ସତ୍ୟବ୍ରତ ପ୍ରଧାନ
ଜଳେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଭୀଷଣ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଉଛି। ଏହା ବାଲେଶ୍ୱର ଉପକୂଳରେ ସ୍ଥଳଭାଗକୁ ଛୁଇଁପାରେ ବୋଲି କୁହାଯାଉଛି। ଫଳରେ ସମୁଦ୍ର ନିକଟ ବାଲିଆପାଳ ବ୍ଲକ୍ ଜମ୍ଭିରାଇ ପଞ୍ଚାୟତ ଅଧୀନ ଚାଉଳତି ଗ୍ରାମର ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗୋଟିଏ ୱାର୍ଡ ବିଶିଷ୍ଟ ଚାଉଳତି ଗ୍ରାମରେ ମୋଟ ୧୧୦ଟି ପରିବାର ବସବାସ କରନ୍ତି। ଲୋକସଂଖ୍ୟା ୭୦୦ରୁ ଅଧିକ ହେବ। ପୂର୍ବରୁ ଗାଁଠାରୁ ସମୁଦ୍ର ଗୋଟିଏ କିମି ଦୂରରେ ଥିଲା। ବିସ୍ତୀର୍ଣ୍ଣ ବାଲୁକା ରାଶି ଓ ଝାଉଁବଣ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା। ସମୁଦ୍ର ବେଳାଭୂମି ସଂଲଗ୍ନ ହଜାର ହଜାର ଏକର ଚାଷଜମି ଥିଲା। ହେଲେ ଗାଁ ପାଇଁ ବିପଦ ଆଣିଲା ଓଡ଼ିଶା କୋଷ୍ଟ କେନାଲ୍ର ଶାଖାନଦୀ କୁହାଯାଉଥିବା ହଁସକରା। ଓଡ଼ିଶା କୋଷ୍ଟ କେନାଲ୍ର ଭଅଁରେଶ୍ବର ନିକଟରୁ ବାହାରିଥିବା ହଁସକରା ନଦୀ ଦକ୍ଷିଣ ଜମ୍ଭିରାଇ ନିକଟରେ ସମୁଦ୍ରରେ ମିଶିଥିଲା। ହେଲେ ୧୯୯୭ ମସିହା ବାତ୍ୟା ସମୟରେ ନଦୀ ତାର ଗତିପଥ ବଦଳାଇ ଚାଉଳତି ନିକଟରେ ନୂଆ ମୁହାଣ ସୃଷ୍ଟି କଲା। ସେହିଦିନଠାରୁ ଚାଉଳତି ଗାଁ ପାଇଁ ବିପଦ ସାଜିଛି ସମୁଦ୍ର।
ଏବେ ଗାଁ’ର ହଜାର ହଜାର ଏକର ଜମି ନଦୀଗର୍ଭରେ ବିଲୀନ ହୋଇଗଲାଣି। ଝାଉଁବଣ ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପ କିଛି ଗଛ ରହିଯାଇଛି। ୨୦୨୧ ‘ୟାସ୍’ ବାତ୍ୟା ସମୟରେ ସାମୁଦ୍ରିକ ଜୁଆର ମାଡ଼ି ଆସି ଚାଉଳତି ଗାଁକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା। ସୁରକ୍ଷା ପାଇଁ ଥିବା ହଁସକରା ନଦୀବନ୍ଧ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା। ଗାଁ ଦାଣ୍ଡରେ ୧୦/୧୫ ଫୁଟ୍ର ଜୁଆର ପାଣି ଲହଡ଼ି ଭାଙ୍ଗିଥିଲା। ବାତ୍ୟା କାରଣରୁ ଚାଉଳତି ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗାଁର ସୁରକ୍ଷା ପାଇଁ ବିଭିନ୍ନ ମହଲରୁ ଦାବି ହେଲା। ଫଳରେ ୧୧ କୋଟି ଟଙ୍କା ବ୍ୟୟରେ ୯ ଶହ ମିଟର ପଥରବନ୍ଧ ସହ ସ୍ପର ନିର୍ମାଣ ହୋଇଛି। କିନ୍ତୁ ତାହା କାମରେ ଲାଗୁନି। ସାମୁଦ୍ରିକ ବାତ୍ୟା ସହ ପୂର୍ଣ୍ଣିମା ଓ ଅମାବାସ୍ୟାରେ ଜୁଆର ମାଡ଼ିଆସୁଛି। ଯଦି ସାମୁଦ୍ରିକ ବାତ୍ୟା ଆସେ, ତେବେ ଗାଁ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ଥିବା ରବୀନ୍ଦ୍ର କୁମାର ମହାନ୍ତି, ଚନ୍ଦନ କୁମାର ଜେନା, କାର୍ତ୍ତିକ ଚନ୍ଦ୍ର ଜେନା ପ୍ରମୁଖ ଅଶଙ୍କା ପ୍ରକାଶ କରିଛନ୍ତି। ଚାଉଳତି ଗାଁକୁ ସୁରକ୍ଷା ଦେବା ପାଇଁ ହଁସକରା ନଦୀବନ୍ଧ କଡ଼ ୫୨୫ ମିଟର ସ୍ଥାନରେ ପଥରବନ୍ଧ ଓ ସ୍ପର ନିର୍ମାଣ ପାଇଁ ୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଏକ ଯୋଜନା ୨୦୨୨ ମସିହାରେ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ହେଲେ ତାହା ଓଡ଼ିଶା ସରକାରଙ୍କ ଉଚ୍ଚବୈଷୟିକ ପରାମର୍ଶଦାତା କମିଟି (ଟିଏସି)ର ଅନୁମୋଦନ ନପାଇ ପଡ଼ିରହିଛି।
ସମୁଦ୍ର ଦିନକୁ ଦିନ ଚାଉଳତିମୁହାଁ ହେଉଛି। ତେଣୁ ଗାଁ’ର ସୁରକ୍ଷା ପାଇଁ ଅବିଳମ୍ବେ ପଥର ବନ୍ଧ ସହ ସ୍ପର ନିର୍ମାଣ ଏବଂ ବ୍ୟାପକ ଝାଉଁବଣ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ଏନେଇ ବାଲିଆପାଳସ୍ଥିତ ଜାମକୁଣ୍ଡା ଜଳସମ୍ପଦ ବିଭାଗ ସେକ୍ସନ୍ ଅଫିସର ଜେଇ ନନୀଗୋପାଳ ସେଣଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ପଥରବନ୍ଧ ଓ ସ୍ପର୍ ନିର୍ମାଣ ପ୍ରସ୍ତାବ ଆମ ପାଖକୁ ଆସିଥିଲା। ଯାହାର ତର୍ଜମା ଚାଲିଛି। ପ୍ରଶାସନିକ ଓ ଟିଏସି ଅନୁମୋଦନ ମିଳିଲେ କାମ ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/21/mBFnkl600BhdRTF4QKrK.jpg)