ଡାବୁଗାଁ: ସବୁ ଦିନ ପରି ଶୁକ୍ରବାର ସକାଳେ ଘରେ ଘରେ ସମ୍ବାଦ ଖବର କାଗଜ ବାଣ୍ଟିବା ପରେ ବିଦ୍ୟୁତ୍ ମିଟର ରିଡିଂ କରିବାକୁ ଯାଇଥିବା ଜଣେ ସମ୍ବାଦ ହକରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଖବର ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ। ମୃତ ସମ୍ବାଦର ହକର ସନ୍ତୋଷ କୁମାର ଦାସ (୩୪) ବୋଲି ଜଣା ପଡିଛି।
ସୂଚନା ଅନୁଯାୟୀ ଡାବୁଗାଁ ସଦର ଜୟନ୍ତୀ ନଗରରେ ରହୁଥିବା ସନ୍ତୋଷ କୁମାର ଦାସ ଗତ ୫ ବର୍ଷ ହେଲା ‘ସମ୍ବାଦ’ ଖବରକାଗଜର ହକର ଭାବେ କାର୍ଯ୍ୟ କରୁଥିଲେ। ସମ୍ବାଦ ସହ ଅନ୍ୟ କେତେ ଦୈନିକ ଖବରକାଗଜର ମଧ୍ୟ ସନ୍ତୋଷ ହକର ଭାବେ କାର୍ଯ୍ୟ କରୁଥିଲେ। ହକର ସହ ସେ ବିଦ୍ୟୁତ୍ ମିଟର ରିଡର୍ ଭାବେ ଗତ ୨ ବର୍ଷ ହେଲା କାର୍ଯ୍ୟ କରୁଥିଲେ। ପ୍ରତିଦିନ ପରି ଆଜି ସନ୍ତୋଷ ସମ୍ବାଦ ସକାଳେ ପ୍ରତ୍ୟେକ ଗ୍ରାହକ ଘରେ ପହଞ୍ଚାଇବା ପରେ ମିଟର ରିଡ଼ିଂ ନେବାକୁ ବାହାରିଥିଲେ। ଡାବୁଗାଁ ଥାନା ଧାମନା ଗୁଡା ପଞ୍ଚାୟତ ଅନ୍ତର୍ଗତ ଚାର ଗାଁ ରେ ବିଦ୍ୟୁତ୍ ଗ୍ରାହକଙ୍କ ମିଟର ରୀଡ଼ିଂ ନେବା ପରେ ଅପରାହ୍ନ ପ୍ରାୟ ସାଢେ଼ ୪ ଘଣ୍ଟ ସମୟରେ ଶୌଚ ପାଇଁ ଚାର ଗାଁର ଶେଷ ମୁଣ୍ଡରେ ଥିବା ନୂତନ ପୋଖରୀରେ ସନ୍ତୋଷ ଯାଇଥିଲେ। ସେଠାରେ ନିଜର ବାଇକ୍କୁ ପୋଖରୀ ନିକଟରେ ରଖି ଶୌଚ ପାଇଁ ପୋଖରୀ ଭିତରେ ଯାଇଥିଲେ।
ତେବେ ଅସାବଧାନତା ଯୋଗୁ ଗୋଡ ଖସି ଯିବାରୁ ସେ ପୋଖରୀରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ସନ୍ଧ୍ୟା ସମୟରେ ଚାର ଗାଁ ର କିଛି ଲୋକ ପୋଖରୀ ନିକଟରେ ମୃତ ସନ୍ତୋଷ ଦାସଙ୍କ କପଡା ପଡ଼ି ଥିବାର ଦେଖିଥିଲେ। ସନ୍ଦେହ ହେବାରୁ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ରାତ୍ର ୭ଟାରେ ପୋଖରୀ ମଧ୍ୟରୁ ସନ୍ତୋଷଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣିଥିଲେ। ଖବର ପାଇ ଡାବୁଗାଁ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଥାଉ କି ସମ୍ବାଦ ହକର ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ ଦାସ କୋଭିଡ ମହାମାରୀ ସମୟରେ ପ୍ରତ୍ୟେକ ସମ୍ବାଦ ଗ୍ରାହକ ଘରେ ଖବରକାଗଜ ବିତରଣ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Presentation1-1.jpg)