‘ସମ୍ବାଦ’ ଡିଜିଟାଲ୍‌ର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ‘ଅଗ୍ରଯୋଦ୍ଧୀ-୨୦୨୪’

‘ଘୋଡ଼ାଚଢ଼ କି ଘାସକାଟ, ଶ୍ରେଷ୍ଠ ହୁଅ’

ଭୁବନେଶ୍ବର: ‘‘ଦଶମ କିମ୍ବା ଯୁକ୍ତଦୁଇରେ ଭଲ ନମ୍ବର ରଖିବା ମାନେ ନୁହେଁ ଜୀବନର ସବୁ ପରୀକ୍ଷାରେ ଭଲ କରିବା। ଦଶମରେ ଟପ୍ପର ହେଉଥିବା ପିଲା ଯୁକ୍ତଦୁଇରେ ଫେଲ୍‌ ହେବାର ଅନେକ ଉଦାହରଣ ରହିଛି। ଏବେ ସମ୍ପୂର୍ଣ୍ଣ ବିଶ୍ବ ପ୍ରତିଯୋଗିତାରେ ଭରି ରହିଛି। ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ (ଏଆଇ) ଅନେକ ଅସମ୍ଭବକୁ ସମ୍ଭବ କରିବାରେ ସଫଳ ହେଉଛି। ଏଭଳି ପରିବର୍ତ୍ତନଶୀଳ ସମୟରେ ପୂର୍ବ ସଫଳତାକୁ ଭୁଲିଯାଇ ଅଧିକରୁ ଅଧିକ ଜ୍ଞାନ ଆହରଣ ସହ ସୃଜନଶୀଳ ହେବାକୁ ପଡ଼ିବ। ସଂଘର୍ଷମୟ ଜୀବନ ଭିତରେ ପିଲାମାନେ ଯେଉଁ ବୃତ୍ତିରେ ରହନ୍ତୁ ନା କାହିଁକି, ସେମାନେ ଘୋଡ଼ାଚଢ଼ନ୍ତୁ କିମ୍ବା ଘାସ କାଟନ୍ତୁ, ସେଥିରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରନ୍ତୁ। ଦୁଃଖ ଓ ଅବସାଦକୁ ଦୂରେଇ ଖୁସିର ସହ ଜୀବନରେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ। ସବୁଠାରୁ ବଡ଼କଥା ହେଲା, କେବେହେଲେ ନିଜର ବୁଦ୍ଧି ଓ ବିବେକ ସହ ସାଲିସ କରନ୍ତୁ ନାହିଁ।’’ ‘ସମ୍ବାଦ ଡିଜିଟାଲ୍’ ପ୍ରୟାସରେ ଆଇଏମ୍‌ଏମ୍‌ଟି ପ୍ରେକ୍ଷାଳୟରେ ଆୟୋଜିତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ‘ଅଗ୍ରଯୋଦ୍ଧୀ-୨୦୨୪’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ପରାମର୍ଶ ଦେଇଛନ୍ତି ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ଜେନା।
ଉତ୍ସବରେ ମୁଖ୍ୟବକ୍ତା ଭାବେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ଯୋଗଦେଇ ଖୁବ୍‌ ସୁନ୍ଦର ଭାବେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ କଥା କହିଥିଲେ। ସେ କହିଲେ, ‘‘ପିଲାମାନେ ପ୍ରଥମେ ନିଜ ଘରୁ ଶିକ୍ଷା ଗ୍ରହଣ କରନ୍ତୁ। ମା’ମାନେ ହେଉଛନ୍ତି ପୃଥିବୀର ସବୁଠାରୁ ବଡ଼ ବୈଜ୍ଞାନିକ। ସେମାନେ ଜୀବନ କାଳ ଭିତରେ ଘର ସମ୍ଭାଳିବା ପାଇଁ ଯାହା ଯାହା କରିଥାନ୍ତି, ତାହା କେଉଁ ବୈଜ୍ଞାନିକଙ୍କ ଠାରୁ କମ୍‌ ନୁହେଁ। ‌ତେଣୁ ପିଲାମାନେ ପ୍ରଥମେ ନିଜ ଘରୁ ଶିଖନ୍ତୁ। କେବଳ ଯେ ପାଠ ପଢ଼ିଲେ, ଜ୍ଞାନ ଆହରଣ କଲେ ହେବ ନାହିଁ। ପିଲାଟି ସେତେବେଳେ ସଫଳ ହେବ, ଯେତେବେଳେ ସେ ନିଜର ଜ୍ଞାନ ଓ ବୁଦ୍ଧିକୁ ଉପଯୋଗ କରିବ।’’ ପିଲାମା‌ନେ ପାଠ ପଢ଼ିବା ସଙ୍ଗେ ସଙ୍ଗେ ପ୍ରତିଦିନ ଉପ‌ଯୋଗ କରିବା ଶିଖନ୍ତୁ ଏବଂ ନିଜକୁ ନିଜେ ପ୍ରେରଣା ଦିଅନ୍ତୁ ବୋଲି ଡ. ନାରାୟଣ କହିଥିଲେ। ବିଶିଷ୍ଟ ଅତିଥି ଭାବେ ବୁର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟିର ରେଜିଷ୍ଟ୍ରାର ପ୍ରଫେସର ବି.କେ ଦାସ ଯୋଗଦେଇ କହିଲେ, ‘‘ପିଲାମାନେ ଦଶମ ଓ ଯୁକ୍ତ୨ ପରେ ଧୀରେ ଧୀରେ ସ୍ବାଧୀନ ହୋଇଯାଆନ୍ତି। ସେହି ସ୍ବାଧୀନତାକୁ ସେମାନେ ସକରାତ୍ମକ ଦିଗରେ ନିବେଶ କରିବା ଜରୁରି। ଯାହା ଇଚ୍ଛା ହେଉଛି ପଢ଼ନ୍ତୁ, ମନୋରଂଜନ କରନ୍ତୁ ଓ ଭ୍ରମଣ କରନ୍ତୁ; କିନ୍ତୁ ପ୍ରଥମେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ। ସକାଳ ଜଳଖିଆକୁ କେବେ ହେଲେ ଅବହେଳା କରନ୍ତୁ ନାହିଁ। କାରଣ ସ୍ବାସ୍ଥ୍ୟ ହିଁ ସମ୍ପଦ। ଭଲ ଖାଦ୍ୟ, ଭଲ ଚିନ୍ତନ, ଯୋଗ, ବ୍ୟାୟାମ ଭଳି ସୁସ୍ଥ ଅଭ୍ୟାସ ସହ ପାଠ ପଢ଼ିଲେ ଅଧିକ ସଫଳତା ମିଳିବ।’’
‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ ସ୍ବାଗତ ବକ୍ତବ୍ୟ ଦେଇ ପିଲାମାନଙ୍କୁ କହିଥିଲେ, ‘‘ଆମ ଶିକ୍ଷା ବ୍ୟବସ୍ଥାରେ ଉତ୍କର୍ଷତାର ମାପକାଠି ହେଉଛି ନମ୍ବର। କିନ୍ତୁ ଏହି ନମ୍ବର ଜୀବନର ସବୁକିଛି ନୁହେଁ। ଏ ପୁରସ୍କାର କେବଳ ନମ୍ବର ପାଇଁ ନୁହେଁ, ନମ୍ବର ପଛରେ ଲୁଚି ରହିଥିବା ପିଲାମାନଙ୍କ କଠିନ ପରିଶ୍ରମ, ସମସ୍ତ ପ୍ରେରଣା, ସାହସ, ଲକ୍ଷ୍ୟ ହାସଲ କରିବାର ସ୍ବପ୍ନ ଏବଂ ସ୍ବପ୍ନ ପଛରେ ଥିବା ସଂଘର୍ଷ ପାଇଁ। ସେ ଆହୁରି ମଧ୍ୟ କହିଲେ, ଓଡ଼ିଆ ଅସ୍ମିତାର ମାନେ କାହା ପାଇଁ କେମିତି, କିନ୍ତୁ ମୁଁ ବୁଝେ, ଆମେ ଓଡ଼ିଆ ଓ ମୁଁ ଓଡ଼ିଆ କହିବା ପାଇଁ ଯେଉଁ ଗର୍ବ ଅନୁଭବ କରେ, ତାହା ହିଁ ମୋ ପାଇଁ ଓଡ଼ିଆ ଅସ୍ମିତା। ପିଲାମାନେ ଭବିଷ୍ୟତରେ ବହୁତ ବଡ଼ ହେବେ, ଭଲ ଚାକିରି କରିବେ। କିନ୍ତୁ ‌ପୃଥିବୀର ଯେ କୌଣସି କୋଣରେ ରହିଲେ ବି ଓଡ଼ିଶାକୁ ନିଜ ଭିତରେ ରଖନ୍ତୁ, ବର୍ଷକୁ ଅନ୍ତତଃ ଥରେ ଓଡ଼ିଶା ଆସନ୍ତୁ, ଓଡ଼ିଆରେ କଥା ହୁଅନ୍ତୁ ଏବଂ ନିଜ ପିଲାଙ୍କୁ ଓଡ଼ିଆ ଶିଖାନ୍ତୁ। ଏପରି ହେଲେ ଆଉ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ ଉଠିବ ନାହିଁ।’’ ସମ୍ବର୍ଦ୍ଧନା ଉତ୍ସବରେ ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ କହିଲେ, ‘‘ସମାଜରେ ପ୍ରତ୍ୟେକଙ୍କ ସ୍ବାତନ୍ତ୍ର୍ୟ ରହିଛି। ତେଣୁ ନିଜ ଉପରେ ବିଶ୍ବାସ ରଖି, ନିଜର ପ୍ରତିଭାକୁ ଚିହ୍ନି ଅଧିକ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ।’’
ଏହି ଅବସରରେ ସିବିଏସ୍ଇ ଦଶମ ଓ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୮ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଓଡ଼ିଶାର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର, ମେଡାଲ ସହ ଅଗ୍ରଯୋଦ୍ଧୀ ପାଠ୍ୟପୁସ୍ତକ ଅତିଥିମାନେ ପ୍ରଦାନ କରିଥିଲେ। ପରୀକ୍ଷାରେ ପଡ଼ୁଥିବା ପ୍ରଶ୍ନ ଓ ଉତ୍ତର ସମ୍ବଳିତ ଏକ ପୃଷ୍ଠା ପ୍ରତ୍ୟେକ ଦିନ ‘ସମ୍ବାଦ’ରେ ଗତ ନଭେମ୍ବର ମାସରୁ ‌ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପ୍ରକାଶ ପାଇଥିଲା। ଏହାକୁ ପ୍ରସ୍ତୁତ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ମିଠୁ ଚାଟାର୍ଜୀ, ରିମ୍‌ଝିମ୍‌ ଝା, ଦୀପେଶ ବୁଦ୍ଧଦେବ, ରାକେଶ କୁମାର ମହାପାତ୍ର, କୁମାରୀ ପୁଷ୍ପା ସିଂହ, ଦେବଦତ୍ତ ମିଶ୍ର, ମନୋରଂଜନ ବେହେରା, ପ୍ରିୟଙ୍କା ପଣ୍ଡା, ବିଶ୍ବରଂଜନ ‌ଦାସ, ଲିପ୍ସା ଶତପଥୀ, ମୀରାମ୍ବିକା ମିଶ୍ର ଓ ନାଜିନ୍‌ କଲିମ୍‌। ଏଥିସହ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ପ୍ରାୟୋଜକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିଜସ୍ବ କାର୍ଯ୍ୟକ୍ରମ ‘ଜିଜ୍ଞାସା’କୁ ଛାତ୍ରଛାତ୍ରୀମା‌ନେ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ବୈଜ୍ଞାନିକ ଦେବୀ ପ୍ରସାଦ ଦାସଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର