‘ସମ୍ବାଦ’ ଯାଜପୁର ସଂସ୍କରଣ ଲୋକାର୍ପଣ ଉତ୍ସବ ଆଜି

ଯାଜପୁର : ରାଜ୍ୟର ସର୍ବାଧିକ ବହୁଳ ପ୍ରସାରିତ ଓ ପଠିତ ଖବରକାଗଜ ‘ସମ୍ବାଦ’ର ଯାଜପୁର ସଂସ୍କରଣର ଲୋକାର୍ପଣ ଉତ୍ସବ ଆଜି ଅନୁଷ୍ଠିତ ହେବ। ଯାଜପୁର ରୋଡ୍‌ସ୍ଥିତ ବ୍ରାହ୍ମଣୀ ହୋଟେଲ୍‌ରେ ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ସାଢ଼େ ୬ଟାରେ ଲୋକାର୍ପଣ ଉତ୍ସବ ଓ ସମ୍ବର୍ଧନା ସମାରୋହ ହେବ।

‘ସମ୍ବାଦ’ର ନବମ ସଂସ୍କରଣ ରୂପେ ଯାଜପୁର ସଂସ୍କରଣ ଲୋକାର୍ପିତ ହେବାକୁ ଯାଉଥିବା ବେଳେ ଉଦ୍‌ଘାଟକ ଭାବେ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ କୁମାର ଜେନା, ମୁଖ୍ୟ ଅତିଥି ଭାବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଦୀପ କୁମାର ପୁରୋହିତ, ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ଆକାଶ ଦାସ ନାୟକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯାଜପୁର ଓ କେନ୍ଦୁଝର ମାଟିର ବରପୁତ୍ରଙ୍କୁ ସମ୍ବର୍ଧିତ କରାଯିବ। ଉତ୍ସବରେ ସମ୍ବର୍ଧନା ପାଇବାକୁ ଥିବା ବ୍ୟକ୍ତିବିଶେଷ ମାନେ ହେଲେ ଅତିବଡ଼ୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଅଚ୍ୟୁତାନନ୍ଦ ପତି, ସର୍ବକନିଷ୍ଠ ଏଭେରେଷ୍ଟ୍‌ ଆରୋହଣକାରୀ ସ୍ୱର୍ଣ୍ଣଲତା ଦଳେଇ, ଆନ୍ତର୍ଜାତିକ ଧାବିକା ଦୂତୀ ଚାନ୍ଦ, ମୁମ୍ବାଇ ସ୍ଥିତ ଏସିଆ ହାର୍ଟ ହସ୍‌ପିଟାଲର୍‌ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, ବୌଦ୍ଧ ଗବେଷକ ଓ ସଂଗ୍ରାହକ ଡ. ନୃସିଂହ ସାହୁ, ଗାଳ୍ପିକ ରାମଚନ୍ଦ୍ର ବେହେରା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କଣ୍ଢେଇ ନାଚ କଳାକାର ମାଗୁଣି କୁଅଁର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ, ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ବରିଷ୍ଠ ସମାଜସେବୀ କିରଣ ସାହୁ।

ସମ୍ବନ୍ଧିତ ଖବର