କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଭର୍ତ୍ତି ହୋଇନପାରି ଫୁଟ୍ପାଥ୍ରେ ପଡିଥିବା ସୁନ୍ଦରଗଡ଼ର କର୍କଟ ରୋଗୀଙ୍କ ସଂପର୍କରେ ଆଜି 'ସମ୍ବାଦ'ରେ ଖବର ପ୍ରକାଶ ପାଇଥିଲା। ଫଳରେ ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍ ଅନ୍ତର୍ଗତ କଚାରୁ ଗ୍ରାମର କର୍କଟ ରୋଗୀ ଶାଳିନୀ ବେକ୍ଙ୍କୁ ତୁରନ୍ତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସରରେ ଥିବା ଧର୍ମଶାଳାରେ ଭର୍ତ୍ତି କରିଥିଲେ। ତାଙ୍କ ବୃଦ୍ଧ ସ୍ବାମୀଙ୍କୁ ମଧ୍ୟ ସେଠାରେ ରଖାଯାଇଛି। ତାଙ୍କର ଚିକିତ୍ସା ସହ ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିବା ଉପଜିଲ୍ଲାପା ଶୁଭ୍ରାଂଶୁ ମିଶ୍ର ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ସୁରନ୍ଦଗଡରୁ ଆସି ଆଚାର୍ଯ୍ୟ ହରିହରରେ ୫ ଦିନ ହେଲା ପଡି ରହିଥିଲେ ସୁଦ୍ଧା ତାଙ୍କର ଚିକିତ୍ସା ହୋଇପାରୁନଥିଲା। ଏପରିକି କର୍କଟ ରୋଗ ସଂପର୍କିତ ରିପୋର୍ଟ ଆସିନଥିବାରୁ ସେମାନେ ଫୁଟପାଥ୍ରେ ପଡି ରହିଥିଲେ। ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ରିପୋର୍ଟ ଅପେକ୍ଷାରେ ରୋଗୀ ପଡିଥିଲେ ସୁଦ୍ଧା ସେମାନଙ୍କୁ ଏବେ କରୋନା ସ୍ଥିତି ଯୋଗୁଁ ୱାର୍ଡରେ ଭର୍ତ୍ତି କରାଯାଉନାହିଁ। କିନ୍ତୁ ଏଭଳି ସ୍ଥିତିରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ହନ୍ତସନ୍ତ ହେଉଛନ୍ତି। ଏ ସଂକ୍ରାନ୍ତରେ ସମ୍ବାଦରେ ରିପୋର୍ଟ ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।