ସମ୍ବାଦ ପ୍ରଭାବ: ‘ଟଙ୍କା ଦେଇ କୋଭିଡ୍‌ ପଜିଟିଭ୍ ରିପୋର୍ଟ’କୁ ନେଇ ହଇଚଇ

ଜେନ୍‌ଏକ୍ସ ଡାଏଗ୍ନୋଷ୍ଟିକ୍ସକୁ କାରଣ ଦର୍ଶାଅ ନୋଟିସ୍, ତଦନ୍ତ ପାଇଁ ଆର୍‌ଏମ୍‌ଆର୍‌ସିକୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର: ଦଲାଲକୁ ଟଙ୍କା ଦେଲେ ଘରେ ବସି ମିଳୁଛି କୋଭିଡ୍‌ ପଜିଟିଭ୍ ରିପୋର୍ଟ। ରାଜଧାନୀରେ ସକ୍ରିୟ ଅଛି ଏଭଳି ଜାଲ୍ କୋଭିଡ୍‌ ସାର୍ଟିଫିକେଟ୍‌ ରୢାକେଟ୍‌। ଆଜି ‘ସମ୍ବାଦ’ରେ ଏହି ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଚେତା ପଶିଥିବା ବେଳେ ଆଜି ଦିନତମାମ ଏ ନେଇ ତନାଘନା ହୋଇଛି। କୋଭିଡ ପଜିଟିଭ୍ ରିପୋର୍ଟ ଦେଇଥିବା ଜେନ୍‌ଏକ୍ସ ଡାଏଗ୍ନୋଷ୍ଟିକ୍ ସେଣ୍ଟରରେ ପହଞ୍ଚି ବିଏମ୍‌ସିର ଅଧିକାରୀମାନେ ଯାଞ୍ଚ କରିବା ସହିତ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ୩ଦିନ ଭିତରେ ଉତ୍ତର ରଖିବା ଲାଗି ଡାଏଗ୍ନୋଷ୍ଟିକ ସେଣ୍ଟରକୁ କୁହାଯାଇଛି।

ଅପରପକ୍ଷରେ ଏଭଳି ଏକ ଉଦ୍‌ବେଗଜନକ ଘଟଣାରେ ଦିନତମାମ ମାନସମନ୍ଥନ କରିବା ପରେ ସନ୍ଧ୍ୟାରେ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଜେନ୍‌ଏକ୍ସକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ରାଜ୍ୟ ସରକାରଙ୍କ କୋଭିଡ ପରୀକ୍ଷା ପାଇଁ ଧାର୍ଯ୍ୟ ଦରକୁ ଉଲ୍ଲଂଘନ କରି ୧୨ଶହ ଟଙ୍କା ନେବା ଓ ଜାଲ୍‌ ଆର୍‌ଟି-ପିସିଆର୍‌ ରିପୋର୍ଟ ଉପରେ ୨ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଛି। ଏହାସହ ଆର୍‌ଏମ୍‌ଆରସିର ନିର୍ଦେଶିକାଙ୍କୁ ମଧ୍ୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରିବା ଲାଗି ପତ୍ର ଲେଖାଯାଇଛି। ଆରଏମ୍‌ଆରସି ପକ୍ଷରୁ ଏକ ଟିମ୍ ଟେଷ୍ଟିଂର ସ୍ଥିତି ଅନୁଧ୍ୟାନ ସହ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ ହୋଇଛି କି ନାହିଁ ତାହାର ଯାଞ୍ଚ କରିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଜାତୀୟ ସ୍ବାସ୍ଥ୍ୟ ମିସନ ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହାସହ ପୁଲିସ ମଧ୍ୟ ଏହି ଘଟଣାର ତଦନ୍ତ କରିବ ବୋଲି ଶ୍ରୀମତୀ ପଣ୍ଡିତ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ନାମ ଗୋପନ ରଖିବା ସର୍ତରେ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଲ୍ୟାବ୍‌ରୁ ଯେଉଁ ରିପୋର୍ଟ ଦିଆଯାଇଛି ତାହାର ଏସ୍‌ଆର୍‌ଏଫ୍‌ ଓ ସାମ୍ପୁଲ ଆଇଡି ଠିକ୍ ରହିଛି। ତେଣୁ ଯେଉଁ ହସ୍ପିଟାଲରୁ ସାମ୍ପୁଲ ଲ୍ୟାବ୍‌କୁ ପଠାଯାଇଛି ସେଠାରେ ହିଁ ହେର୍‌ଫେର୍‌ ହୋଇଛି। ହସ୍ପିଟାଲମାନଙ୍କ ପାଖରେ ବହୁ ସଂଖ୍ୟାରେ ଏଭଳି ନମୁନା ଥିବା ବେଳେ ତହିଁରୁ କୌଣସି ଏକ ପଜିଟିଭ୍ ନମୁନାକୁ ପୁଣିଥରେ ପରୀକ୍ଷା ପାଇଁ ପଠେଇଥିବା ଅନୁମାନ କରାଯାଉଛି। ‌

ଆଜି ଅପରାହ୍ଣରେ ବିଏମ୍‌ସିର ୩ ଜଣିଆ ଟିମ୍ ସହିଦନଗରସ୍ଥିତ ଜେଏନ୍‌ଏକ୍ସ ଡାଏଗ୍ନୋଷ୍ଟିକ୍ ସେଣ୍ଟରରେ ପହଞ୍ଚି ‘ସମ୍ବାଦ’ରେ ପ୍ରକାଶିତ ମନସ୍ମିତା ମହାପାତ୍ରଙ୍କ କୋଭିଡ ପଜିଟିଭ୍ ରିପୋର୍ଟ ସଂପର୍କରେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ରିପୋର୍ଟଟି ଅସଲି ଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ। ତେବେ ମନସ୍ମିତାଙ୍କ ନମୁନା ପରୀକ୍ଷା କରା ନ ଯାଇ ତାଙ୍କ ନାମରେ କେମିତି ପଜିଟିଭ ରିପୋର୍ଟ ପ୍ରଦାନ କରାଗଲା ତାହା ସମସ୍ତଙ୍କୁ ବିସ୍ମିତ କରିଥିଲା। ତେଣୁ ବିଏମ୍‌ସି ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସ୍‌ରେ କୁହାଯାଇଛି ଯେ ସାମ୍ପୁଲ ଆଇଡି-୩୪୦୮୫୫୦୦୧ ଓ ଏସ୍‌ଆରଏଫ୍‌ ଆଇଡି ଠିକ୍‌ ରହିଛି। ଏହାସହ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ପଜିଟିଭ୍ ରିପୋର୍ଟ ମଧ୍ୟ ଅସଲି ରହିଥିଲେ ହେଁ ଏଥିପାଇଁ ଆବଶ୍ୟକ ପଦ୍ଧତି ଅନୁସରଣ କରାଯାଇ ନ ଥିବାରୁ ଲ୍ୟାବ୍‌ ପକ୍ଷରୁ ଜାଲ୍‌ କୋଭିଡ ପଜିଟିଭ୍ ସାର୍ଟିଫିକେଟ୍ ଦିଆଯାଉଥିବା ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଆସନ୍ତା ୩ଦିନ ଭିତରେ ଏ ସଂପର୍କିତ ଉତ୍ତର ନ ରଖିଲେ ମହାମାରୀ ରୋଗ ଆଇନ ଅନୁଯାୟୀ ଲ୍ୟାବ୍‌ର ଲାଇ‌ସେନ୍ସ ବାତିଲ କରାଯିବ ବୋଲି ବିଏମ୍‌ସି ଚେତାବନୀ ଦେଇଛି।

ଅନ୍ୟପକ୍ଷରେ କୋଭିଡ୍‌ ମହାମାରୀ ସମୟରେ ଟଙ୍କା ନେଇ ଜାଲ୍ ପଜିଟିଭ୍ ସାର୍ଟିଫିକେଟ୍ ଯୋଗାଡ଼ କରୁଥିବା ରୢାକେଟ୍‌ ସକ୍ରିୟ ଥିବା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗର ଚେତା ପଶିଛି। ଏହାଦ୍ବାରା ରାଜ୍ୟରେ ମିଛ ପଜିଟିଭ୍ ସଂଖ୍ୟା ବଢ଼ିବା ସହ ଅଯଥାରେ ଏକ ଭୟର ବାତାବରଣ ସୃଷ୍ଟି ହେଉଥିବ‌ାରୁ କିଭଳି ଢଙ୍ଗରେ ଏହି ରୢାକେଟ୍ ପାଖରେ ପହଞ୍ଚି ହେବ ତାହାର ଅନୁଧ୍ୟାନ କରାଯାଉଛି। ତେବେ କେବେଠାରୁ ରାଜଧାନୀରେ ଏହି ରୢାକେଟ୍‌ ସକ୍ରିୟ ହେଲାଣି ଏବଂ ଏହା ଭିତରେ ଏଭଳି କେତେ ଲୋକ ବିନା ନମୁନା ପରୀକ୍ଷାରେ କୋଭିଡ ପଜିଟିଭ୍ ସାର୍ଟିଫିକେଟ୍ ନେଲେଣି, ତାସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ମିଳୁନାହିଁ। ତେଣୁ ଏଭଳି ଢଙ୍ଗରେ ଜାଲ୍‌ ରିପୋର୍ଟ ପ୍ରସ୍ତୁତ କରି ରାଜଧାନୀରେ ଅଯଥାରେ କରୋନା ସଂଖ୍ୟା ବଢ଼ାଉଥିବା ରୢାକେଟ୍ ନିକଟରେ ତଦନ୍ତ ପହଞ୍ଚି ପାରିବ କି ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରପକ୍ଷରେ ଆଜି ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜଣେ ଅବସରପ୍ରାପ୍ତ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ଏଭଳି ଘଟଣାକୁ ସତ ବୋଲି ‘ସମ୍ବାଦ’କୁ କହିଛନ୍ତି। ସେ କହିଛନ୍ତି ଯେ କୋଭିଡ ଡ୍ୟୁଟିରୁ ଦୂରେଇ ରହିବା ଲାଗି ଏଭଳି ପଦ୍ଧତି ଆପଣାଇଥିବା କିଛି ଡାକ୍ତରଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜାଣିଛି। ସଂପୃକ୍ତ ଡାକ୍ତରଙ୍କ ଉପରେ ସେମାନଙ୍କ ଗଡ୍‌ଫାଦରଙ୍କ ଆଶୀର୍ବାଦ ରହିଥିବାରୁ ‌ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

ଆମର ସଂପୃକ୍ତି ନାହିଁ: ଜେନ୍‌ଏକ୍ସ

ଭୁବନେଶ୍ବର: ଟଙ୍କା ଦେଇ କୋଭିଡ୍‌ ପଜିଟିଭ୍ ହାସଲ କରିବା ଘଟଣା ସାମ୍ନାକୁ ଆସିବା ପରେ ଆଜି ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜେନ୍‌ଏକ୍ସ ଡାଏଗ୍ନୋଷ୍ଟିକ୍ସକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହିତ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ତେବେ ଏହି ପ୍ରସଙ୍ଗରେ ଜେନ୍‌ଏକ୍ସ କର୍ତ୍ତୃପକ୍ଷ ନିଜ ସଂପୃକ୍ତିକୁ ଖଣ୍ଡନ କରିଛନ୍ତି। ଏକ ସ୍ପଷ୍ଟୀକରଣରେ ଜେନ୍‌ଏକ୍ସର ନିର୍ଦ୍ଦେଶକ ସୁନିଲ କୁମାର ରାଉତ ଦର୍ଶାଇଛନ୍ତି ଯେ ଆଜି ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ପ୍ରକାଶିତ ‘ଟଙ୍କ‌ା ଦିଅ, ପଜିଟିଭ୍ ରିପୋର୍ଟ ନିଅ’ ଶୀର୍ଷକ ଖବରରେ ମନସ୍ମିତା ମହାପାତ୍ରଙ୍କ ନାଁରେ ଯେଉଁ କୋଭିଡ ପଜିଟିଭ ‌ରିପୋର୍ଟର ଫଟୋ ପ୍ରକାଶ ପାଇଛି, ତାହା ଜେନେକ୍ସ ଡାଏଗ୍ନୋଷ୍ଟିକ୍ସ ପକ୍ଷରୁ ପ୍ରଦାନ କରାଯାଇଛି। ମାତ୍ର ବିନା ନମୁନା ସଂଗ୍ରହରେ ଏଭଳି ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ଯାହା ପ୍ରକାଶ ପାଇଛି, ସେଥିରେ ଆମର କୌଣସି ସଂପୃକ୍ତି ନାହିଁ।

ଏବେ ଜେନ୍‌ଏକ୍ସ ପକ୍ଷରୁ ପ୍ରତିଦିନ ପ୍ରାୟ ୨୦୦ରୁ ଅଧିକ ନମୁନା ସଂଗ୍ରହ କରାଯାଉଛି ଏବଂ ଏହାର ପରୀକ୍ଷା କରାଯାଇ ରିପୋର୍ଟ ପ୍ରଦାନ କରାଯାଉଛି। ଏଥିରୁ ପ୍ରାୟ ୧୫୦ରୁ ଅଧିକ ନମୁନା ଆମେ ସିଧାସଳଖ ରୋଗୀଙ୍କଠାରୁ ସଂଗ୍ରହ କରିଥାଉ। ଅବଶିଷ୍ଟ ନମୁନା ବିଭିନ୍ନ ହସ୍ପିଟାଲରୁ ଆମ ପାଖକୁ ପରୀକ୍ଷା ପାଇଁ ଆସିଥାଏ। ପ୍ରତ୍ୟେକ କ୍ଷେତ୍ରରେ ଆମେ ନମୁନା ପରୀକ୍ଷା ଲାଗି ୪୦୦ ଟଙ୍କା ନେଇଥାଉ। ପ୍ରକାଶିତ ଖବରରେ ଯେଉଁ ମନସ୍ମିତା ମହାପାତ୍ରଙ୍କ କଥା ଉଲ୍ଲେଖ କରାଯାଇଛି, ସେହି ନମୁନାଟି ଆମେ ସିଧାସଳଖ ସଂଗ୍ରହ କରି ନ ଥିଲୁ। ଏକ ଘରୋଇ ହସ୍ପିଟାଲ ପକ୍ଷରୁ ଏହା ଆମ ପାଖକୁ ଆସିଥିଲା। ‌ଆମେ ନମୁନା ପରୀକ୍ଷା ପାଇଁ ୪୦୦ ଟଙ୍କା ନେଇଥିଲୁ ଏବଂ ସଂପୃକ୍ତ ହସ୍ପିଟାଲ ପକ୍ଷରୁ ଆମକୁ ଦିଆଯାଇଥିବା ନାମ ଓ ଠିକଣାରେ ରିପୋର୍ଟ ପ୍ରଦାନ କରିଥିଲୁ। ତେଣୁ ନମୁନାଟି ମନସ୍ମିତା ମହାପାତ୍ରଙ୍କର କି ନୁହେଁ, ତାହା ଆମ ପକ୍ଷରେ ଜାଣିବାର ଅବକାଶ ନ ଥିଲା। ଏବେ ବି ସେହି ନମୁନାଟି ଆମ ନିକଟରେ ସୁରକ୍ଷିତ ରହିଛି, ଯାହା ପଜିଟିଭ୍ ରହିଛି। ତେଣୁ କୌଣସି ସଂପୃକ୍ତି ନ ଥାଇ ମଧ୍ୟ ଏହି ମାମଲାରେ ଆମକୁ ଅଯଥାରେ ବଦନାମ କରାଯାଉଛି। ପୂରା ଘଟଣାରେ ଆମର କୌଣସି ଭୂମିକା ନାହିଁ ବୋଲି ଆମେ ସ୍ପଷ୍ଟ କରିବାକୁ ଚାହୁଛୁ।

ସମ୍ବନ୍ଧିତ ଖବର