ବ୍ରହ୍ମପୁର : ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ବୁଧବାର ଦିନ 'ସମ୍ବାଦ'ରେ କାର୍ଯ୍ୟରତ ଆଉ ଜଣେ କର୍ମଚାରୀଙ୍କ ଦେହାନ୍ତ ଘଟିଛି। ଭୁବନେଶ୍ବର 'ସମ୍ବାଦ' ମୁଖ୍ୟାଳୟରେ ପ୍ରିଣ୍ଟିଂ ୟୁନିଟ୍ର ମେସିନ ସହଯୋଗୀ ଭାବେ କାର୍ଯ୍ୟରତ ପି.ପ୍ରଭାକର ରାଓ(୪୮)ଙ୍କର ବୁଧବାର ବ୍ରହ୍ମପୁରସ୍ଥିତ ଏମ୍କେସିଜି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
କୁକୁଡ଼ାଖଣ୍ତି ବ୍ଳକ୍ ଜଗଦଳପୁରର ମୂଳବାସିନ୍ଦା ସ୍ବର୍ଗତ ରାଓ ଦୀର୍ଘ ୧୫ବର୍ଷ ଧରି ବ୍ରହ୍ମପୁର ଆଙ୍କୁଲି ଠାରେ ପରିବାର ସହ ରହି ଆସୁଥିଲେ। ଗତ କିଛିଦିନ ଧରି ଅସୁସ୍ଥତା ଅନୁଭବ କରିବା ପରେ ଚଳିତ ମାସ ୯ତାରିଖରେ ଏମ୍କେସିଜି କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଗତକାଲି ବିଳମ୍ବିତ ରାତି ୨ଟା୪୫ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଥିଲା। ବୁଧବାର ମଧୢାହ୍ନରେ ସ୍ଥାନୀୟ ନୀଳକଣ୍ଠେଶ୍ବର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ସ୍ବର୍ଗତ ରାଓଙ୍କ ବଡ଼ଭାଇ ପି. ପ୍ରସାଦଙ୍କ ଠାରୁ ଜଣାପଡ଼ିଛି।
ସ୍ବର୍ଗତ ରାଓଙ୍କ ପତ୍ନୀ ପି. ସୁଜତା ଓ ଦୁଇପୁତ୍ର ଈଶ୍ବର ଓ ମହେଶ ଶ୍ମଶାନ ନିକଟକୁ ଯାଇ ସ୍ବର୍ଗତ ରାଓଙ୍କୁ ଶେଷ ଦର୍ଶନ କରିଥିଲେ। ଏହି ଦୁଃଖଦ ଖବର ପାଇ 'ସମ୍ବାଦ' ସ˚ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।