‘ସମ୍ବାଦ’ ଯାଜପୁର ସଂସ୍କରଣ ଲୋକାର୍ପିତ : ସାଧାରଣ ଲୋକଙ୍କ ସ୍ୱର ‘ସମ୍ବାଦ’

ଯାଜପୁର : ‘ସମ୍ବାଦ’ କେବଳ ଏକ ଖବରକାଗଜ ନୁହେଁ, ସାମାଜିକ ପରିବର୍ତ୍ତନର ପ୍ରବର୍ତ୍ତକ। ସେ ନିରପେକ୍ଷତା କ୍ଷେତ୍ରରେ ହେଉ ଅବା ନିର୍ଭୀକ ସାମ୍ବାଦିକତା ଦିଗରେ ସବୁବେଳେ ନିଜର ଉତ୍ତରଦାୟିତ୍ୱ ନିଭାଇଛି। କେବେହେଲେ ନିଜ ବିଚାରରେ ସାଲିସ୍‌ କରିନାହିଁ। ଶାସକ ହେଉ କି’ ବିରୋଧୀ ସବୁ ଦଳକୁ ସମାନ ଗୁରୁତ୍ୱ ଦେଇ ଖବର ପରିବେଷଣ କରିଛି। ପୁଣି ଆଞ୍ଚଳିକ ସଂସ୍କରଣ ଜରିଆରେ ରାଜ୍ୟର କୋଣ ଅନୁକୋଣରୁ ଲୋକଙ୍କ ସମସ୍ୟାକୁ ଅଧିକ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଣୁ ଜନସାଧାରଣଙ୍କ ସ୍ୱର ରୂପେ ପରିଚିତ ‘ସମ୍ବାଦ’ କୌଣସି ରାଜନୈତିକ ଦଳ କିମ୍ବା ଗୋଷ୍ଠୀର ନୁହେଁ, ସାଧାରଣ ଲୋକଙ୍କ ଖବରକାଗଜ ବୋଲି ‘ସମ୍ବାଦ’ର ଯାଜପୁର ସଂସ୍କରଣ ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।

ଯାଜପୁର ରୋଡ୍‌ସ୍ଥିତ ବ୍ରାହ୍ମଣୀ ହୋଟେଲ୍‌ରେ ଆଜି ସଂଧ୍ୟାରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ସ୍ୱାସ୍ଥ୍ୟ ତଥା ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ପ୍ରତାପ କୁମାର ଜେନା, ମୁଖ୍ୟ ଅତିଥି ଭାବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଜେଡି ମୁଖ୍ୟ ସଚେତନ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରଦୀପ କୁମାର ପୁରୋହିତ, ବିଧାୟକ ଆକାଶ ଦାସ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ, ୩୪ବର୍ଷ ପୂର୍ବେ ସମ୍ବାଦ ଯେତେବେଳେ ଜନ୍ମ ନେଲା, ସେତେବେଳେ ଏହାକୁ କଂଗ୍ରେସ ଖବରକାଗଜ ଆଖ୍ୟା ଦିଆଯାଇଥିଲା। ମାତ୍ର ନିରପେକ୍ଷତା ଓ ନିର୍ଭୀକ ଖବର ପରିବେଷଣ କରି ଆଜି ‘ସମ୍ବାଦ’ କେବଳ ଓଡ଼ିଶା ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିନାହିଁ, ରାଜ୍ୟର ଏକ ନମ୍ବର ଖବରକାଗଜ ମାନ୍ୟତା ବି ପାଇଛି। ସଂପାଦକୀୟ ପୃଷ୍ଠାରେ ଯେହେତୁ ନିଜସ୍ୱ ମତ ଲେଖିବାର ଅଧିକାର ରହିଛି, ତେଣୁ ସେହି ପୃଷ୍ଠାକୁ ବାଦ୍‌ ଦେଲେ ଅନ୍ୟ ସବୁ ପୃଷ୍ଠାର ଖବରରେ କେବେହେଲେ ପକ୍ଷପାତିତା କରାଯାଇନାହିଁ। ନିରପେକ୍ଷତା ବଜାୟ ରଖିଛି। ଶାସକ ଦଳ ଖବରକୁ ଯେତିକି ଗୁରୁତ୍ୱ ଦିଆଯାଇଛି, ସମତାଳରେ ବିରୋଧୀ ଦଳ ଖବରକୁ ବି ସେହି ପରିମାଣରେ ଗୁରୁତ୍ୱ ଦିଆଯାଇ ପରିବେଷଣ କରାଯାଇଛି ବୋଲି ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଆଞ୍ଚଳିକ ସଂସ୍କରଣର ପ୍ରାସଙ୍ଗିକତା ଉପରେ ମତ ରଖି ଶ୍ରୀ ମିଶ୍ର କହିଥିଲେ, ଲୋକଙ୍କ ସମସ୍ୟା ସହିତ ଯୋଡ଼ି ହେବାର ଏହି ପ୍ରୟାସ ବାସ୍ତବିକ ପ୍ରଶଂସନୀୟ। କିନ୍ତୁ ଅନେକ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଖବର ଆଞ୍ଚଳିକ ସ୍ତରରେ ହିଁ ସୀମିତ ରହୁଥିବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇପାରୁନାହିଁ। ଏଣୁ ବିଭିନ୍ନ ଅଂଚଳରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକୁ ଯଦି ରାଜ୍ୟ ପୃଷ୍ଠାରେ ଦିଆଯା’ନ୍ତା, ତେବେ ସମସ୍ୟାର ସମାଧାନ ତ୍ୱରିତ ହୋଇପାରନ୍ତା ବୋଲି ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିବା ସହ ଏ ଦିଗରେ ସଂପାଦକ ବିଚାର କରିବାକୁ ପ୍ରସ୍ତାବ ଦେଇଥିଲେ।

ଉଦ୍‌ଘାଟକ ଭାବେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ୧୯୮୪ମସିହାରେ ‘ସମ୍ବାଦ’ ଜନ୍ମ ନେବା ପରେ ଓଡ଼ିଶା ଗଣମାଧ୍ୟମ ଜଗତରେ ନୂଆ ବିପ୍ଲବ ଆରମ୍ଭ ହୋଇଥିଲା। ପୂର୍ବରୁ ଯେଭଳି ପାରମ୍ପରିକ ଢାଞ୍ଚାରେ ଖବର ପରିବେଷଣ ହେଉଥିଲା, ତାହାକୁ ଏହି ଅନୁଷ୍ଠାନ ବଦଳାଇ ନୂଆ ତଥା ନିଆରା ଢଙ୍ଗରେ ସଠିକ୍‌ ଖବର ପରିବେଷଣ କରିବା ସହ ପେସାଦାର ସାମ୍ବାଦିକତାର ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି। ଯେଉଁଥିପାଇଁ ସମ୍ବାଦ ଆଜି ଓଡ଼ିଶାର ଲୋକପ୍ରିୟ ଏକ ନମ୍ବର ଖବରକାଗଜ ହେଇପାରିଛି ବୋଲି ଶ୍ରୀ ଜେନା କହିଥିଲେ। ଏ ଦିଗରେ ହକର୍‌ଙ୍କଠୁ ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ସମ୍ମାନିତ ଅତିିଥି ବିଧାୟକ ଶ୍ରୀ ପୁରୋହିତ କହିଥିଲେ, ‘ସମ୍ବାଦ’ ଜନ୍ମ ନେବା ପରେ ବହୁ ସମାଲୋଚନାର ଶିକାର ହୋଇଥିଲା। କିନ୍ତୁ ସେସବୁ ଏବେ ଇତିହାସ ହେଇଗଲାଣି। ବର୍ତ୍ତମାନ ସମ୍ବାଦ ସାଧାରଣ ଜନତାଙ୍କ ସ୍ୱର ପାଲଟିିଛି। ଏହାପଛରେ ଦୁଇଟି କାରଣ ରହିଛି। ପ୍ରଥମତଃ ସଠିକ୍‌ ଖବର ଲୋକଙ୍କ ନିକଟରେ ତ୍ୱରିତ ପହଞ୍ଚାଇବା ସହ ସାଧାରଣ ଲୋକଙ୍କ ସ୍ୱରକୁ ଅତି ଶାଣିତ ଢଙ୍ଗରେ ପରିବେଷଣ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛି।

ସମ୍ମାନିତ ଅତିଥି ଭାବେ ମୁଖ୍ୟ ସଚେତକ ଶ୍ରୀ ଶତପଥୀ ‘ସମ୍ବାଦ’ର ଏହି ନୂତନ ସଂସ୍କରଣ ଉଭୟ ଯାଜପୁର ଓ କେନ୍ଦୁଝର ଜିଲ୍ଳାର ସାଧାରଣ ଲୋକଙ୍କ ସମସ୍ୟାକୁ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରେ ସହାୟକ ହେବ ବୋଲି କହିଥିଲେ।

ଅନ୍ୟତମ ସମ୍ମାନିତ ଅତିିଥି ବିଧାୟକ ଶ୍ରୀ ନାୟକ କହିଥିଲେ, ଖବରକାଗଜରେ କେବଳ ନକରାତ୍ମକ ଖବର ପ୍ରକାଶ ନ କରି ଭଲ ଖବର ପରିବେଷଣ କରିବା ଉଚିତ୍‌। ସମାଜର ଅନେକ ରୋଲ ମଡେଲ୍‌ ଅଛନ୍ତି, ଯେଉଁମାନଙ୍କର ସମାଜ ପ୍ରତି ବହୁ ଅବଦାନ ରହିଛି। ସେମାନଙ୍କ ବିଷୟରେ ଯଦି ଖବର ପ୍ରକାଶ ହୁଅନ୍ତା, ତେବେ ଅନ୍ୟମାନେ ପ୍ରେରଣା ପାଆନ୍ତେ ବୋଲି ସେ କହିଥିଲେ।

ସଂପାଦକ ଶ୍ରୀ ପଟ୍ଟନାୟକ ନିଜ ସଭାପତିତ୍ୱ ଭାଷଣ ଦେଇ କହିଲେ, ସଂପ୍ରତି ସମ୍ବାଦପତ୍ର ଏକ ସଂକଟ ଦେଇ ଗତି କରୁଥିବା ବେଳେ ଯାଜପୁର ସଂସ୍କରଣ ଖୋଲାଯିବା ଏକ ଦୁଃସାହସିକ ପଦକ୍ଷେପ। ଏହା ପଛରେ ବାଧ୍ୟବାଧକତା ରହିଛି। ନିଜ ଅଂଚଳର ଖବରକୁ ନେଇ ଲୋକଙ୍କ ଚାହିଦା ବର୍ତ୍ତମାନ ଏତେ ମାତ୍ରାରେ ବଢ଼ିଛି ଯେ, ସେସବୁ ଖବର ଦେବା ପାଇଁ ଏଭଳି ସଂସ୍କରଣ ଖୋଲାଯିବା ଛଡ଼ା ଅନ୍ୟ କିଛି ବିକଳ୍ପ ଉପାୟ ନାହିଁ। ଅଧିକରୁ ଅଧିକ ଖବର ହିଁ ଏହି ଆଞ୍ଚଳିକ ସଂସ୍କରଣ ଜରିଆରେ ହିଁ ପ୍ରକାଶ କରାଯାଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଖବରକାଗଜର ବିଶ୍ୱସନୀୟତା ଉପରେ ମତ ରଖି ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ବିିଭିନ୍ନ ରାଜନୈତିକ ଦଳଠୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ସେମାନଙ୍କ ସପକ୍ଷରେ ଖବର ପ୍ରକାଶନ ପାଇଁ ଖବରକାଗଜକୁ ନିଜ କବ୍‌ଜାକୁ ନେବାକୁ ଉଦ୍ୟମ କରୁଛନ୍ତି। ଅର୍ଥ ବଳଠୁ ଆଇନ ବଳ ପ୍ରୟୋଗ କରିବାକୁ ବି ପଛାଉ ନାହାନ୍ତି। କିନ୍ତୁ ଏପରି ଉଦ୍ୟମ କରି କୌଣସି କ୍ଷମତାସୀନ ଦଳ ଅଥବା ନେତା ସାଧାରଣ ଲୋକଙ୍କ ସ୍ୱରକୁ ବେଶୀ ଦିନ ଚପାଇ ପାରିବ ନାହିଁ। ଦିନେ ନା ଦିନେ ସତ ପଦାକୁ ଆସିବ। ତେଣୁ କ୍ଷମତାସୀନ ବ୍ୟକ୍ତି ମାନେ ସ୍ୱାଧୀନ ମତକୁ ଗ୍ରହଣ କରିନେବା ଉଚିତ୍‌ ବୋଲି ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯାଜପୁର ଓ କେନ୍ଦୁଝର ମାଟିର ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଗାଳ୍ପିକ ରାମଚନ୍ଦ୍ର ବେହେରା, ଧାବିକା ଦୂତି