ସମ୍ବାଦ ପ୍ରଭାବ: ପୁନରୁଦ୍ଧାର ହେଲା ନିରାକାରପୁର କଲେଜ ପାଣିଟାଙ୍କି

ନିରାକାରପୁର: ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ଥିବା ପାଣିଟାଙ୍କିଟି ଦୀର୍ଘବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା। ଟାଙ୍କିଟିର ଚତୁଃପାର୍ଶ୍ବ ଫାଟି ପାଣି ଗଳୁଥିଲା। ଅନାବନା ଗୁଳ୍ମଲତା ଉଠି ଟାଙ୍କିଟି ଏକପ୍ରକାର କୃତ୍ରିମ ବଣର ଭ୍ରମ ସୃଷ୍ଟି କରୁଥିଲା। ଫଳରେ ଟାଙ୍କି ଉପରେ ନିର୍ଭର କରୁଥିବା ମହାବିଦ୍ୟାଳୟର ପ୍ରାୟ ୩ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଏବଂ ବିଜ୍ଞାନ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ଗତ ମାସରେ ‘ଭୁଶୁଡ଼ିବ କଲେଜ ପାଣିଟାଙ୍କି’ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀଙ୍କ ସ୍ବାର୍ଥଦୃଷ୍ଟିରୁ ଏଇ କିଛିଦିନ ହେବ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଡଃ ସଞ୍ଜୟ କୁମାର ମହାପାତ୍ର କଲେଜ ପକ୍ଷରୁ ଆର୍ଥିକ କ୍ଷମତା ଦାୟିତ୍ବ ନମିଳିବା ସତ୍ତ୍ବେ ନିଜସ୍ବ ଖର୍ଚ୍ଚରେ ଜରାଜୀର୍ଣ୍ଣ ପଣିଟାଙ୍କିଟିର ପୁନରୁଦ୍ଧାର କରିଥିବା ଜଣାଯାଇଛି। ଅନୁରୂପ ଭାବେ ୩,୪,୫ ଓ ୬ ନମ୍ବର ଶ୍ରେଣୀଗୃହର ପୁନରୁଦ୍ଧାର ସମେତ ନବାଗତ ପ୍ରଥମବର୍ଷ କଳା ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୪୦,୦୦୦ ଟଙ୍କା ବ୍ୟୟରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଏହିପରି ପଙ୍ଖା ଲଗାଇବା କାର୍ଯ୍ୟକ୍ରମ ସହ ଷ୍ଟୁଡେଣ୍ଟ୍ କମନରୁମ୍‌ ଏବଂ ଜରାଜୀର୍ଣ୍ଣ କ୍ୟାମ୍ପସ୍‌ର ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ସୂଚନାଯୋଗ୍ୟ ଯେ ୧୯୫୯ ମସିହାରେ ନିର୍ମିତ ଓଡିଶାର ସର୍ବପ୍ରଥମ ଗ୍ରାମୀଣ ବିଜ୍ଞାନ ମହାବିଦ୍ୟାଳୟର ନାମରେ ନିଜସ୍ବ ଗୁଣ୍ଠେ ହେଲେ ବିଜମି ନାହିଁ। ଫଳରେ ଏହା ସ୍ବୟଂଶାଶିତ ମହାବିଦ୍ୟାଳୟର ମାନ୍ୟତାରୁ ବଂଚିତ ହେବା ସହ ବିଶ୍ବବ୍ୟାଙ୍କରୁ ଆସିଥିବା ୯କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅନୁଦାନ ଖର୍ଚ୍ଚ ହୋଇପାରୁନାହିଁ। ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର