‘ସମ୍ବାଦ’ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କୃତୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ: ପଳାୟନପନ୍ଥୀ ନ ହୋଇ ସମସ୍ୟାକୁ ମୁକାବିଲା କର

ଭୁବନେଶ୍ୱର: ପଳାୟନପନ୍ଥୀ ନ ହୋଇ ସମସ୍ୟାକୁ ମୁକାବିଲା କରିବାକୁ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ତଥା ସ୍ମାର୍ଟ ସିଟି ଲିମିଟେଡ଼ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆର୍‌.ଭିନିଲ କ୍ରିଷ୍ଣା ରାଜ୍ୟର ଯୁବସମାଜ ଓ ଛାତ୍ର ସମାଜକୁ ପରାମର୍ଶ ଦେଇଛନ୍ତି।

‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ଆୟୋଜିତ ଯୁକ୍ତ ଦୁଇ ବିଜ୍ଞାନର ଶ୍ରେଷ୍ଠ ୧୦୦ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ଉଦ୍‌ବୋଧନ ଦେଇ ଶ୍ରୀ କ୍ରିଷ୍ଣା କହିଲେ ଯେ, ସେ ତାଙ୍କର ଛାତ୍ରାବସ୍ଥାରେ ସମସ୍ୟାବହୁଳ ଭାରତ ଛାଡି ବିଦେଶକୁ ପଳାଇବାକୁ ଚିନ୍ତା କରୁଥିଲେ। ୟୁରୋପ, ଆମେରିକା,ଅଷ୍ଟ୍ରେଲିଆ ଏବଂ ଶେଷରେ ନିଉଜିଲାଣ୍ଡ ଯାଇ ପାଠ ପଢିବା ପାଇଁ ସେ ଯୋଜନା କରୁଥିଲେ। ତେବେ ଇଂଜିନିୟରିଂ ପାଠ୍ୟକ୍ରମର ଶେଷରେ ପ୍ଲେସମେଣ୍ଟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜଣେ ଆଇଏଏସ ଅଫିସରଙ୍କ ଉଦ୍‌ବୋଧନରେ ଉଦ୍‌ବୁଦ୍ଧ ହୋଇ ସେ ଆଇଏଏସ ପରୀକ୍ଷା ଦେଇଥିଲେ ଏବଂ ସଫଳକାମ ହୋଇଥିଲେ। ତା’ପରଠାରୁ ସେ ସମସ୍ୟାରୁ ପଳାୟନ ନ କରି ସମସ୍ୟାକୁ କିପରି ମୁକାବିଲା କରାଯିବ ତାହା ଶିକ୍ଷା କରିଛନ୍ତି ବୋଲି ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଶ୍ରୀ କ୍ରିଷ୍ଣା କହିଥିଲେ।

‘ସମ୍ବାଦ’ର ସମ୍ପାଦକ ତଥା ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ଉତ୍ସବରେ ଶ୍ରୀ କ୍ରିଷ୍ଣା କହିଥିଲେ ଉତ୍କର୍ଷତା ଲାଭ କରି ସେଥିରେ ଆତ୍ମସନ୍ତୋଷ ଅନୁଭବ କରି ଚୁପ୍‌ ରହି ନ ଯାଇ ଶ୍ରେଷ୍ଠ ହେବାକୁ ଉଦ୍ୟମ ଜାରି ରଖିବା ଉଚିତ। ଛାତ୍ରଛାତ୍ରୀଙ୍କୁ  ପରାମର୍ଶ ଦେଇ ଶ୍ରୀକ୍ରୀଷ୍ଣା କ୍ରିକେଟ୍‌ ଖେଳାଳି ସଚ୍ଚିନ ତେନ୍ଦୁଲକର ଏବଂ ବିନୋଦ କାମ୍ବଲିଙ୍କ ଉଦାହରଣ ଦେଇଥିଲେ। ସଚ୍ଚିନ କେବେ ତାଙ୍କର ଉଦ୍ୟମରେ ଅଟକି ନ ଯାଇ ଅହରହ ନିଜର ସଂଘର୍ଷ ଜାରି ରଖି ଶେଷରେଶ୍ରେଷ୍ଠତ୍ୱ ଲାଭ କରିଥିଲେ ବୋଲି ।

ନିଜେ ବ୍ୟକ୍ତିଗତ ସ୍ତରରେ ଯେତେ ସଫଳତା ଲାଭ କରିଥିଲେ ମଧ୍ୟ ଏବଂ ବିଦେଶରେ ରହୁଥିଲେ ମଧ୍ୟ ଦାରିଦ୍ର୍ୟ ପ୍ରପୀଡ଼ିତ ନିଜ ଦେଶ କଥା ଚିନ୍ତା କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଏହି ଉତ୍ସବରେ ଅତିଥି ଭାବେ ଯୋଗଦଇ ଓଡ଼ିଶା ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ କହିଥିଲେ ଯେ ନେବାରେ ନୁହେଁ, ଦେବାରେ ଆନନ୍ଦ ଥାଏ। ତେଣୁ ନିଜ କଥା ଛାଡ଼ି ଅନ୍ୟମାନଙ୍କ ପାଇଁ ମଧ୍ୟ ଚିନ୍ତା କରିବା ଦରକାର। ‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ‘ଆମ ଓଡ଼ିଶା’ ମାଧ୍ୟମରେ ପରିଚାଳିତ ରକ୍ତଦାନ ଆନ୍ଦୋଳନ ସଂପର୍କରେ ଅବତାରଣା କରିଥିଲେ।

ଉତ୍ସବରେ ସଭାପତିତ୍ୱ କରି ‘ସମ୍ବାଦ’ର ସମ୍ପାଦକ ତଥା ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ରକ୍ତଦାନ କରିବା ପାଇଁ ଅଭ୍ୟାସ କରିବାକୁ ଏବଂ ନିଜ ମାତୃଭାଷାକୁ କେବେ ହେଲେ ଅବହେଳା ନ କରିବାକୁ ଉପଦେଶ ଦେଇଥିଲେ।

ଏହି ଅବସରରେ ଏନ୍ଇଇଟିର ଓଡ଼ିଶା ଟପ୍ପର ଆଶୁତୋଷ ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ତାଙ୍କ ଅଭିଭାଷଣରେ‘ସମ୍ବାଦ ଗ୍ରୁପ୍‌’ର ବହୁବିଧ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର