ଭୁବନେଶ୍ବର: ଜ୍ଞାନ ଆହରଣ ଜୀବନର ମୂଳ ଲକ୍ଷ୍ୟ ହେବା ଉଚିତ। କେବଳ ପାଠପଢ଼ାରେ ସୀମିତ ନ ରହି ବିଭିନ୍ନ ଦିଗରେ ଦକ୍ଷତା ହାସଲ କରିବା ପାଇଁ ଛାତ୍ରଛାତ୍ରୀ ଆଗ୍ରହୀ ହୁଅନ୍ତୁ। ଉତ୍କୃଷ୍ଟ ଶିକ୍ଷା ଦ୍ବାରା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ଅଧିକ ମାର୍କ ପାଇବା ପାଇଁ ଛାତ୍ରଛାତ୍ରୀ ଚାପଗ୍ରସ୍ତ ହେଉଛନ୍ତି। ଯୁବପିଢ଼ି ବିଶେଷ କରି କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ବଢ଼ିବାରେ ଲାଗିଛି। ଏଥିଲାଗି ସାମାଜିକ, ଆଧ୍ୟାତ୍ମିକ, ମାନସିକ, ଶାରୀରିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀ ସର୍ବୋପରି ଅଭିଭାବକମାନେ ଧ୍ୟାନ ଦେବା ଜରୁରି। ‘ସମ୍ବାଦ ଡିଜିଟା‌ଲ’ ପକ୍ଷରୁ ସିବିଏସ୍‌ଇ ଓ ଆଇସିଏସ୍‌ଇ ଦଶମ, ଦ୍ବାଦଶ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ‘ଅଗ୍ରୟୋଧି ସମ୍ମାନ-୨୦୨୫’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶି‌ଷ୍ଟ ଚିକିତ୍ସକ ପଦ୍ମଶ୍ରୀ ଡା.ଅଶୋକ ମହାପାତ୍ର ଏହା କହିଛନ୍ତି।

Advertisment

ମୁଖ୍ୟବକ୍ତା ଏମ୍‌ଜିଏମ୍‌ ଗ୍ରିନ୍‌ର ପରିଚାଳନା ନିର୍ଦ୍ଦେଶକ ଇଂ. ରାଜୀବ ଲୋଚନ ମହାନ୍ତି କହିଲେ, ଶିକ୍ଷାରେ ମନୋନିବେଶ ଦ୍ବାରା ଭବି‌ଷ୍ୟତ ଉଜ୍ଜ୍ବଳମୟ ହୋଇଥାଏ। ମେଧାବୀ ଛାତ୍ରଛାତ୍ରୀମାନେ ସମାଜର ସମ୍ପଦ। ସେମାନଙ୍କର ସୁରକ୍ଷା ଓ ଅଭିବୃଦ୍ଧି ଦେଶକୁ ପ୍ରଗତି ପଥରେ ଆଗେଇ ନେଇଥାଏ। ଭବିଷ୍ୟତ‌ରେ ଏହି ଯୋଦ୍ଧାମାନେ ଶିକ୍ଷାକୁ ଆୟୁଧ କରି ସୁସ୍ଥ ଓ ଶିକ୍ଷିତ ସମାଜ ଗଠନରେ ସହାୟକ ହେବେ ବୋଲି ଶ୍ରୀ ମହାନ୍ତି ମତ ଦେଇଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ବର୍ତ୍ତମାନ ସମୟରେ ବୃତ୍ତିଚୟନ ଏକ ଆହ୍ବାନ ଭାବେ ଉଭା ହୋଇଛି। ଆମର ବୃତ୍ତି ଆମର ଭବିଷ୍ୟତକୁ ନିର୍ଣ୍ଣୟ କରିଥାଏ। ଏଣୁ ଆମର ପ୍ରବୃତ୍ତିକୁ ଦୃଷ୍ଟିରେ ରଖି ବୃତ୍ତି ଚୟନ କରିବାକୁ ହେବ। ଅଭିଭାବକଙ୍କ ସମର୍ଥନ ମିଳିଲେ ଛାତ୍ରଛାତ୍ରୀ ଜୀବନରେ ନିଶ୍ଚୟ ସଫଳତା ହାସଲ କରିବେ। ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ରାଜଯୋଟକ ପଡ଼ିଲେ ପିଲାମାନେ ଜଗତଜିତା ହେବେ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ। ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ମା’, ମାଟି, ମାତୃଭାଷାକୁ ସମ୍ମାନ ଦେବା ସହିତ ମୋବାଇଲ୍‌ ଉପରେ ନିୟନ୍ତ୍ରଣ ଏବଂ ମଦମୁକ୍ତ ଓଡ଼ିଶା ଗଠନରେ ଛାତ୍ରଛାତ୍ରୀଙ୍କୁ ଦୃଷ୍ଟି ଦେବାକୁ ହେବ। ଏଥିସହ ନିରୋଗ ରହିବା, ନିରାଡ଼ମ୍ବର ଜୀବନଯାପନ, ନିରହଙ୍କାର ମନୋଭାବ, ନିଡର ରହିବା ଏବଂ ନିଶାମୁକ୍ତ ସମାଜ ପ୍ରତି ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜୟ ବାହାଦୁର ସିଂହ ଯୋଗଦେଇ କହିଲେ, ଏହି ମେଧାବୀ ଛାତ୍ରଛାତ୍ରୀମାନେ ନିଜର ଉଦ୍ୟମ ବଳରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ଏହି କୃତୀ ପ୍ରତିଭାମାନଙ୍କ ଦ୍ବାରା ଓଡ଼ିଶା ବିକଶିତ ହୋଇପାରିବ। ଏଣୁ ଯୁବପ୍ରତିଭା ଉଦ୍ୟୋଗୀ ହେବାକୁ ସ୍ବପ୍ନ ଦେଖିବା ଜରୁରି। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲାଗି ଇନ୍ଧନ ଭଳି କାମ କରିବ ବୋଲି ଶ୍ରୀ ସିଂହ ମତ ଦେଇଥିଲେ। ଏମ୍‌ଜିଏମ୍‌ ଓ ଆକାଶ ଗ୍ରୁପ୍‌ର ମିଳିତ ଉଦ୍ୟମରେ ଆର୍ଥିକ ଦୁର୍ବଳ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ ପଢ଼ିବାର ସୁବିଧା ପାଇଁ ୧୦ଲକ୍ଷ ଟଙ୍କାର ମେଧାବୃତ୍ତି ଘୋଷଣା କରାଯାଇଥିଲା। ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ତରଫରୁ ବିକାଶ ଦାସ ଏହାକୁ ସଂଯୋଜନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି କ୍ରିଷ୍ଣା ବିକାଶ ଗ୍ରୁପ୍‌ ଅଫ୍‌ ସ୍କୁଲର ଅଧ୍ୟକ୍ଷ ଦସାରୀ ମୁରଲୀକ୍ରିଷ୍ଣା କହି‌ଲେ, ଛାତ୍ରଛାତ୍ରୀମାନେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନବା ଆବଶ୍ୟକ। ସମାଜ ପ୍ରତି ନିଜର କର୍ତ୍ତବ୍ୟକୁ ସମ୍ମାନ ଦେବା ସହିତ ସମାଜ ପାଇଁ କିଛି କରିବାକୁ ଯୁବବର୍ଗଙ୍କ ମଧ୍ୟରେ ଜିଦ୍‌ ରହିବା ଉଚିତ। ଏଥିପାଇଁ ଆତ୍ମ ସଚେତନତା ଜରୁରି। କାରଣ ଶିକ୍ଷା ହିଁ ଏକ ମାତ୍ର ବିକଳ୍ପ ବୋଲି ସେ ମତ ଦେଇଥିଲେ।

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ଡ.ମୋନିକା ନୈୟର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଲେ, ଜୀବନରେ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ନିଜର ଭବିଷ୍ୟତକୁ ନିଜକୁ ହିଁ ନିର୍ମାଣ କରିବାକୁ ହେବ। ସଫଳତାର ସିଡ଼ି ଚଢ଼ିବାକୁ ହେଲେ ଆସୁଥିବା ଆହ୍ବାନକୁ ଏକନି‌‌ଷ୍ଠ ହୋଇ ମୁକାବିଲା କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ୪୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ମେଡାଲ୍‌ ପ୍ରଦାନ କରାଯାଇଥିଲା। ଶୀର୍ଷ ୨୦ରେ ରହିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ନିଷ୍ଟ ବ୍ରହ୍ମପୁର ପକ୍ଷରୁ ଡ. ପ୍ରୀତିରଂଜନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଉତ୍ସବକୁ ଡିଜିଏମ୍‌ (ମାର୍କେଟିଂ) ସୁଶାନ୍ତ କୁମାର ମହାପାତ୍ର ପରିଚାଳନା କରିଥିଲେ। ‘ସମ୍ବାଦ’ ଡିଜିଟାଲର ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।