ସମ୍ବାଦ ପ୍ରଭାବ: ଏସ୍‌ସିବିରୁ ଉଠିଯିବ କରୋନା ୱାର୍ଡ

ଟାଙ୍ଗୀ ଡ୍ରିମ୍ସ୍‌ରେ ହେବ ସ୍ବତନ୍ତ୍ର କରୋନା ହସ୍ପିଟାଲ, ଚିକିତ୍ସା ପାଇଁ ଯିବେ ଏସ୍‌ସିବି ଡାକ୍ତର, କର୍ମଚାରୀ

କଟକ: ଏସ୍‌ସିବିରୁ ଉଠିଯିବ କରୋନା ୱାର୍ଡ। କଟକ ସହରର ଅନତିଦୂର ଟାଙ୍ଗୀର ଡ୍ରିମ୍ସ କଲେଜଠାରେ ସ୍ବତନ୍ତ୍ର କରୋନା ହସ୍ପିଟାଲ ଖୋଲାଯିବ। ଏଥିରେ ୫୦୦ ଶଯ୍ୟା ଓ ୫୦ଟି ଆଇସିୟୁ ୟୁନିଟ୍‌ ରହିବ। ଏହି ବ୍ୟବସ୍ଥାକୁ ତ୍ବରାନ୍ବିିତ କରିବା ପାଇଁ କେନ୍ଦ୍ର‌ାଞ୍ଚଳ ରାଜସ୍ବ କମିସନରଙ୍କ ନେତୃତ୍ବରେ ଏକ ଟିମ୍‌ ଡ୍ରିିମ୍ସ କଲେଜ ପରିଦର୍ଶନ କରିଛନ୍ତି। ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ପୂୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜନଗହଳି ସ୍ଥାନରେ କରୋନା ୱାର୍ଡ ରହିପାରିବନି। ଏହାକୁ ଦୃଷ୍ଟିରେ ରଖି ଏସ୍‌ସିପି ଓ କଟକ ଜିଲ୍ଲା ପ୍ରଶାସନ କରୋନା ୱାର୍ଡକୁ ଡ୍ରିମ୍ସ କଲେଜ ପରିସରକୁ ସ୍ଥାନାନ୍ତର କରିବା ପାଇଁ ମିଳିତ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପୁରୁଷ ଛାତ୍ରାବାସର ୩୦୪ଟି କୋଠରି ଓ ମହିଳା ଛାତ୍ରାବାସର ୧୩୦ଟି କୋଠରିକୁ ପ୍ରଶାସନ ନିଜ ହାତକୁ ନେଇଛି।

ସୂଚନା ଅନୁସାରେ, ପ୍ରଶାସନିକ ଭବନରେ ଥିବା ଗୋଟିକିଆ କୋଠରିକୁ ଆଇସିୟୁ କରାଯିବ। ଡ୍ରିମ୍ସ ପରିସରରେ ଓପିଡି କାଉଣ୍ଟର, ପରୀକ୍ଷାଗାର, ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଯୁଦ୍ଧକାଳୀନ ଭିତ୍ତିରେ ଏହି କାମ କରାଯିବ। ଆସନ୍ତା ୧୦ ଦିନ ଭିତରେ ସାରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଏ ସଂପର୍କରେ ଭିତ୍ତିଭୂମିର ଯାଞ୍ଚ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଅନିଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଏସ୍‌ସିବିର ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ, ପିଡିଡିଆରଡିଏ ଅବଦଲ୍‌ ଅକ୍‌ତର, ଏସ୍‌ସିବି କରୋନା ୱାର୍ଡର ନୋଡାଲ ଅଧିକାରୀ ତଥା ପଲ୍ୟୁମୁନାରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ଡ୍ରିମ୍ସ କଲେଜର ଅଧ୍ୟକ୍ଷ ପ୍ରମୋଦ ରଥ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ଏମ୍‌ଆର ଖାନ୍‌ ପ୍ରମୁଖ ଡ୍ରିମ୍ସରେ ପହଞ୍ଚି ଭିତ୍ତିଭୂମି ଯାଞ୍ଚ କରିଥିଲେ। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯାଇ ଏସସିବିରେ ରହିଥିବା କରୋନା ୱାର୍ଡକୁ ଡ୍ରିମ୍ସ ପରିସରକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି। ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ସଂପର୍କରେ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ଏସ୍‌ସିବିକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟହ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ଅନେକ ଗୁରୁତର ରୋଗୀ ଆସୁଥିବାବେଳେ ଏସ୍‌ସିବି ଚକ୍ଷୁ ବିଭାଗ ତଥା ସାଧାରଣ ବର୍ହିବିଭାଗ ଓପିଡିର ୪ର୍ଥ ମହଲାରେ ଖୋଲାଯାଇଥିଲା ସ୍ବତନ୍ତ୍ର କରୋନା ୱାର୍ଡ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିବାବେଳେ ଏ ସଂପର୍କରେ ‘ସମ୍ବାଦ’ରେ ବାରମ୍ବାର ରିପୋର୍ଟ ପ୍ରକା‌ଶ ପାଇଥିଲା। ଯାହାଫଳରେ ୩ଦିନ ତଳେ ସାଧାରଣ ବର୍ହିବିଭାଗ ଓପିଡିକୁ ପୁରୁଣା ଆଉଟ୍‌ଡୋର କୋଠାକୁ ସ୍ଥାନାନ୍ତର କରାଯାଇଥିଲା। ଏ ସଂପର୍କରେ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲଙ୍କ କହିବା ଅନୁସାରେ, ସ୍ବତନ୍ତ୍ରଭାବେ କରୋନା ହସ୍ପିଟାଲ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଡ୍ରିମ୍ସରେ ଆଜି ଭିତ୍ତିଭୂମି ଯାଂଚ ସରିଛି। ଦଶ ଦିନ ଭିତରେ ଏହାର କାମ ସାରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର କରୋନା ହସ୍ପିଟାଲ ଖୋଲିବା ପାଇଁ ଯୋଜନା କରିଥିବାବେଳେ ଏଥିପାଇଁ ଏସ୍‌ସିବିରୁ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ନେବା ପାଇଁ ଯୋଜନା ଚାଲିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର