ରାଉରକେଲା/ନୂଆଗାଁ: ପାନୀୟ ଜଳ ପାଇଁ ଝାଡ଼ଖଣ୍ଡ ଉପରେ ନିର୍ଭରଶୀଳ ଓଡ଼ିଶାର ସୀମାନ୍ତ ଗାଁ’ରେ ରହୁଥିବା ଆଦିବାସୀ ବସ୍ତିବାସିନ୍ଦାଙ୍କ ମୁହଁରେ ହସ ଫୁଟିଛି। ‘ସମ୍ବାଦ’ରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଅଧିକାରୀ ତତ୍ପର ହୋଇଛନ୍ତି। ଆଜି ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସୀମାନ୍ତ ନୂଆଗାଁ ବ୍ଲକ ଚିତାପେଡ଼ି ପଞ୍ଚାୟତ ପାନିଆସାଲ୍ ଓରାମ ବସ୍ତିବାସିନ୍ଦାଙ୍କ ଦୀର୍ଘଦିନର ସମସ୍ୟା ଦୂର ହୋଇଛି। ଅଚଳ ହୋଇ ପଡ଼ିଥିବା ନଳକୂପକୁ ଯୁଦ୍ଧକାଳୀନଭିତ୍ତିରେ ମରାମତି କରିବା ପରେ ବସ୍ତିବାସିନ୍ଦା ପାନୀୟ ଜଳ ପାଇଛନ୍ତି। ପରବର୍ତ୍ତୀ ସମୟରେ ଅନ୍ୟ ବସ୍ତିଗୁଡ଼ିକରେ ଅଚଳ ହୋଇଥିବା ନଳକୂପଗୁଡ଼ିକ ମରାମତି କରାଯିବା ସହ ଆବଶ୍ୟକସ୍ଥଳେ ନୂଆ ନଳକୂପ ବସାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏଥିପାଇଁ ଓରାମବସ୍ତିର ଦିଲୀପ ଲାଖୱା, ବିଷ୍ଣୁ ଲାଖୱା, ରମେଶ ତିୱାରୀ, ଛୋଟୁ ନାୟକ, ଫୁଲକୁମାରୀ ଲାଖୱା, ଉର୍ମିଳା ଲାଖୱା, ସନ୍ତରି ଲାଖୱା, ସରସ୍ବତୀ ଲାଖୱା, କମଳା ଲାଖୱା ପ୍ରମୁଖ ‘ସମ୍ବାଦ’କୁ ଧନ୍ୟବାଦ ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଉକ୍ତ ଓରାମବସ୍ତିରେ ୧୫୦ରୁ ଅଧିକ ଲୋକ ବାସ କରନ୍ତି। ବସ୍ତିବାସିନ୍ଦାଙ୍କ ପ୍ରମୁଖ ସମସ୍ୟା ହେଲା ପାନୀୟ ଜଳ। ବହୁଦିନର ଦାବି ପରେ ପଞ୍ଚାୟତ ପକ୍ଷରୁ ଏକ ନଳକୂପ ବସିଥିଲା।। ତାହା ଏବେ ଅଚଳ ହୋଇ ପଡ଼ିଥିଲା। କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ କିଛି ପରିବାର ବସ୍ତି ନିକଟ ପାହାଡ଼ ପାଦଦେଶ ଜଙ୍ଗଲି ନାଳରେ ଚୁଆଁ (ବାଲି କୂପ) ଖୋଳି ସେଥିରୁ ପାଣି ସଂଗ୍ରହ କରୁଥିଲେ। ଚୁଆଁରେ ପାଣି ସରିଗଲେ ମାଡ଼ ଭୟରେ ପଡୋଶୀ ଝାଡ଼ଖଣ୍ଡର ଗ୍ରାମକୁ ନଯାଇ କିଛି ପରିବାର ପାହାଡ଼ ଚଢ଼ି ଅନ୍ୟ ଗ୍ରାମକୁ ପାଣି ଆଣିବାକୁ ଯାଉଥିଲେ। ବିକଳ୍ପ ବ୍ୟବସ୍ଥା ନଥିବାରୁ କିନ୍ତୁ ଅଧିକାଂଶ ପରିବାର ସୀମା ଆରପଟେ ଥିବା ଝାଡଖଣ୍ଡର ଗାଁ’କୁ ଯିବାକୁ ବାଧ୍ୟ ହେଉଥିଲେ। ବସ୍ତିରେ କେବଳ ପାନୀୟ ଜଳ ସମସ୍ୟା ନୁହେଁ, ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନାହିଁ। ଥରେ ବଜୁଳି କଟିଗଲେ, ୩/୪ ମାସ ପରେ ଆସେ। ପାହାଡ ଜଙ୍ଗଲଘେରା ଅଞ୍ଚଳ ହୋଇଥିବାରୁ ହାତୀ ଭୟରେ ସଂଧ୍ୟା ହେଲେ ଲୋକେ ଘରୁ ବାହାରନ୍ତି ନାହିଁ। କେବଳ ଏହି ଗୋଟିଏ ବସ୍ତି ନୁହେଁ, ନୂଆଗାଁର ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଗଡ଼ବୁରୁ, ଆରାଆଁସ, ପିତଲ ଆଦି ବହୁ ଗାଁର ଅନେକ ବସ୍ତିରେ ଶହଶହ ପରିବାର ବର୍ଷବର୍ଷ ଧରି ଯାବତୀୟ ସମସ୍ୟା ଭୋଗି ଆସୁଛନ୍ତି। ସେଥି ମଧ୍ୟରୁ ପାନୀୟ ଜଳର ଅଭାବ ସବୁଠୁ ସମସ୍ୟା ଭାବେ ଉଭା ହୋଇଥିଲା।