‘ସମ୍ବାଦ’ ପକ୍ଷରୁ ରାଜ୍ୟର ଶ୍ରେଷ୍ଠ ୧୦୦ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା : ପିଲାମାନଙ୍କୁ ସୁବ୍ରତୋ ବାଗଚୀଙ୍କ ପ୍ରଶ୍ନ ଏବେ ନଖେଳିଲେ ଆଉ କେବେ ଖେଳିବ?

ସଂଘର୍ଷ ନଥିଲେ ସଫଳତାର ସ୍ୱାଦ ନାହିଁ: ପ୍ରଦୀପ ଜେନା

ଚନ୍ଦ୍ରଶେଖରପୁର : ଜୀବନର ଯୋଉ ସମୟରେ ଯାହା କରିବା କଥା ତାହା ନ କଲେ ପରେ ଜୀବନ ହିଁ ମଣିଷ ସହ ଖେଳିଥାଏ। ଛାତ୍ର ଜୀବନରେ ପାଠ ପଢ଼ି ସଫଳତା ଅର୍ଜନ କରିବା ସହ ହସିବା, ଖେଳିବା, ବୁଲିବା, ପ୍ରେମ କରିବା, ଅନ୍ୟମାନଙ୍କୁ ଭଲ ପାଇବା ପ୍ରତିଟି ଛାତ୍ରଛାତ୍ରୀଙ୍କ ଧ୍ୟେୟ ହେବା ଉଚିତ। ଏହା ସହିତ ସମାଜ ପ୍ରତି ଉତ୍ତରଦାୟୀ ହେବା, ନିଜର ଅଙ୍ଗୀକାରବଦ୍ଧତା ପ୍ରଦର୍ଶନ କରିବାରେ ଛାତ୍ର ଜୀବନର ପୂର୍ଣ୍ଣତା ଆସିଥାଏ। ‘ମୋ ପାଠପଢ଼ା, ମୋ କ୍ୟାରିଅର୍‌’ କେବଳ ନିଜ ଭିତରେ ସୀମିତ ନୁହେଁ। ସମାଜ ତଥା ରାଷ୍ଟ୍ର ନିର୍ମାଣରେ ଏହା ବିନିଯୋଗ ହେଲେ ହିଁ ଯଥାର୍ଥ ସଫଳତା ମିଳିବ ବୋଲି ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ମତ ଦେଇଛନ୍ତି। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ରାଜ୍ୟର ଶ୍ରେଷ୍ଠ ୧୦୦ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ମେଧାବୀ ଛାତ୍ରଛାତ୍ରୀଙ୍କୁ ଛଅଟି ପ୍ରମୁଖ ବିଷୟରେ ଜୀବନରେ ସଫଳତାର ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଜୀବନରେ ସୁଯୋଗକୁ ନେଇ ଆଦୌ ବ୍ୟସ୍ତ ନହେବା, ନିଜର କାର୍ଯ୍ୟକ୍ଷେତ୍ରକୁ ଛାଡ଼ି ବାହାର ଦୁନିଆକୁ ନେଇ ଜ୍ଞାନ ଆହରଣ କରିବା ଉପରେ ଛାତ୍ରଛାତ୍ରୀ ଦୃଷ୍ଟିନିବଦ୍ଧ କରିବା ଆବଶ୍ୟକ। କୌଣସି କାର୍ଯ୍ୟକୁ ଗୌଣ ମନେନକରି ଯେଉଁ କାର୍ଯ୍ୟ କଲେ ମଧ୍ୟ ସେ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବା ହିଁ ଜଣେ ସଫଳ ବ୍ୟକ୍ତିତ୍ୱର ମାପକାଠି। ସେହିପରି ଜୀବନରେ କାମନା ଓ ଭାଗ୍ୟ କେବେ ମଧ୍ୟ ଏକାଠି ହୋଇପାରନ୍ତି ନାହିଁ। କିଛି ହେବାର ଇଚ୍ଛା ରଖିଥିବା ଅନେକ ସଫଳ ବ୍ୟକ୍ତିତ୍ୱ କିନ୍ତୁ ଜୀବନରେ ଅଲଗା କିଛି କରି ଦେଖେଇଛନ୍ତି, ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। କଠିନ ପରିସ୍ଥିତିରେ ମଧ୍ୟ ନିଜକୁ ପ୍ରମାଣ କରିବା ଏବଂ ସର୍ବୋପରି ନିଜକୁ ଅନ୍ୟମାନଙ୍କୁ ହିତରେ ଲଗେଇବାରେ ପୂର୍ଣ୍ଣତା ଆସିଥାଏ ବୋଲି ଶ୍ରୀ ବାଗ୍‌ଚୀ ଉପସ୍ଥିତ ରାଜ୍ୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଆଇଏଏସ୍‌ ପ୍ରଦୀପ ଜେନା ଜୀବନରେ ସଂଘର୍ଷ ନଥିଲେ ସଫଳତାର ମଜା ନଥାଏ ବୋଲି କହିଥିଲେ। ଛାତ୍ରଛାତ୍ରୀମାନେ ସ୍ୱପ୍ନ ଦେଖିବା ଉଚିତ। କିନ୍ତୁ ସ୍ୱପ୍ନ ନାଁରେ ଦିବାସ୍ୱପ୍ନ ଠିକ୍‌ ନୁହେଁ। ସବୁ ସମୟରେ ସୁଯୋଗ ଲୁଚିରହିଥାଏ। ଛାତ୍ରଛାତ୍ରୀମାନେ ସବୁ ସମୟକୁ ପ୍ରକୃଷ୍ଟ ସମୟ ବୋଲି ବିଚାର କରିବା ଉଚିତ। ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟାର ଏହି ଦୁନିଆରେ ଆଗକୁ ଆମକୁ ମେସିନ୍‌ ଓ ରୋବର୍ଟ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ ବୋଲ ଶ୍ରୀ ଜେନା ସତର୍କ କରାଇ ଦେଇଥିଲେ। ସେହିପରି ପିଲାଙ୍କ ଉପରେ ନିଜ ଇଚ୍ଛା ଲଦି ନଦେଇ ସେମାନଙ୍କ ରୁଚି ଓ ଆଗ୍ରହ ସଂପର୍କରେ ଅଭିଭାବକ ଖୋଲା ଆଲୋଚନା କରିବା ଉଚିତ। ରାଜ୍ୟର ଶ୍ରେଷ୍ଠ ୧୦୦ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ସେମାନଙ୍କୁ ଉତ୍ସାହିତ କରିବାର ସମ୍ବାଦର ଏହି ଉଦ୍ୟମକୁ ଶ୍ରୀ ଜେନା ପ୍ରଶଂସା କରିଥିଲେ।

ପିଲାମାନଙ୍କ ଉପରେ ଅଭିଭାବକମାନେ ଅଯଥା ଚାପ ପକେଇବା ଉଚିତ୍‌ ନୁହେଁ। ନିଜର ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ପିଲାମାନଙ୍କୁ ବ୍ୟବହାର କରିବା ଠିକ୍‌ ନୁହେଁ। କାରଣ ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସାମଞ୍ଜସ୍ୟ ନରହିଲେ ଉତ୍କର୍ଷତା ପ୍ରତିଫଳିତ ହେବ ନାହିଁ ବୋଲି ଏହି ବର୍ଣ୍ଣାଢ଼୍ୟ ସଭାରେ ଅଧ୍ୟକ୍ଷତା କରି ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନେ ଅହଙ୍କାର ପରିହାର କରି ସମାଜ ପ୍ରତି, ନିଜ ପିତାମାତାଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର୍‌ ପଟ୍ଟନାୟକ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତର ସଫଳତା କାମନା କରିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ଏହି ଅବସରରେ ସ୍ୱାଗତ ଅଭିଭାଷଣ ରଖିବା ସହିତ ମଂଚାସୀନ ଅତିଥିଙ୍କର ସଫଳ ଜୀବନଯାତ୍ରା ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଚଳିତ ଯୁକ୍ତ ଦୁଇ ବିଜ୍ଞାନରେ ଶ୍ରେଷ୍ଠ ୧୦୦ ମଧ୍ୟରେ ସ୍ଥାନ ପାଇଥିବା ବିଦ୍ୱାନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବ୍ରହ୍ମାସ୍ମୀ ଅନୁଷ୍ଠାନର ରାକେଶ ଆଇନଷ୍ଟାଇନ୍‌, ବଂଶଲ କ୍ଲାସେସ୍‌ର ମହେଶ ପଟ୍ଟନାୟକ, ଜେନୋମି କ୍ଲାସେସ୍‌ର ରଶ୍ମିରଂଜନ ପଟ୍ଟନାୟକ, ଯୁବୋଦୟ କ୍ଲାସେସ୍‌ର ଅମ୍ବରୀଶ ଦାସ, ସରସ୍ୱତୀ ବିଦ୍ୟା ମନ୍ଦିର, ନୀଳକଣ୍ଠନଗରର ସୁବ୍ରତ ପାଣିଗ୍ରାହୀ ପ୍ରମୁଖ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କେବଳ ପିସିଏମରେ ମୋଟ ୩୦୦ରୁ ୨୯୭ ମାର୍କ ରଖିଥିବା ଛାତ୍ର ଲୌଲେଶ ପ୍ରଧାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଧିିତ କରାଯାଇଥିଲା।

ସମ୍ବନ୍ଧିତ ଖବର