ନୀଳାଞ୍ଚଳ ପଟ୍ଟନାୟକ
ପାତ୍ରପୁର: କେବଳ କନ୍ଧମାଳ ନୁହେଁ, ଗଞ୍ଜାମ ଜିଲ୍ଲାରେ ମଧ୍ୟ ଅନେକ ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଇଲାକା ଅଛି, ଯେଉଁଠି ଜଙ୍ଗଲଜାତ ଦ୍ରବ୍ୟକୁ ଆଜି ବି ଖାଦ୍ୟ ଭାବେ ଗ୍ରହଣ କରାଯାଉଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସରକାରଙ୍କ ଦ୍ବାରା ଚାଉଳ ମିଳୁଛି ସତ। ହେଲେ ଏହା ପର୍ଯ୍ୟାପ୍ତ ହେଉନି। ଆଜି ‘ସମ୍ବାଦ’ ପକ୍ଷରୁ ପାତ୍ରପୁର ବ୍ଲକ୍ର ଆଦିବାସୀ ଅଧ୍ୟୁଷିତ ତିନି ପଞ୍ଚାୟତ ତୁମ୍ବା, ବୁରାତାଲ୍ ଓ ଆଙ୍କୁଲି ପଞ୍ଚାୟତର କିଛି ଗ୍ରାମରେ ସ୍ଥିତି ଅନୁଧ୍ୟାନ ବେଳେ ଏହି ଚିତ୍ର ସାମ୍ନାକୁ ଆସିଛି।
ଉପରୋକ୍ତ ୩ ପଞ୍ଚାୟତ ଅଧୀନରେ ୧୩୦ରୁ ଅଧିକ ଗ୍ରାମ ରହିଛି। ଅଧିକାଂଶ ଗ୍ରାମ ପାହାଡ଼ ଉପରେ। ଏଠାରେ ରହୁଥିବା ଆଦିବାସୀଙ୍କ ପ୍ରଧାନ ଖାଦ୍ୟ ହେଲା ଟାକୁଆ, କାଙ୍ଗୁ, ସୁଆଁ, କନ୍ଦା ଓ ଜହ୍ନା। ଏହି ସବୁ ଅଞ୍ଚଳରେ ଖାଦ୍ୟ ଭାବେ ଆମ୍ବଟାକୁଆ ବହୁଳ ବ୍ୟବହାର ହେଉନଥିଲେ ମଧ୍ୟ କିଛି ଆଦିବାସୀ ଏବେବି ଏହାକୁ ଖାଉଛନ୍ତି ଓ ଟାକୁଆକୁ ନେଇ ହାଟରେ ବିକ୍ରି କରୁଛନ୍ତି। ଧାନ ଅମଳ କମ୍ ହେଉଥିବାରୁ ସୁଆଁ, କାଙ୍ଗୁ, ଜହ୍ନା, ଘାଣ୍ଟିଆ, ବଡ଼ଭାତ, ମାଣ୍ଡିଆ, ଢୁଙ୍କ, କାନ୍ଦୁଲ, ଡୁଙ୍ଗରାଣୀ ଏବଂ ବୁରୁବୁଡ଼ି ଆଦି ଚାଷ କରିଥା’ନ୍ତି।
ପାହାଡ଼ ଉପରେ ଥିବା ତରମୁଣ୍ଡା, କମ୍ପୁଟବାଡ଼, କୁମ୍ଭାରଦଲି, ତସରଙ୍ଗ, ଲୁହାସିଙ୍ଗି ଓ ଗୁରୁସିଙ୍ଗି ପ୍ରମୁଖ ଗ୍ରାମର ଲୋକେ ଉପରୋକ୍ତ ଖାଦ୍ୟକୁ ଅମଳ କରି ରାନ୍ଧି ଖାଉଛନ୍ତି। କାଙ୍ଗୁକୁ ଭାତ ଓ ଉପମା ଭଳି ରୋଷେଇ କରି ଏମାନେ ଖାଇଥାନ୍ତି। ଏହାସହ ଘାଣ୍ଟିଆ ଓ ବଡ଼ଭାତ ଆଦି ସାମଗ୍ରୀକୁ ଆଦିବାସୀ ଭାତ ଭଳି ଖାଇଥା’ନ୍ତି। ଆଉ ଢୁଙ୍କକୁ ଝଟାମଞ୍ଜି ଭଳି ରାନ୍ଧି ଖିଆଯାଇଥାଏ। ଏହାସହ ଡୁଙ୍ଗରାଣୀ, କାନ୍ଦୁଲ ଓ ଝୁଡ଼ଙ୍ଗ ଆଦିକୁ ଢିଙ୍କିରେ କୁଟି ଡାଲି ଭଳି ସିଝାଇ ଖାଇଥା’ନ୍ତି। ସଲପମଞ୍ଜିରୁ ଆଗରୁ ଜାଉ ପ୍ରସ୍ତୁତ ହେଉଥିଲା। କିନ୍ତୁ ଏବେ ଏହାର ବ୍ୟବହାର ହେଉ ନଥିବା ଆଦିବାସୀମାନେ କହିଛନ୍ତି।
ଅନ୍ୟପକ୍ଷରେ ଅକ୍ଟୋବର ଓ ନଭେମ୍ବର ମାସରେ ପିଠଳକନ୍ଦା, ଭାତକନ୍ଦା, ମାମୁକନ୍ଦା ଓ ମୁଷିଆକନ୍ଦା ଏହିଭଳି ଅନେକ କନ୍ଦାଜାତୀୟ ଖାଦ୍ୟ ବହୁଳ ଭାବେ ମିଳୁଥିବାରୁ ଏହାକୁ ସିଝାଇ ତରକାରିରେ ପକାଇଥା’ନ୍ତି। ବର୍ଷାଦିନେ ବାଉଁଶ କରଡ଼ି, ବାଉଁଶ ଛତୁ, ବରଡ଼ା ଶାଗ ଓ ଜଙ୍ଗଲିପୋଇକୁ ଖାଇଥା’ନ୍ତି। ତେବେ ଆମ୍ବ ଫଳିବା ଋତୁରେ ସେମାନେ ଟାକୁଆକୁ ଶୁଖାଇ ସେଥିରୁ ଜାଉ ପ୍ରସ୍ତୁତ କରିଥା’ନ୍ତି। କିଛି ଆଦିବାସୀ ଏବେବି ୧୨ ମାସ ଆମ୍ବଟାକୁଆ ଜାଉ ଖାଉଛନ୍ତି। ପାରମ୍ପରିକ ଶୈଳୀରେ ଏହାକୁ ପ୍ରସ୍ତୁତ କରାଯାଇଥାଏ। ଆଜି ପର୍ଯ୍ୟନ୍ତ ଆମ୍ବଟାକୁଆ ଜାଉ ଖାଇ କେହି ମରିନାହାନ୍ତି କି ଅସୁସ୍ଥ ହୋଇନାହାନ୍ତି। ବରଂ ଏହା ଶରୀର ପାଇଁ ଉପାଦେୟ ବୋଲି କହିଛନ୍ତି। କିନ୍ତୁ ସରକାର ଦେଉଥିବା ୫ କେଜି ଚାଉଳ ଆମ ପାଇଁ ନିଅଣ୍ଟ ପଡ଼ୁଛି ବୋଲି ସେମାନେ କହିଛନ୍ତି।
ଆସିଲା ପରୀକ୍ଷା ରିପୋର୍ଟ, ଖାଦ୍ୟ ଖାଇବା ଉପଯୋଗୀ ନ ଥିଲା
ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣ ପ୍ରାଣ ହରାଇବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା। ଏହି ଘଟଣା ସାମ୍ନାକୁ ଆସିବା ପରେ କନ୍ଧମାଳ ଜିଲ୍ଲାର ଆରଆରଟି(ରାପିଡ୍ ରେସପସନ୍ ଟିମ୍) ପକ୍ଷରୁ ପାଣି ଓ ଆମ୍ବ ଟାକୁଆ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ସ୍ଥାନୀୟ ଅଞ୍ଚଳର ପାଣି ଦୂଷିତ ଥିବା ନମୁନା ପରୀକ୍ଷା ରିପୋର୍ଟରେ ସ୍ପଷ୍ଟ ହୋଇଛି। ଏହାସହ ଦୁର୍ଗନ୍ଧ ପାଇଁ ଖାଦ୍ୟ ମଧ୍ୟ ଖାଇବା ଉପଯୋଗୀ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଅନ୍ୟ ସମସ୍ତ ରିପୋର୍ଟ ହସ୍ତଗତ ହେବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ପାଣି ସଂକ୍ରମଣ କି ନୁହେଁ ତାହା ଜାଣିବା ଲାଗି ଏଚ୍୨ଏସ୍(ହାଇଡ୍ରୋଜେନ୍ ସଲ୍ଫାଇଡ୍) ପରୀକ୍ଷା ଓ ପାଣିରେ କ୍ଲୋରିନ୍ ମାତ୍ର ଠିକ୍ ଅଛି କି ନାହିଁ ଜାଣିବା ଲାଗି ଓଟି(ଅର୍ଥୋଟଲିଡିନ୍) ପରୀକ୍ଷା ହୋଇଥାଏ। ରିପୋର୍ଟରେ ଦର୍ଶାଯାଇଛି ଯେ ସଂକ୍ରମିତମାନେ ପିଇଥିବା ପାଣିରେ କ୍ଲୋରିନ୍ର ମାତ୍ର ଠିକ୍ ରହିଛି, ହେଲେ ପାଣି ସଂକ୍ରମିତ। ମନୁଷ୍ୟ ମଳରୁ ହିଁ ପାଣି ସଂକ୍ରମିତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପରୀକ୍ଷା ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ହାଲୋଜେନ, ଓଆରଏସ୍ ଓ ଜିଙ୍କ ବଟିକା ବଣ୍ଟାଯାଇଛି। ଲୋକମାନଙ୍କୁ ପାଣି ଗରମ କରି ପିଇବା ସହ ହାତ ସଫା ରଖିବା ଲାଗି ପରାମର୍ଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କେଉଁ ଖାଦ୍ୟ ଖାଇବେ ତାହା ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ଏହାସହ ସ୍ଥାନୀୟ ଲୋକଙ୍କ ପାଇଁ ବିକଳ୍ପ ପାଣି ବ୍ୟବସ୍ଥା କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ମାଣ୍ଡିପଙ୍କାର ଲୋକମାନେ ପଖାଳ ଓ ଆମ୍ବ ଟାକୁଆ ଜାଉ ଖାଇଥିଲେ। ହେଲେ ଏହାକୁ ଦୀର୍ଘଦିନ ଧରି ରଖି ଖାଇବା କାରଣରୁ ବିଷକ୍ରିୟା ହୋଇ ପେଟ ଖରାପ, ବାନ୍ତି, ତଳିପେଟରେ ଯନ୍ତ୍ରଣା ଓ ଡାଇରିଆ ଭଳି ସମସ୍ୟା ସୃଷ୍ଟି ହୋଇଥିଲା। ନିଶ୍ବାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ହେବା ସହ କିଛି ଲୋକ ଗୁରୁତର ହୋଇପଡ଼ିଥିଲେ। ଏଥିରେ ୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ତହିଁରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣ ପ୍ରାଣ ହରାଇବା ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ଏ ସଂପର୍କିତ ରିପୋର୍ଟ ମଗାଯାଇଥିଲା। ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏଥିପାଇଁ କନ୍ଧମାଳ ସିଡିଏମ୍ଓ ଓ ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ରିପୋର୍ଟ ଦେବାକୁ କୁହାଯାଇଥିଲା। ସେମାନେ ଦିଲ୍ଲୀସ୍ଥିତ ଏଫ୍ଏସ୍ଏସ୍ଏଆଇକୁ ରିପୋର୍ଟ ପଠାଇ ସାରିଛନ୍ତି। ଏହାସହ କନ୍ଧମାଳ ଜିଲ୍ଲା ସିଡିଏମ୍ଓ ନମୁନା ପରୀକ୍ଷା ରିପୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପଠାଯାଇଥିବା ସୂଚନା ମିଳିଛି।