ଚାନ୍ଦ, କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି କୁଅଁର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ, ସମାଜସେବୀ କିରଣ ଶଙ୍କର ସାହୁ, ବୌଦ୍ଧ ଗବେଷକ ଓ ସଂଗ୍ରାହକ ଡକ୍ଟର ନୃସିଂହ ଚରଣ ସାହୁ ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିଭଳି ଖ୍ୟାତିସଂପନ୍ନ ହୃଦ୍‌ ରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପାଇଁ ଭଉଣୀ ସସ୍ମିତା ପଣ୍ଡା, ଏଭରେଷ୍ଟ୍‍ ଆରୋହଣକାରୀ ସ୍ୱର୍ଣ୍ଣଲତା ଦଳେଇଙ୍କ ପାଇଁ ତାଙ୍କ ବାପା ମହେଶ୍ୱର ଦଳେଇ ଓ ମା ପ୍ରମିଳା ଦଳେଇ ଏବଂ ଅତିବଡ଼ି ପୁରସ୍କାରପ୍ରାପ୍ତ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କ ପାଇଁ ତାଙ୍କ ସହଯୋଗୀ ଗିରିଧାରୀ ସ୍ୱାଇଁ ପ୍ରମୁଖ ଅତିଥିଙ୍କୁୁ ସମ୍ବର୍ଧନା ଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ବିଶେଷାଙ୍କ ଉନ୍ମୋଚନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଡିଜିଏମ୍‌(ନ୍ୟୁଜ୍‌) ଭବାନୀ ଶଙ୍କର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଓ ଅତିଥିଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ। ମୁଖ୍ୟ ମହାପ୍ରବଂଧକ(ନ୍ୟୁଜ୍‌) ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ବାଦର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯାଜପୁର ଜିଲ୍ଲା ପ୍ରତିନିଧି ସଂଗ୍ରାମ ସିଂହ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବାଦ ସମ୍ପାଦକ (ଫିଚର) ଡ.ଗୌରହରି ଦାସ, ସମ୍ପାଦକ ସଂପାଦକୀୟ ପୃଷ୍ଠା ରଣଜିତ୍‌ ଗୁରୁ, ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ମାନବ ସମ୍ବଳ ବିଭାଗ ଉପ ମହାପ୍ରବନ୍ଧକ ବୈଜୟନ୍ତୀ କର, ସଂପାଦକ ପ୍ରକାଶନ ବିଭାଗ ଅସିତ ମହାନ୍ତି, ଆମ ଓଡ଼ିଶା ସଂଯୋଜକ ସ୍ୱରାଜ ମିଶ୍ର, ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ଯାଜପୁର ସଂସ୍କରଣ ସହକାରୀ ମହାପ୍ରବନ୍ଧକ (ନ୍ୟୁଜ) ଡ.ପ୍ରଦୀପ ମହାପାତ୍ର, କଟକ ସଂସ୍କରଣ ଶାଖା ପରିଚାଳକ ସୁଶିଲ ପ୍ରଧାନ ପ୍ରଧାନଙ୍କ ସମେତ ସମ୍ବାଦ ପରିବାରର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର