ପ୍ରଜ୍ଞାଦୀପ୍ତ ଜାତୀୟତାର ରାଜ୍ୟ ଓଡ଼ିଶା: ରାଜ୍ୟପାଳ

‘ବ୍ରାଣ୍ଡସ୍‌ ଅଫ୍‌ ଇଣ୍ଡିଆ ପ୍ରାଇଡ୍‌ ଅଫ୍‌ ଓଡିଶା’ ସମ୍ବାଦ ଏକ୍ସଲେନ୍‌ସ୍‌ ଆୱାର୍ଡସ: ୧୭ ସଂସ୍ଥା ସମ୍ବର୍ଦ୍ଧିତ

ରାଷ୍ଟ୍ର ଗଠନରେ ସହଯୋଗ ଓ ସହାବସ୍ଥାନ ଲୋଡ଼ା: ରାଜ୍ୟପାଳ
ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ‘ସମ୍ବାଦ’ ନିଜେ ଏକ ବଡ଼ ବ୍ରାଣ୍ଡ୍‌; ‘ସମ୍ବାଦ ଗ୍ରୁପ୍‌’ର ଉଦ୍ୟମ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେଉଛି: ମୁଖ୍ୟମନ୍ତ୍ରୀ
ଉତ୍କର୍ଷର ଉପାସକ ସାଜିଲେ ଓଡ଼ିଶା ପୁଣି ଏକ ଶକ୍ତିଶାଳୀ ବ୍ରାଣ୍ଡ ହୋଇପାରିବ: ସୌମ୍ୟରଞ୍ଜନ

ଭୁବନେଶ୍ବର : ଏକ ସଚେତନ ସମ୍ପନ୍ନ ରାଷ୍ଟ୍ର ଗଠନ ବର୍ତ୍ତମାନ ସମୟର ଆହ୍ୱାନ ହୋଇଛି। ଏଥିପାଇଁ ସମସ୍ତେ ସଚେତନ ହେବା ସହ ପରସ୍ପର ମଧ୍ୟରେ ସହଯୋଗ ଓ ଉପଯୁକ୍ତ ସହାବସ୍ଥାନର ଆବଶ୍ୟକତା ରହିଛି। ଶୁକ୍ରବାର ଦିନ ସମ୍ବାଦ ଗ୍ରୁପ୍‌ ପକ୍ଷରୁ ହୋଟେଲ୍‌ ମେ’ ଫେୟାର ପରିସରରେ ଆୟୋଜିତ ‘ବ୍ରାଣ୍ଡ୍‌ସ୍‌ ଅଫ୍ ଓଡିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

କ‌ର୍ପୋରେଟ୍‌ ଜଗତରେ ଚାଲିଥିବା କିଛି ଅନାବଶ୍ୟକ ପ୍ରତିଯୋଗିତାକୁ ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରିଥିଲେ। ‌ସେ କହିଥିଲେ ଯେ ଅନେକ ସମୟରେ କର୍ପୋରେଟ୍‌ ଜଗତରେ ଲାଭ ଲୋଭ ପ୍ରତିଯୋଗିତା ଚାଲିଛି। ଫଳରେ ଷଡ଼୍‌ଯନ୍ତ୍ର ଓ ଦୁର୍ନୀତି ହେବାର ନଜିର ଦେଖାଯାଉଛି। ମନ ଭିତରେ ଜଳୁଥିବା ଅର୍ଥ ଲୋଭର ଜ୍ବାଳା ଅନେକ ସମୟରେ ପ୍ରଳୟକୁ ଆମନ୍ତ୍ରଣ କରୁଛି। ଏହା ସମ୍ପୃକ୍ତ ପ୍ରତିଷ୍ଠାନର ଗୌରବ କ୍ଷୁଣ୍ଣ କରିବା ସହ ଜାତିର ଅର୍ଥନୈତିକ ସ୍ଥିତିକୁ ପ୍ରଭାବିତ କରୁଛି, ସନ୍ତୁଳନ ବିଗାଡ଼ି ଦେଉଛି। ଏଥିପାଇଁ ସହଯୋଗ ଓ ଉପଯୁକ୍ତ ସହାବସ୍ଥାନ ଅବଶ୍ୟମ୍ଭାବୀ ବୋଲି ପ୍ରଫେସର ଲାଲ୍‌ ଜୋର୍‌ ଦେଇଥିଲେ।

ରାଜ୍ୟର ଖଣିଜ ସମ୍ବଳକୁ ବ୍ୟବହାର କରି ଯେଉଁମାନେ ପ୍ରତିଷ୍ଠା ଲାଭ କରିଛନ୍ତି, ରାଜ୍ୟକୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିଛନ୍ତି, ସେମାନେ ରାଜ୍ୟ ପାଇଁ ଏକ ଏକ ଆଇକନ୍‌। ତେଣୁ ସ୍ଥାନୀୟ ବ୍ରାଣ୍ଡ୍‌କୁ ଉତ୍ସାହିତ କରିବା ପାଇଁ ‘ସମ୍ବାଦ’ର ଏହି ପ୍ରୟାସ ନିଶ୍ଚିତ ଭାବରେ ଯୁଗପୋଯୋଗୀ ବୋଲି ସେ କହିଥିଲେ।

ଓଡ଼ିଶାର ପ୍ରାଚୁର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ରାଜ୍ୟପାଳ କହିଲେ ଯେ ଖଣିଜ ସଂପଦ, ପର୍ଯ୍ୟଟନର ବିପୁଳ ସମ୍ଭାର, ପ୍ରାକୃତିକ ସୌନ୍ଦର୍ଯ୍ୟ, କଳା ଓ ସଂସ୍କୃତି ଓଡ଼ିଶାର ପରିଚୟ। ଏହାର ସଦୁପଯୋଗ ଦ୍ୱାରା ହିଁ ଓଡ଼ିଶାର ନିଜସ୍ୱ ବ୍ରାଣ୍ଡ୍‌ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିପାରିବ। ଆଲେକ୍‌ଜାଣ୍ଡର ଯେତେବେଳେ ଭାରତ ଆକ୍ରମଣ କରିବାକୁ ଆସିଲେ ସେତେବେଳେ ସକ୍ରେଟିସ୍‌ କହିଥିଲେ ସେଠାରୁ ବଇଁଶୀ ଆଣିବ, ଆଉ ଘୁଙ୍ଗୁର ଆଣିବ। ଯାହାର ଧୂନ୍‌ରେ ସାରା ବ୍ରହ୍ମାଣ୍ଡ ନାଚୁଛି ତାକୁ ଟିକେ ମୁଁ ଶୁଣିବାକୁ ଚାହୁଛି। ଆଜି ଯଦି ସେ ବଞ୍ଚିଥାନ୍ତେ ଆଉ ଆଲେକ୍‌ଜାଣ୍ଡର ଭାରତ ଆକ୍ରମଣ କରିବାକୁ ଆସୁଥା’ନ୍ତେ ତେବେ ସେ ନିଶ୍ଚୟ କହିଥା’ନ୍ତେ ସମ୍ବଲପୁରୀ ଶାଢ଼ୀ ନେଇ ଆସିବେ। ସମ୍ବଲପୁରୀ ଶାଢ଼ୀ ବ୍ରହ୍ମଚର୍ଯ୍ୟ, ଗୃହସ୍ଥ୍ୟ, ସନ୍ନ୍ୟାସ ଓ ବାନପ୍ରସ୍ଥର ସୂତାରେ ତିଆରି ହେଇଛି। ସମୃଦ୍ଧ ରାଜ୍ୟ ଭାବରେ ଓଡ଼ିଶାକୁ ନେଇ ଏଭଳି ଅନେକ ଉଦାହରଣ ରହିଛି। ଓଡ଼ିଶାର ଗୋଟିଏ ସାଧାରଣ ଗାଁ’ର ଉତ୍ପାଦ ବିଶ୍ବସ୍ତରରେ ହଟଚମଟ କରୁଛି। ଏମାନେ ସାରା ବିଶ୍ବକୁ ସରସ, ସୁନ୍ଦର କରି ଗଢ଼ି ତୋଳିବାକୁ ଆଗଭର ହୋଇଛନ୍ତି। ଓଡ଼ିଶା ଏକ ଭିନ୍ନ ସ୍ବାଦର ରାଜ୍ୟ। ଏହା ଏକ ଜ୍ଞାନୋଦୀପ୍ତ ଜାତୀୟତାର ରାଜ୍ୟ। ଅନ୍ତର୍ଜାତୀୟତା ଏଇ କଥା ହିଁ କହିଥାଏ। ମଣିଷ ଜାତି ତିଷ୍ଠି ରହିବାକୁ ହେଲେ ସହଯୋଗ ଓ ସହାବସ୍ଥାନକୁ ଆଦରିନେବାକୁ ହେବ। ସହଯୋଗ ଓ ଅର୍ଥନୈତିକ ବିନିବେଶ ବଳରେ ବିଶ୍ବ ଅଧିକ ଉଜ୍ଜଳ ଲାଗିବ। ମଣିଷର ଅନ୍ତରାତ୍ମାରେ ଓଡ଼ିଶାର ସୁନ୍ଦରତା ପ୍ରକଟିତ ହେବ। ଦିନ ଆସିବ, ସମ୍ବଲପୁରୀ ଶାଢ଼ି ମଧ୍ୟ ବିଶ୍ବରେ ସୁନ୍ଦରତାର ପ୍ରତୀକ ଭାବେ ଉଭା ହେବ।

ଭର୍ଚୁଆଲ୍‌ ମୋଡ୍‌ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ଏହାର ମହାନ ସଂସ୍କୃତି ଏବଂ ଐତିହ୍ୟ ପାଇଁ ବହୁ ପୂର୍ବରୁ ଜଣାଶୁଣା। ଗତ ଦୁଇ ଦଶନ୍ଧି ମଧ୍ୟରେ ଆମେ ଅନେକ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିଛୁ। ବିଶେଷ କରି କ୍ରୀଡ଼ା ଓ ଶିଳ୍ପ କ୍ଷେତ୍ରରେ ରାଜ୍ୟ ପାଇଁ ନୂଆ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛୁ। ସରକାରଙ୍କ ପ୍ରଗତିଶୀଳ ନୀତିର ଢାଞ୍ଚା ଏକ ଅନୁକୂଳ ଇକୋ-ସିଷ୍ଟମ ସୃଷ୍ଟି କରିଛି, ଯାହା ରାଜ୍ୟରେ ଶିଳ୍ପ ପ୍ରତିପୋଷଣ କରେ। ଦେଶର ଉତ୍ପାଦନ ହବ୍ ଭାବରେ ରାଜ୍ୟ ଦ୍ରୁତ ଗତିରେ ଉଭା ହେଉଛି। କୋଭିଡ୍‌-୧୯ ପରି କଠିନ ସମୟରେ ମଧ୍ୟ ରାଜ୍ୟ ପ୍ରମୁଖ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଛି ଏବଂ ନିବେଶକମାନଙ୍କ ବିଶ୍ୱାସ ଜିତିବାରେ ଲାଗିଛି। କିଛି ଦିନ ତଳେ ଛତ୍ରପୁରସ୍ଥିତ ‘ଆନାଡ୍ରୋମ୍ ସିଷ୍ଟମ୍’ ସେନା ଓ ବାୟୁସେନାକୁ ପ୍ରତିରକ୍ଷା ଉପକରଣ ଯୋଗାଇବା ପାଇଁ ଏକ ବୃହତ ଚୁକ୍ତି କରିଛି। ପ୍ରତିରକ୍ଷା ଉତ୍ପାଦନକାରୀ ସଂସ୍ଥା ‘ଏଲ୍‌ ଆଣ୍ଡ ଟି’ ସହ ଚୁକ୍ତିନାମା ହୋଇଥିବାରୁ ଏହି ସଫଳତା ଅଧିକ ମହତ୍ତ୍ବ ଗ୍ରହଣ କରୁଛି।

ପୁରସ୍କୃତ ସଂସ୍ଥାଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନଙ୍କ ସଫଳତାକୁ ଗୁରୁତ୍ୱ ଦେଉଛି। କାରଣ ଆପଣମାନେ ସମସ୍ତେ ଏହି ମହାମାରୀର ବିଭିନ୍ନ ଲହର ଦେଇ ଗତି କରିଛନ୍ତି। ନିଜ ପାଇଁ ଓ ରାଜ୍ୟ ପାଇଁ ପ୍ରସ୍ତୁତ କରିଥିବା ବ୍ରାଣ୍ଡ୍‌ଗୁଡ଼ିକ ନିମନ୍ତେ ଆପଣମାନେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଏହା କୌଣସି ଛୋଟ ସଫଳତା ନୁହେଁ। ଏହାକୁ ହାସଲ କରିବା ପାଇଁ ଆପଣ ଯେଉଁ ପ୍ରୟାସ କରିଛନ୍ତି ତାହାକୁ ପ୍ରଶଂସା କରୁଛି। ଆଗକୁ ଓଡ଼ିଶାର ସମୟ ଆସୁଛି। ଆମେ ସେଠାକୁ ଯାଇ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା। ଭାରତର ଶିଳ୍ପ କେନ୍ଦ୍ର ଓଡ଼ିଶା ଆଡ଼କୁ ଆକର୍ଷଣ କରିବ ଏବଂ ଆପଣମାନେ ଏହି ଗୌରବମୟ ଯାତ୍ରାର ଅଂଶ ହେବେ। ସ୍ଥାନୀୟ ବ୍ରାଣ୍ଡ୍‌ଗୁଡ଼ିକୁ ଚିହ୍ନିବା ଏବଂ ପ୍ରୋତ୍ସାହିତ କରିବା ପାଇଁ ‘ସମ୍ବାଦ ଗ୍ରୁପ୍‌’ର ନିରନ୍ତର ପ୍ରୟାସକୁ ଧନ୍ୟବାଦ ଜଣାଉଛି। ରାଜ୍ୟରେ ଏକ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଏହା ଆମକୁ ସାହାଯ୍ୟ କରୁଛି। ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ‘ସମ୍ବାଦ’ ନିଜେ ଏକ ବଡ଼ ବ୍ରାଣ୍ଡ୍‌ ହୋଇଥିବାରୁ ରାଜ୍ୟର ନିଜସ୍ୱ ବ୍ରାଣ୍ଡ୍‌କୁ ସ୍ବୀକୃତି ଦେବା ପାଇଁ ‘ସମ୍ବାଦ ଗ୍ରୁପ୍’ର ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ବାଦ ଗ୍ରୁପ୍‌ ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ଓଡ଼ିଶାର ଅତୀତ ଏକ ଅଦ୍ଭୁତ ବ୍ରାଣ୍ଡ୍‌ ଭାବରେ ଖ୍ୟାତି ଅର୍ଜନ କରିଥିଲା। ଶ୍ରୀଜଗନ୍ନାଥ ‌ହୁଅନ୍ତୁ ବା କୋଣାର୍କ ମନ୍ଦିର ହେଉ ବା ଆମ ନୌବାଣିଜ୍ୟ; ଏହି ଗୌରବମୟ ଇତିହାସକୁ ନେଇ ଆମେ ଗର୍ବିତ। କିନ୍ତୁ ନିକଟ ଅତୀତ ଆମ ପାଇଁ କଳଙ୍କର କାରଣ ହୋଇଥିଲା। ଦାରିଦ୍ର୍ୟ ଓ ଅନାହାର ମୃତ୍ୟୁ ପାଇଁ ଓଡ଼ିଶା ବିଶ୍ବ ଦରବାରରେ ନିନ୍ଦିତ ହୋଇଥିଲା। ତେବେ ଦାରିଦ୍ର୍ୟ ଓ ଅନାହାର ବିରୋଧରେ ଆମେ ବିଜୟ ଲାଭ କରିଛୁ। ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବ ଉଦ୍ୟମ କରି ନୂଆ କୀର୍ତ୍ତିମାନ ସୃଷ୍ଟି କରୁଛୁ। ଆଗକୁ ବଢ଼ିବାକୁ ହେଲେ, ସଫଳ ହେବାକୁ ହେଲେ, ବ୍ରାଣ୍ଡ ହେବାକୁ ହେଲେ ବା ଲୋକମାନଙ୍କ ପାଇଁ ଏକ ଆଇକନ୍‌ ହେବାକୁ ହେଲେ ଆମକୁ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ।

 

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ‘ସମ୍ବାଦ’ କେବଳ ପରସ୍ପରକୁ ଯୋଡ଼ିବା ପାଇଁ ଏକ ମାଧ୍ୟମ ହୋଇଛି, ଉତ୍କର୍ଷର ଉପାସକ ହେବା ପାଇଁ ପ୍ରୟାସ କରିଛି। କିନ୍ତୁ ଅଧୁନା ଗଣତନ୍ତ୍ରରେ ଉତ୍କର୍ଷର ଉପାସକ ହେବା ମଧ୍ୟ ସହଜ ନୁହେଁ। କାରଣ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବେ ସଂଖ୍ୟାର ଖେଳ ହୋଇଯାଇଛି। ସଂଖ୍ୟା ଯାହାର ବେଶୀ ସେ ହିଁ ଉତ୍କୃଷ୍ଟ ତାଲିକାର ଶୀର୍ଷକୁ ଚାଲି ଯାଉଛି। ଯଦିଓ ଏଭଳି ପରିବେଶ ଭିତରେ ଉତ୍କର୍ଷର ଉପାସନା ସହଜ ନୁହେଁ; ତଥାପି ଆମେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଜଳାଞ୍ଜଳି ନ ଦେଇ ଉତ୍କର୍ଷର ଉପାସନାର ଏକ ପରିବେଶ ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛୁ। ଓଡ଼ିଶାର ଖଣିଜ ସମ୍ପଦ ଓ ସମ୍ଭାବନାକୁ ବିନିଯୋଗ କରି ଆଜି ଯେଉଁମାନେ ସାରା ଭାରତରେ ସଫଳ ହୋଇଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରୁଛୁ। ହକି ଖେଳର ଅଦ୍ଭୁତ ସଫଳତାରେ ଆମେ ଅନେକ ପାଦ ଆଗକୁ ଯାଇଛୁ। ଜଗନ୍ନାଥଙ୍କ କ୍ଷେତ୍ରକୁ ଏକ ପର୍ଯ୍ୟଟନସ୍ଥଳରେ ପରିଣତ କରି ଆମେ ପର୍ଯ୍ୟଟକଙ୍କ ପାଇଁ ଏକ ନୂଆ ସମ୍ଭାବନା ତିଆରି କରିଛୁ। ଏ ସବୁକୁ ଯେଉଁମାନେ ଆଗକୁ ବଢ଼ାଉଛନ୍ତି ସେମାନଙ୍କୁ ଉତ୍ସାହିତ କରିବା‌ ଜରୁରୀ। ଆଗାମୀ ଦିନରେ ଓଡ଼ିଶା ଯେଭଳି ସାରା ଭାରତରେ ଏକ ଆକର୍ଷଣୀୟ କ୍ଷେତ୍ର ହୋଇ ପାରିବ ଓ ଏକ ନୂଆ ବ୍ରାଣ୍ଡ୍‌ରେ ପରିଣତ ହୋଇ ପାରିବ ସେଥିପାଇଁ ଆସନ୍ତୁ ଆମେ ସମସ୍ତେ ଉଦ୍ୟମ କରିବା ବୋଲି ସେ ଆହ୍ବାନ ଦେଇଛନ୍ତି।

ପ୍ରାରମ୍ଭରେ ସମ୍ବାଦ ଗ୍ରୁପ୍‌ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ସଫଳ ଉଦ୍ୟୋଗୀମାନଙ୍କୁ ବ୍ରାଣ୍ଡ୍‌ସ୍‌ ଅଫ୍‌ ଇଣ୍ଡିଆ ପ୍ରାଇଡ୍‌ ଅଫ୍‌ ଓଡ଼ିଶା ସମ୍ବାଦ କର୍ପୋରେଟ୍‍ ଏକ୍ସଲେନ୍‍ସ ଆୱାର୍ଡସ-୨୦୨୨ ପ୍ରଦାନ କରିଥିଲେ।

ପୁରସ୍କାର ବିଜେତା
ସିଏସ୍‌ଆର୍‌
ପ୍ଲାଟିନମ୍: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ହିରାକୁଦ
ଗୋଲ୍ଡ: ଜେକେ ପେପର ଲିମିଟେଡ୍‌, ରାୟଗଡ଼ା
ଲାର୍ଜ (ବୃହତ୍‌)
ପ୍ଲାଟିନମ୍: ସେଲ୍‌-ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌
ମିଡିୟମ୍ (ମଧ୍ୟମ)
ପ୍ଲାଟିନମ୍: ସିଏସ୍‌ଏମ୍ ଟେକ୍ନୋଲୋଜିସ୍‌
ଗୋଲ୍ଡ: ଓଡ଼ିଶା କୋଲ୍‌ ଆଣ୍ଡ୍ ପାୱାର ଲିମିଟେଡ୍‌
ସିଲ୍‌ଭର: ଏସ୍‌ଏଲ୍‌ଏମ୍‌ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍‌
ସ୍ମଲ୍‌(କ୍ଷୁଦ୍ର)
ପ୍ଲାଟିନମ୍: ମାନେକୁଇନ୍ ଫାର୍ମାସ୍ୟୁଟିକାଲ୍‌ସ ପ୍ରାଇଭେଟ୍ ଲିମିଟେଡ୍‌
ଗୋଲ୍ଡ: ଗାଲାକ୍ସି ମେଡିକେୟାର ଲିମିଟେଡ୍‌
ସିଲ୍‌ଭର: ଓଡ଼ିଶା ରବର୍‌ ପ୍ରଡକ୍ଟ
ଜୁରି ସ୍ପେସିଆଲ୍‌: କସମ
ଜୁରି ସ୍ପେସିଆଲ: ଜେଏମ୍‌ଏସ୍‌ ମେଡିକନ୍ ପ୍ରାଇଭେଟ୍ ଲିମିଟେଡ୍‌
ଇମର୍ଜିଂ/ ଷ୍ଟାର୍ଟଅପ୍
ପ୍ଲାଟିନମ୍: ଏଜେରେକ୍ସ ହେଲ୍‌ଥ ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌
ଗୋଲ୍ଡ: ‌ଏମ୍‌କେ ପ୍ଲାଷ୍ଟ୍‌ ପ୍ରାଇଭେଟ୍ ଲିମିଟେଡ୍‌
ସିଲ୍‌ଭର: ଟ୍ରାଇବ୍ ଡିଲାଇଟ୍ ପ୍ରାଇଭେଟ୍ ଲିମିଟେଡ୍‌
ଯୁବ ଉଦ୍ୟୋଗୀ
ରଶ୍ମୀ ସାହୁ: ଓମ୍ ଅଏଲ ଆଣ୍ଡ୍‌ ଫ୍ଲୋର୍‌ ମିଲ୍‌, ଫ୍ରୋଜିଟ୍‌ ଡିଭିଜନ୍
ସିଦ୍ଧାର୍ଥ ଗର୍ଗ: ନିର୍ଦେଶକ, ଗର୍ଗସନ ଅଟୋମୋବାଇଲ୍ ପ୍ରାଇଭେଟ୍ ଲିମିଟେଡ୍‌
ମୁଖ୍ୟ ପୃଷ୍ଠପୋଷକ: ଫ୍ରିଡମ୍ ହେଲ୍‌ଦି କୁକିଂ ଅଏଲ୍‌ସ

୨୦୨୫ ସୁଦ୍ଧା ୫ ହଜାର ଷ୍ଟାର୍ଟ-ଅପ୍‌: ମୁଖ୍ୟମନ୍ତ୍ରୀ
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟ-ଅପ୍‌କୁ ରାଜ୍ୟ ସରକାର କିପରି ଗୁରୁତ୍ବ ଦେଉଛନ୍ତି, ସେ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ଷ୍ଟାର୍ଟ-ଅପ୍‌କୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଷ୍ଟାର୍ଟ-ଅପ୍‌ଗୁଡ଼ିକ ଅର୍ଥନୈତିକ ସ୍ୱାଧୀନତା, ଧାରଣା ଓ ନବସୃଜନର ଏଜେଣ୍ଟ୍‌। ଓ-ହବ୍‌ ମାଧ୍ୟମରେ ଆମେ ଓଡିଶାର ଷ୍ଟାର୍ଟ-ଅପ୍‌କୁ ବିଶ୍ବସ୍ତରୀୟ ଇନ୍‌କ୍ୟୁବେସନ ସେଣ୍ଟରରେ ପରିଣତ କରିଛୁ। ବିଭିନ୍ନ କ୍ଷେତ୍ରରେ ୨୦୦ରୁ ଅଧିକ ଷ୍ଟାର୍ଟ ଅପ୍‌କୁ ଏହା ପ୍ରତିପୋଷଣ କରିବ। ବର୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା ହୋଇଛି। ୨୦୨୫ ସୁଦ୍ଧା ୫ ହଜାର ଷ୍ଟାର୍ଟ-ଅପ୍‌ରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଭାଷଣ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ।

ଆମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସଫଳ ବ୍ରାଣ୍ଡ: ସୌମ୍ୟ
ସମ୍ବାଦ ଗ୍ରୁପ୍‌ ଅଧ୍ୟକ୍ଷ ତଥା ବିଧାୟକ ‌ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ବ୍ରାଣ୍ଡ୍‌ ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ସମ୍ବିଧାନର ନିର୍ମାତାମାନେ ରାଜ୍ୟପାଳ ପଦବିକୁ ଯେତିକି ମର୍ଯ୍ୟାଦାପୂର୍ଣ୍ଣ ଓ ମହିମାମଣ୍ଡିତ କରି ଗଢ଼ିତୋଳିବାକୁ ଚାହିଥିଲେ ସେହି ମାପକାଠିରେ ମାପିଲେ ଆମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସଂପ୍ରତି ଦେଶର ରାଜ୍ୟପାଳମାନଙ୍କ ଭିତରେ ଶ୍ରେଷ୍ଠ ବ୍ରାଣ୍ଡ ଭାବେ ଗଣାହେବେ। ନିଜ ଦୀର୍ଘ ରାଜନୈତିକ କ୍ୟାରିୟର ପରେ ଏତେ ସହଜ ଭାବେ ମହାମହିମ ରାଜ୍ୟପାଳ ପଦବିର ଗରିମା ବୃଦ୍ଧି କରିବାରେ ତାଙ୍କ ଭୂମିକା ପ୍ରଶଂସନୀୟ। ଜାତି, ଧର୍ମ, ବର୍ଣ୍ଣର ବିଭେଦ ଓଡ଼ିଶାରେ ସ୍ବୀକୃତ ହୁଏନାହିଁ। ଏହା ଅନୁଭବ କରି ରାଜ୍ୟପାଳ ଶ୍ରୀଜଗନ୍ନାଥଙ୍କ ସହ ଆମ ସମ୍ପର୍କକୁ ଅଙ୍ଗୀକାର କରିଛନ୍ତି।

ରାଜନୈତିକ ସଫଳତା ପାଇବାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୋୖରବ। ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ବ୍ରାଣ୍ଡକୁ ନେଇ ପ୍ରତିଯୋଗିତା ହେଲେ ସେ ସର୍ବାଗ୍ରେ ରହିବେ। ଆଉ ଥରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ସେ ଦେଶର ସର୍ବାଧିକ ଥର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବେ। ତାଙ୍କ ସଫଳତାରର ରହସ୍ୟ ଉନ୍ମୋଚନ କରିବା ଅନ୍ୟମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।

ସମ୍ବନ୍ଧିତ ଖବର