‘ସମ୍ବାଦ’ର ପ୍ରଭାବ: ନୂଆପଡ଼ା ପେକ୍ସ ସଂପାଦକ ନିଲମ୍ବିତ, ୩ ଡିଇଓ ବହିଷ୍କୃତ

ପେକ୍ସର ଅବହେଳାରୁ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବା ଘଟଣା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦରସ୍ଥିତ ସମବାୟ ସମିତି (ପେକ୍ସ) କର୍ମଚାରୀଙ୍କ ଅବହେଳା ହେତୁ ଚଳିତ ରବି ଋତୁରେ ୨୮୬ ଜଣ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ଏ ସଂପର୍କରେ ମଙ୍ଗଳବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଜିଲ୍ଲାପାଳ ନୂଆପଡ଼ା ପେକ୍ସ ସଂପାଦକ ଦୟାଲାଲ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହିତ ଏହି ପେକ୍ସର ୨ଜଣ ଡାଟା ‌ଏଣ୍ଟ୍ରି ଅପରେଟର (ଡିଇଓ) ଦୀନେଶ ସାହୁ ଓ ରୋହିତ ସାହୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସେହିପରି ତୁକଲା ପେକ୍ସର ଜଣେ ଡିଇଓ ନୀଳକଣ୍ଠ ବେହେରାଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରିଥିବା ସୂଚନା ମିଳିଛି।

ପ୍ରକାଶ ଯେ ଚଳିତ ବର୍ଷ ରବି ଧାନ ବିକ୍ରି ପାଇଁ ନୂଆପଡ଼ା ପେକ୍ସରେ ୬୦୦ ଜଣ ଚାଷୀ ଆବେଦନ କରିଥିଲେ। ପେକ୍ସ ଏହି ଚାଷୀମାନଙ୍କ ଆବେଦନର ତଦନ୍ତ କରି ଯୋଗାଣ ବିଭାଗକୁ ରିପୋର୍ଟ ନିର୍ଦ୍ଧାରିତ ସମୟରେ ଦେବା କଥା। ହେଲେ ପେକ୍ସର କର୍ମଚାରୀମାନେ ୨୮୬ଜଣ ଚାଷୀଙ୍କ ତଦନ୍ତ ରିପୋର୍ଟ ଦେଇ ନଥଇବାରୁ ସେମାନେ ରବି ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ସୋମବାର ନୂଆପଡ଼ା ପେକ୍ସର ଚାଷୀମାନେ ଯୋଗାଣ ଅଧିକାରୀଙ୍କ ଅଫିସ ଘେରାଉ କରିଥିଲେ। ଏ ସଂପର୍କରେ ମଙ୍ଗଳବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଚିଠି ନଂ ୫୮୮/୧.୬.୨୧ ଅନୁସାରେ ନୂଆପଡ଼ା ପେକ୍ସ ସଂପାଦକ ‌ଶ୍ରୀ ସାହୁଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ଚିଠି ନଂ ୫୯୬/୧.୬.୨୧ରେ ‌ନୂଆପଡ଼ା ପେକ୍ସର ଡିଇଓ ଦୀନେଶ ସାହୁ ଓ ରୋହିତ ସାହୁଙ୍କୁ ବହିଷ୍କାର କରାଯାଇଛି। ସେହିପରି ତୁକୁଲା ପେକ୍ସରେ ମଧ୍ୟ ଚାଷୀମାନଙ୍କ ତଦନ୍ତ ରିପୋର୍ଟ ଅଧିକାରୀଙ୍କୁ ଦେଇନଥିବାରୁ ଜିଲ୍ଲାପାଳଙ୍କ ନିର୍ଦେଶରେ ନୂଆପଡ଼ା ଏଆର୍‌ସିଏସ୍‌ ଅଫିସ ଚିଠି ନଂ ୬୦୨/୧.୬.୨୧ରେ ଡିଇଓ ନୀଳକଣ୍ଠ ବେହେରାଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର