମେ ବିଜୟୀ ହେବାକୁ ଚାହୁଁଥିବାରୁ ଏବେ ସବୁ ପ୍ରକାରର ସମସ୍ୟା ସୃଷ୍ଟି ହେଉଛି।

ଆମର ବିଭିନ୍ନ ଧର୍ମରେ ପ୍ରକୃତିକୁ ପୂଜାର୍ଚ୍ଚନା କରିବାର ବିଧି, ସଂସ୍କୃତି ଅଛି। ତଥାପି ଲୋକମାନେ ସବୁଠି ଅନାଧିକୃତ ପ୍ରବେଶ କରିବାକୁ ଚାହୁଁଛନ୍ତି। ଦେଶର କୋଣ ଅନୁକୋଣର ଲୋକଙ୍କୁ ସଚେତନ କରାଇବା ସହ ଉଜୁଡ଼ି ଯାଉଥିବା ସବୁଜିମାକୁ ପୁଣି ସଂରକ୍ଷିତ କରାଇପାରିଲେ ହିଁ ଆମେ ପ୍ରକୃତି କୋପରୁ ରକ୍ଷା ପାଇବା। କେନ୍ଦ୍ର ସରକାର ପ୍ରକୃତିର ସୁରକ୍ଷା ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ବିଷାକ୍ତ ଅଙ୍ଗାରକାମ୍ଳ ଧୂଆଁ ୨୪% କମାଇବାକୁ ଆମେ ଯେଉଁ ଲକ୍ଷ୍ୟ ରଖିଥିଲୁ, ତାହାକୁ ଧାର୍ଯ୍ୟ ସମୟ ପୂର୍ବରୁ ହାସଲ କରିଛୁ। ବିଭିନ୍ନ ଜଙ୍ଗଲ, ବନ୍ୟପ୍ରାଣୀ, ଡଲଫିନ୍‌ ଆଦିଙ୍କର ସୁରକ୍ଷା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ୨୦୩୦ ସୁଦ୍ଧା ସାରା ଦେଶରେ ୪୫୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛୁ।

ପୃଥିବୀ ପାଇଁ ଏ ଅଭିଯାନ ସଫଳ ହେଉ, ଆଗକୁ ଯାଉ। ‘ପୁନଶ୍ଚ ପୃଥିବୀ’ ଅଭିଯାନ ଦେଶର କୋଣ ଅନୁକୋଣର ଲୋକଙ୍କୁ ସଚେତନ କରାଇବା ସହ ଉଜୁଡ଼ି ଯାଉଥିବା ସବୁଜିମାକୁ ପୁଣି ଏକାଠି କରାଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାପ୍ରକଟ କରିଥିଲେ।

ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ କହିଲେ ଯେ, ‘ସମ୍ବାଦ’ ଓଡ଼ିଆଙ୍କ ଜନଜୀବନ ପାଇଁ ବହୁତ ବଡ଼ ବଡ଼ ପଦକ୍ଷେପ ନେଇଛି। ଆସନ୍ତା ୨୫ ବର୍ଷ ପରେ ଲୋକେ ନିଜ ସ୍ମାର୍ଟଫୋନରେ ସବୁ ଖବର ପାଇବେ। ଆଗାମୀ ଦିନରେ ୫୦ ହଜାର ଗାଁରେ ହାଇସ୍ପିଡ୍‌ ଇଣ୍ଟରନେଟ୍ ପାଇଁ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଜାରି ରହିଛି। ତେଣୁ ଆଗକୁ ଆମର ଯୋଗାଯୋଗ ଅଧିକ ସୁଗମ ହେବ। ଏପରିକି ଆଗାମୀ ଦିନରେ ଅନୁବାଦ ମାଧ୍ୟମରେ ବିଦେଶରେ ରହୁଥିବା ଲୋକେ ଓଡିଶାର ସବୁ ଖବର ଜାଣିପାରିବାର ଯୁଗ ଆସୁଛି। ୨୦୨୧ରେ ଆମେ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ଉତ୍ସବ ପାଳନ କରୁଛୁ। ଆଉ ୨୫ ବର୍ଷ ପରେ ସ୍ବତନ୍ତ୍ରତାର ଶତାବ୍ଦୀ ପାଳନ କରିବୁ। ୧୫ ବର୍ଷ ପରେ ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟ ହେବାର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବ। ତେଣୁ ଆଗାମୀ ୧୫ରୁ ୨୫ବର୍ଷ ଓଡ଼ିଶାବାସୀଙ୍କ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହେବ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ସାମ୍ପ୍ରତିକ ସମୟରେ ନୂଆପିଢ଼ିଙ୍କ ପାଇଁ ଶିକ୍ଷା ପର୍ଯ୍ୟାବରଣ ‌ଆଧାରିତ ହେବା ଦରକାର। ଜାତୀୟ ଶିକ୍ଷା ନୀତିରେ ପରିବେଶ ସୁରକ୍ଷା ତଥା ସ୍ଥାୟୀ ପରିବେଶ ଉପରେ ଗୁରୁତ୍ବ ଦିଆଯାଇଛି। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ବଚ୍ଛ ଓ ନିର୍ମଳ ରଖିବାକୁ ପଡ଼ିବ। ପୁନଶ୍ଚ ପୃଥିବୀ ଅଭିଯାନ ଆରମ୍ଭ କରି ପୃଥିବୀ ଓ ପରିବେଶ ପାଇଁ ସମ୍ବାଦ ଗ୍ରୁପ୍ ନୂଆ ଉପକ୍ରମ ଯୋଡ଼ିବାକୁ ଯାଉଛି। ଆଉ ଆଜିର ତାରିଖ ସମସ୍ତଙ୍କର ମନେ ରହିବ।

ଏଥିରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ବିକାଶ ଓ ବିନାଶ ଏବେ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି। ‘ସମ୍ବାଦ’ ଆରମ୍ଭରେ ନୂତନ କାରିଗରୀ କୌଶଳକୁ ଗୁରୁତ୍ବ ଦେଇ ଆଗକୁ ବଢ଼ିଥିଲା। ହେଲେ ଏବେ ଡିଜିଟାଲ ପ୍ଲାଟଫର୍ମ ଭବିଷ୍ୟତ ବୋଲି କୁହାଯାଉଛି। କାଗଜ ଓ କାଳିର ବ୍ୟବହାର କରି ଯେଉଁ କଥା କୁହାଯାଉଛି, ଆଗକୁ ତାହାର ବ୍ୟବହାର ନ ହୋଇ ମଧ୍ୟ ସମାନ କଥା କୁହାଯିବ। କାଗଜ ହେଉଛି ପରିବେଶର ଶତ୍ରୁ ଓ କାଳି ଦ୍ବାରା କେଉଁଠି ନା କେଉଁଠି ପରିବେଶ ପ୍ରଦୂଷଣ ହେଉଛି। ବିଜ୍ଞାନ ଓ କାରିଗରୀ କୌଶଳ ମଣିଷକୁ ବିକାଶ ଧାରାରେ ଆଗକୁ ନେଉଥିବା ବେଳେ ସମାନ ଭାବେ ପରିବେଶ ଧ୍ବଂସର ଏକ ମାଧ୍ୟମ ମଧ୍ୟ ପାଲଟିଛି। ମଣିଷ ନିଜର ସ୍ବାର୍ଥ ହାସଲ ପାଇଁ ପୃଥିବୀକୁ ନଷ୍ଟ କରିବାରେ ଲାଗିଛି। ଏକ ଗଣମାଧ୍ୟମ ସଂସ୍ଥା ଭାବେ ଲୋକମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯିବା ଜରୁରୀ। ପୂର୍ବରୁ ‘ସମ୍ବାଦ’ ଭାଷା ଓ ରକ୍ତଦାନ ଉପରେ ଗୁରୁତ୍ବ ଦେଇଥିଲା। ଫଳରେ ରାଜ୍ୟରେ ରକ୍ତଦାନ ଏକ ଅଭିଯାନ ପାଲଟିଯାଇଛି। ତେଣୁ ଡିଜିଟାଲ ମିଡିଆର ଅଦ୍ଭୁତ ଶକ୍ତିକୁ ବ୍ୟବହାର କରି ପରିବେଶକୁ ରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଏକ ଦାୟିତ୍ବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନଭର୍ନମେଣ୍ଟର ମହାନିର୍ଦ୍ଦେଶିକା ସୁନିତା ନାରାୟନ୍ ଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନର କାରଣ ଓ ଏହାର ନିରାକରଣ ଉପରେ ଆଲୋଚନା କରିଥିଲେ।

ପ୍ରାରମ୍ଭରେ ସମ୍ବାଦ୍ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଅତିଥିମାନଙ୍କୁ ସ୍ବାଗତ କରି କହିଲେ ଯେ, ଓଡ଼ିଶାର ଗଣମାଧ୍ୟମ ଜଗତରେ କେତେକ ‘ପ୍ରଥମ’ର ଶ୍ରେୟ ସମ୍ବାଦକୁ ଯାଇଥାଏ। ସେହି ପରମ୍ପରାକୁ ବଜାୟ ରଖି ସମ୍ବାଦ ଡିଜିଟାଲ ଆରମ୍ଭ ହୋଇଛି, କାରଣ ଏହା ହେଉଛି ଭବିଷ୍ୟତ। ସେହିପରି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷାର ଆହ୍ବାନକୁ ଆମେ ଗ୍ରହଣ କରିଛୁ। ଆମେ ଏବେ ପରିବେଶ ସୁରକ୍ଷା ନେଇ ନିୟମିତ କାମ କରିବୁ।

ଏଥିରେ ସମ୍ବାଦ ଗ୍ରୁପ୍‌ର ଡିଜିଟାଲ ସେଲ୍‌ସ ମୁଖ୍ୟ ଲିଙ୍ଗରାଜ ଲେଙ୍କା ଉପସ୍ଥିତ ଥିଲେ। ଶେଷରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। କନକ ନ୍ୟୁଜ୍‌ର ଡେପୁଟି ଏଡିଟର ସ୍ବୟଂପ୍ରକାଶ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୪୬୪୨ ଜଣ ଲୋକ ଅଂଶ ଗ୍ରହଣ କରିଥିଲେ।

ସଚେତନତା ସୃଷ୍ଟିରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ
‘ସମ୍ବାଦ ଡିଜିଟାଲ୍‌’ ଓ ‘ପୁନଶ୍ଚ ପୃଥିବୀ’ର ଲୋକାର୍ପଣ କାର୍ଯ୍ୟକ୍ରମରେ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭିଡିଓ ବାର୍ତ୍ତାରେ ସେ କହିଥିଲେ ଯେ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଗତ କିଛି ବର୍ଷ ଧରି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଶା ଉପରେ ଦେଖିବାକୁ ମିଳିଛି। ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ଓଡ଼ିଶା ସାମ୍ନା କରୁଛି। ମାତ୍ର ବିପର୍ଯ୍ୟୟ ପରିଚାଳନା ରଣନୀତି ବଳରେ ବିଶ୍ବସ୍ତରରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିପାରିଛି। ବହୁ ସଂଖ୍ୟାରେ ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ ଓ ଆଗୁଆ ସତର୍କ ସୂଚନା ବଳରେ ରାଜ୍ୟରେ ଏଭଳି ବିପର୍ଯ୍ୟୟର ମୁକାବିଲା କରିବାରେ ସଫଳ ହୋଇଛି। ଆଗକୁ ଜିଲ୍ଲା ସ୍ତରରେ ୮୯ଟି ଷ୍ଟାଡିୟମ୍‌ର ନିର୍ମାଣ କରାଯିବ, ଯାହାକି ଜରୁରୀ ସମୟରେ ଏହା ବାତ୍ୟା ଆଶ୍ରୟସ୍ଥଳ ସହ ଫିଲ୍‌ଡ ହସ୍ପିଟାଲ ଭାବେ କାର୍ଯ୍ୟ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ଦଶନ୍ଧି ଧରି ଡିଜିଟାଲ ମିଡିଆର ଯଥେଷ୍ଟ ବିକାଶ ହୋଇଥିବା ବେଳେ ନ୍ୟୁଜ୍‌ର ବ୍ୟବହାର ଧାରାରେ ପରିବର୍ତନ ଆଣିଛି। ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର ଖବର ଶିଳ୍ପର ଚେହେରାକୁ ବଦଳାଇ ଦେଇଛି। ଡିଜିଟାଲ ଓ ସୋସିଆଲ ମିଡିଆ ଲୋକମାନେ ସଙ୍ଗେ ସଙ୍ଗେ ଖବର ପାଇ ପାରୁଛନ୍ତି। ଓଡ଼ିଆ ଭାଷାରେ ଲୋକମାନଙ୍କୁ ଖବର ପହଞ୍ଚାଇବାରେ ‘ସମ୍ବାଦ’ ଡିଜିଟାଲ ପ୍ଲାଟଫର୍ମ ଅନ୍ୟତମ। ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ପାଇଁ ଏକାଠି ହେବା କ୍ଷେତ୍ରରେ ‘ସମ୍ବାଦ’ ଇ-ପେପର ସହାୟକ ହୋଇପାରଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବାଦର ଡିଜିଟାଲ ପ୍ଲାଟଫର୍ମକୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର