ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ଏବେ ସାରା ଦେଶରେ ଜନଜୀବନକୁ ପ୍ରଭାବିତ କରିଛି। ଏହି ମହାମାରୀ ରହସ୍ୟମୟ ମନେ ହେଉଥିବା ବେଳେ ଏହାକୁ ନେଇ ସଚେତନତା ସୃଷ୍ଟି କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏହାର ମୁକାବିଲା ପାଇଁ ସାଧାରଣ ଜ୍ଞାନର ଆବଶ୍ୟକତା ଦୃଷ୍ଟିରୁ ଚିକିତ୍ସା ଜଗତର ଅଭିଜ୍ଞ ବିଶେଷଜ୍ଞମାନଙ୍କୁ ନେଇ ରାଜ୍ୟର ସର୍ବବୃହତ ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ ଗ୍ରୁପ’ ପକ୍ଷରୁ ‘ବିପଦର ବନ୍ଧୁ’ ନାମରେ ଏକ ହେଲ୍‌ପ ଡେସ୍କ ଗଠନ କରାଯାଇଛି। ଏହି କ୍ରମରେ ଆଜି ରାଜ୍ୟର କୋଣ ଅନୁକୋଣରୁ ଅନେକ ବ୍ୟକ୍ତିବିଶେଷ ଅଭିଜ୍ଞ ଡାକ୍ତରମାନଙ୍କୁ ସିଧାସଳଖ ଫୋନ ଯୋଗେ ପ୍ରଶ୍ନ ପଚାରି ବିଭିନ୍ନ ଉପାଦେୟ ପରାମର୍ଶ ପାଇଛନ୍ତି। ‘ସମ୍ବାଦ’ର ଏହି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ। ଆଜି ଡାକ୍ତର ଦେବେନ୍ଦ୍ରନାଥ ମଲ୍ଲ, ଡାକ୍ତର ଅଭିରୂପ ମିଶ୍ର, ଡାକ୍ତର କସ୍ତୁରୀ ଭରଦ୍ବାଜ ଏବଂ ଡାକ୍ତର ସ୍ବରାଜ ପଣ୍ଡା କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ପରାମର୍ଶ ଦେଇଥିଲେ। କରୋନା ସମ୍ପର୍କିତ ଏହି କାର୍ଯ୍ୟକ୍ରମରେ ସାମିଲ ପାଇଁ ସେମାନଙ୍କୁ ‘ସମ୍ବାଦ’ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।

Advertisment

publive-image

ରାଜ୍ୟର କୋଣ ଅନୁକୋଣରୁ ଶହଶହ ସଂଖ୍ୟାରେ କରୋନା ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ପରାମର୍ଶ ଚାହୁଥିବାରୁ ଏହି ‘ହେଲ୍‌ପ ଡେସ୍କ’ରେ ସ୍ବେଚ୍ଛାସେବୀ ଡାକ୍ତର ବନ୍ଧୁମାନେ ଅଧିକ ସଂଖ୍ୟାରେ ଯୋଗ ଦେବାର ଆବଶ୍ୟକତା ରହିଛି। ଏହି ମହତ୍‌ କାର୍ଯ୍ୟରେ ଯୋଡ଼ି ହେବାକୁ ଇଚ୍ଛୁକ ଡାକ୍ତର ଯୋଦ୍ଧା ୭୦୦୮୯୯୨୪୧୦ ନମ୍ବରରେ ହ୍ବାଟ୍‌ସଆପ୍‌ ଜରିଆରେ ନିଜ ସମ୍ମତି ଜଣାଇବାକୁ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ଅନୁରୋଧ କରିଛନ୍ତି।