ଭୁବନେଶ୍ୱର: ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାରେ ଅନେକ ପରିବର୍ତ୍ତନ ଆସିଛି। ୫-ଟି ଅଭିଯାନ ଅଧୀନରେ କରାଯାଉଥିବା ରୂପାନ୍ତର କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। ନିତି ଆୟୋଗ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଗତ ୯ ବର୍ଷ ମଧ୍ୟରେ ୧ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକୁଳିଛନ୍ତି। ନିବେଶକଙ୍କୁ ଆକୃଷ୍ଟ କରିବା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ପ୍ରତ୍ୟେକ ମାସରେ ନୂଆ ଶିଳ୍ପ ଓ ଷ୍ଟାର୍ଟଅପ୍ ଶିଳ୍ପକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟରେ ପରିଣତ ହୋଇଛି। ଓଡ଼ିଶାର ଯୁବକଙ୍କ ମଧ୍ୟରେ ପ୍ରଚୁର କ୍ଷମତା ରହିଛି। ଗଣମାଧ୍ୟମ, ଯୋଗାଯୋଗ ଓ ମନୋରଞ୍ଜନ ଶିଳ୍ପରେ ସମ୍ବାଦ ଗ୍ରୁପ୍ ରାଜ୍ୟର ଏକ ପ୍ରମୁଖ ବ୍ରାଣ୍ଡ୍। ରାଜ୍ୟର ବ୍ରାଣ୍ଡ୍ଗୁଡ଼ିକୁ ‘ସମ୍ବାଦ’ ଗ୍ରୁପ୍ ପୁରସ୍କୃତ କରୁଥିବାରୁ ‘ସମ୍ବାଦ’ ଧନ୍ୟବାଦର ପାତ୍ର। ହୋଟେଲ ମେ’ ଫେୟାରଠାରେ ଆୟୋଜିତ ‘ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍-୨୦୨୪’ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଦେଇଥିବା ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିବା ସହିତ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି, ଦିନ ଥିଲା ରାଜ୍ୟ ସରକାରଙ୍କ ପାଖରେ କର୍ମଚାରୀଙ୍କୁ ଦରମା ଦେବାକୁ ପଇସା ନଥିଲା। ବର୍ତ୍ତମାନ ସମୟର ସ୍ଥିର ସରକାର ଏହି ପରିସ୍ଥିତିକୁ ବଦଳାଇ ଦେଲା। ୭୦ ଦଶକର ସେ ଚିତ୍ର ଆଉ ନାହିଁ। ଦକ୍ଷତା ବିକାଶର ନିଆରା ରୂପାନ୍ତରଣ ପାଇଁ ଏବେ ଓଡ଼ିଶାରେ ନିବେଶକ ଧାଡ଼ି ବାନ୍ଧିଛନ୍ତି। ସାରା ବିଶ୍ବରେ ଓଡ଼ିଶା ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି, ନିଜକୁ ଏକ ବ୍ରାଣ୍ଡ ଭାବରେ ପ୍ରତିଷ୍ଠିତ କରିପାରିଛି। ବ୍ୟବସାୟର ଏକ ସୁସ୍ଥ ପରିବେଶ ସୃଷ୍ଟି ହୋଇଛି। ଉଦ୍ୟୋଗୀଙ୍କ ପାଇଁ ଭରପୂର ସୁଯୋଗ ରହିଛି। ଯେଉଁ ଉତ୍ପାଦ ସହଜରେ ମିଳିବ, ଶୀଘ୍ର ମିଳିବ ଓ ଅତି ସରଳ ଉପାୟରେ ମିଳିପାରିବ, ସେହି ଉତ୍ପାଦ ହିଁ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ବରେ ଏକ ବ୍ରାଣ୍ଡ ଭାବରେ ନାଁ କରିବ। ‘ସମ୍ବାଦ’ ଉତ୍କର୍ଷ ପାଇଁ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ନାମରେ ସଫଳ ଉଦ୍ୟୋଗୀଙ୍କ ମଧ୍ୟରେ ଯେଉଁ ପ୍ରତିଯୋଗିତା ଭାବ ସୃଷ୍ଟି କରାଇଛି ତାହା ଯୁବ ଉଦ୍ୟୋଗୀଙ୍କୁ ଆହୁରି ଉତ୍ସାହିତ ରିଛି। ‘ସମ୍ବାଦ’ର ଏହି ପ୍ରୟାସ ଓଡ଼ିଶା ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକ (ମାନବ ସମ୍ବଳ) ଡ. ସଂତୃପ୍ତ ମିଶ୍ର କହିଛନ୍ତି, କର୍ପୋରେଟ୍ ଏକ୍ସଲେନ୍ସ ବା ଉତ୍କର୍ଷରେ ‘ବ୍ରାଣ୍ଡ୍’ ହେଉଛି ପ୍ରମୁଖ ଅଙ୍ଗ। ଅନେକ କମ୍ପାନି ଭଲ ପ୍ରଦର୍ଶନ କରନ୍ତି, କିନ୍ତୁ ସ୍ଥାୟିତ୍ବ ବଜାୟ ରଖିପାରନ୍ତି ନାହିଁ। ବହୁଦିନ ଧରି ତିଷ୍ଠି ରହିଥିବା ସଂସ୍ଥା ମଧ୍ୟ ସବୁଦିନ ଭଲ ପ୍ରଦର୍ଶନ କରି ପାରିନଥାନ୍ତି। ତେଣୁ ବହୁଦିନ ଧରି ଭଲ ପ୍ରଦର୍ଶନ କରିବା ହିଁ ସଫଳ ବ୍ରାଣ୍ଡ୍ ସୃଷ୍ଟି ପଛର ରହସ୍ୟ। ଶ୍ରେଷ୍ଠ ବା ଉତ୍କୃଷ୍ଟ ହେବାକୁ ହେଲେ ପରିବର୍ତ୍ତନ ସହ ଖାପଖୁଆଇ ନୂଆ ନୂଆ ଚିନ୍ତାକୁ କାର୍ଯ୍ୟକାରୀ କରିବାକୁ ହେବ। କିଭଳି ଶିକ୍ଷା ଲାଭ କରିବାକୁ ହେବ ତାହା ଶିଖିବାର କଳା। ନିଜର ସେବା ଓ ଉତ୍ପାଦ ଜରିଆରେ ଅନ୍ୟମାନଙ୍କୁ ଭିନ୍ନ କରିବା ଦ୍ବାରା ‘ବ୍ରାଣ୍ଡ୍’ ସୃଷ୍ଟି ହୋଇଥାଏ। ଲୋକଙ୍କ ମନରେ ସୃଷ୍ଟ ସ୍ବତନ୍ତ୍ର ଛବି ହିଁ ବ୍ରାଣ୍ଡ୍ ବୋଲି ସେ ମତ ଦେଇଛନ୍ତି।
ଓଡ଼ିଶା ନିଜକୁ ଏକ ବ୍ରାଣ୍ଡ୍ ଭାବେ ପ୍ରତିଷ୍ଠିତ କରାଇଛି: ପ୍ରୀତିରଞ୍ଜନ
ଲୋକଙ୍କ ମନରେ ସୃଷ୍ଟ ସ୍ବତନ୍ତ୍ର ଛବି ହିଁ ବ୍ରାଣ୍ଡ୍: ସଂତୃପ୍ତ ମିଶ୍ର
‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ଅବସରରେ କହିଛନ୍ତି, ଓଡ଼ିଶାର ବ୍ରାଣ୍ଡ୍କୁ ଯେଉଁମାନେ ବିଶ୍ବସ୍ତରରେ ପହଞ୍ଚାଇଛନ୍ତି ସେମାନଙ୍କୁ ଚିହ୍ନଟ କରି ସମ୍ମାନ ଦେବା ଆମ ପାଇଁ ଗର୍ବର ବିଷୟ। ଓଡ଼ିଶାର ଉଦ୍ୟୋଗୀମାନେ ବଡ଼ ଚିନ୍ତା କରୁନାହାନ୍ତି, ବଡ଼ ସ୍ବପ୍ନ ଦେଖିବାର ସାହସ ରଖୁନାହାନ୍ତି। ଓଡ଼ିଶା ଭିତରେ ସଫଳତାରେ ହିଁ ସେମାନେ ସନ୍ତୁଷ୍ଟ। ଓଡ଼ିଶା ବାହାରେ ନାଁ କରିବା ବିଶ୍ବାସ ସେମାନେ ରଖୁ ନାହାନ୍ତି। ଏଭଳି ବିଶ୍ବାସ ଆଉ ନାହିଁ। ଓଡ଼ିଆ ବଡ଼ ସ୍ବପ୍ନ ଦେଖୁଥିବାର ବଡ଼ ପ୍ରମାଣ ହେଉଛି ଆମର ଏହି କାର୍ଯ୍ୟକ୍ରମ। ୭ ବର୍ଷ ତଳେ ଯେତେବେଳେ ଏହାର ପରିକଳ୍ପନା କରାଯାଇଥିଲା ସେତେବେଳେ ଆମେ ଆଶଙ୍କାରେ ଥିଲୁ ଗୋଟିଏ ଦୁଇ ବର୍ଷ ପରେ କାର୍ଯ୍ୟକ୍ରମ କିଭଳି ତିଷ୍ଠିବ? ପ୍ରତିବର୍ଷ ସଫଳ ଉଦ୍ୟୋଗୀ କେଉଁଠୁ ଆସିବେ? କିନ୍ତୁ ଆଶଙ୍କା ଭୁଲ୍ ପ୍ରମାଣିତ ହୋଇଛି। ପ୍ରତ୍ୟେକ ବର୍ଷ କମ୍ପାନିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆମେ ଯଦି ୨୦୪୭ କଥା ଭାବିବା ତେବେ ଓଡ଼ିଶାରେ ଏକ ବଡ଼ ସମ୍ଭାବନା ଦେଖାଯାଉଛି। ଆଜି ଯେଉଁମାନେ ପୁରସ୍କାର ପାଉଛନ୍ତି ସେମାନଙ୍କର କାହାଣୀ ଲକ୍ଷ ଲକ୍ଷ ଯୁବ ଓଡ଼ିଆଙ୍କୁ ସାହସ ଯୋଗାଇବ। ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଲେ, ‘ସମ୍ବାଦ’ରେ ରହିଥିବା ୩୧୪ ବ୍ଲକ୍ର ପ୍ରତିନିଧିଙ୍କ ଜରିଆରେ ତୃଣମୂଳସ୍ତରରେ ପହଞ୍ଚି ହେଉଛି। ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ମହିଳା ଉଦ୍ୟୋଗୀ ଓ ସଫଳ ବ୍ୟକ୍ତିତ୍ବଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଉଛି। ସମ୍ବାଦ ଗ୍ରୁପ୍ର କିଛି କାର୍ଯ୍ୟକ୍ରମ ବିଶ୍ବସ୍ତରରେ ଏକ ମାଇଲ୍ଖୁଣ୍ଟ ସ୍ଥାପନ କରିଛି। ଓଡ଼ିଶା-୫୦, ସିଇଓ କନ୍କ୍ଲେଭ୍ ସହ ଆଜିର ଏହି କାର୍ଯ୍ୟକ୍ରମ ଏହି ମାଇଲ୍ଖୁଣ୍ଟର ଗୋଟିଏ ଗୋଟିଏ ଉଦାହରଣ। ଯେଉଁମାନେ ଓଡ଼ିଶାରେ ଜନ୍ମ ହୋଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଉଛି। ବିଭିନ୍ନ ବିଭାଗରେ ଏହି ସମ୍ମାନ ପ୍ରଦାନ କରାଯାଉଛି। ଏଥର ଏତେ ପରିମାଣରେ ଆବେଦନ ଥିଲା ଯେ, ସ୍ବତନ୍ତ୍ର ଜୁରି ଆୱାର୍ଡ ବ୍ୟବସ୍ଥା କରାଯାଇଛି।