‘ସମ୍ବାଦ ଡିଜିଟାଲ୍‌’ର ପୁରସ୍କାର ବିତରଣ ଉତ୍ସବ: ପୁରସ୍କୃତ ହେଲେ ୬୦ ପ୍ରତିଯୋଗୀ

ରାଖୀ ପୂର୍ଣ୍ଣିମା ଓ ପିତୃ ଦିବସ ବାର୍ତ୍ତା ଭିଡିଓ ପ୍ରତିଯୋଗିତା

ଭୁବନେଶ୍ବର : ରାଖୀ ପୂର୍ଣ୍ଣିମା ଓ ପିତୃ ଦିବସ ଅବସରରେ ‘ସମ୍ବାଦ ଡିଜିଟାଲ୍‌’ ପକ୍ଷରୁ ଅନୁଷ୍ଠିତ ବାର୍ତ୍ତା ଭିଡିଓ ପ୍ରତିଯୋଗିତାର ପୁରସ୍କାର ବିତରଣ ସମାରୋହ ଆଜି ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ହୋଇଯାଇଛି।

‘ସମ୍ବାଦ ଡିଜିଟାଲ୍‌’ ପକ୍ଷରୁ ତଥା ‘ଫ୍ରୋଜ୍‌ଇଟ୍‌’ର ମୁଖ୍ୟ ପୃଷ୍ଠପୋଷକତାରେ ରାଖୀ ପୂର୍ଣ୍ଣିମା ଅବସରରେ ଅଗଷ୍ଟ ୨୫ରେ ଆୟୋଜିତ ‘ସମ୍ପର୍କର ଡୋରି’ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରଥମ ପର୍ଯ୍ୟାୟରେ ପୁରସ୍କୃତ କରାଯାଇଥିଲା। ରାଖୀ ଅବସରରେ ନିଜ ଭାଇ ହାତରେ ରାଖୀ ବାନ୍ଧୁଥିବାର ତଥା ଭାଇଭଉଣୀ ବନ୍ଧନ ସ୍ନେହପ୍ରେମକୁ କ୍ୟାମେରାରେ କଏଦ୍‌ କରି ପଠାଇବା ପ୍ରତିଯୋଗିତାର ବିଷୟବସ୍ତୁ ଥିଲା। ପ୍ରତିଯୋଗିତା ଜରିଆରେ ଓଡ଼ିଶାର କୋଣ ଅନୁକୋଣରୁ ୨୯୦ରୁ ଅଧିକ ଭିଡିଓ ପହଞ୍ଚିଥିବା ବେଳେ ବିଚାରକମାନେ ସେଥିମଧ୍ୟରୁ ୧୦ଟି ଶ୍ରେଷ୍ଠ ଭିଡିଓକୁ ବାଛିଥିଲେ। ଏହି ୧୦ଟି ଭିଡିଓ ‘ସମ୍ବାଦ ଗ୍ରୁପ୍‌’ର ଲୋକପ୍ରିୟ ସା‌ମାଜିକ ଗଣମାଧ୍ୟମ ‘ମଞ୍ଜରୀ ଟିଭି ଫେସ୍‌ବୁକ୍‌ ପେଜ୍‌’ରେ ପ୍ରସାରିତ ହୋଇଥିଲା। ଆଜି ଏହି ଶ୍ରେଷ୍ଠ ୧୦ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଫେସ୍‌ବୁକ୍‌ ପେଜ୍‌ରେ ପ୍ରତି ଭିଡିଓର ଲାଇକ୍‌, ସେୟାର ଓ କମେଣ୍ଟ ଆଧାରରେ ପ୍ରତିଯୋଗୀମାନଙ୍କୁ ଫ୍ରୋଜ୍‌ଇଟ୍‌ ପକ୍ଷରୁ ସ୍ବତନ୍ତ୍ର ପୁରସ୍କାର ଦିଆଯାଇଥିଲା।

ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ, ପିତୃ ଦିବସ ଅବସରରେ ଜୁନ୍‌ରେ ଆୟୋଜିତ ‘ମାଇଁ ଫାଦର୍‌ ମାଇଁ ହିରୋ’ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାର ମୁଖ୍ୟ ପ୍ରାୟୋଜକ ‘ରୁଚି ଫୁଡ୍‌ ଲାଇନ୍‌’ ଥିବା ବେଳେ ଫ୍ରୋଜ୍‌ଇଟ୍‌, ଏଏସ୍‌ବିଏମ୍‌ ଓ ଉଡ୍‌ ଫାୟାର ବିରିୟାନି, ପିଜିଏଲ୍‌, ହୋଣ୍ଡା ଓ କାମ୍ୟା ପ୍ରମୁଖ ଅନ୍ୟ ପ୍ରାୟୋଜକ ଥିଲେ। ଏହି ପ୍ରତିଯୋଗିତା ଜରିଆରେ ୪୦୦ରୁ ଅଧିକ ଭିଡିଓ ଆସିଥିବା ବେଳେ ସେଥିରୁ ଶ୍ରେଷ୍ଠ ୫୦ଟି ଭିଡିଓ ସମ୍ବାଦ ଗ୍ରୁପ୍‌ର ସାମାଜିକ ଗଣମାଧ୍ୟମ ମଞ୍ଚରେ ପ୍ରସାରିତ ହୋଇଥିଲା। ପିତାଙ୍କ ପ୍ରତି ପିଲାମାନଙ୍କ ସ୍ନେହ, ପ୍ରେମ, ଭଲ ପାଇବା, ସମ୍ମାନ ଓ ଆଦର୍ଶକୁ ଉପସ୍ଥାପନା କରି ଏହାର ଭିଡିଓ ପଠାଇବା ପ୍ରତିଯୋଗିତାର ଶୀର୍ଷକ ଥିଲା। ଶ୍ରେଷ୍ଠ ୫୦ ଭିଡିଓ ପଠାଇଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ରୁଚି ଫୁଡ୍‌ ଲାଇନ୍‌ର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ ଓ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସମ୍ବାଦ ଡିଜିଟାଲ ତଥା ରେଡିଓ ଚକ୍‌ଲେଟ୍‌ର ସେଲ୍‌ସ୍‌ ଓ wwମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା ସ୍ବାଗତ ଭାଷଣ ଦେଇଥିଲେ। ସେଲ୍‌ସ୍‌ ଟିମ୍‌ ମୁଖ୍ୟ ଶୁଭେନ୍ଦୁ ନନ୍ଦ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର