ଯାଜପୁର: ଇତିହାସକୁ ନେଇ ଗର୍ବ କରିବାରେ କିମ୍ବା ତାକୁ ନେଇ ଦାବି କରିବାରେ ଆମେ କେଉଁଠି ନା କେଉଁଠି ପଛରେ ପଡ଼ିଯାଇଛୁ। ମାଟି ଓ ମାତୃଭାଷା ସହିତ ସବୁବେଳେ ଯୋଡ଼ି ହୋଇ ରହିଲେ ଉତ୍ତର ପିଢ଼ି ଗର୍ବ କରିପାରିବେ। ନାଗରିକ ସମାଜର ପ୍ରତିନିଧି ହିସାବରେ ସମସ୍ତେ କୌଣସି ସ୍ବାର୍ଥ ଓ ଉଦ୍ଦେଶ୍ୟ ନ ରଖି ସାଂସ୍କୃତିକ ଉତ୍ସବରେ ସାମିଲ ହେବା, ଭାଇଚାରା ଓ ପରମ୍ପରାକୁ ସମ୍ମାନ ଜଣାଇ ନେତୃତ୍ବଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରିବା ଏବଂ ସର୍ବୋପରି ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦେବା ଏକ ମହତ କାର୍ଯ୍ୟ ବୋଲି ଆଜି ‘ସମ୍ବାଦ’ ପକ୍ଷରୁ ଯାଜପୁର ବ୍ୟାସନଗର ଟାଉନ୍‌ହଲଠାରେ ଆୟୋଜିତ କାଳୀପୂଜା‌ କୁଇଜ୍‌ ପ୍ରତିଯୋଗିତାର ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ବକ୍ତାମାନେ ମତପୋଷଣ କରିଛନ୍ତି।  

Advertisment

sfssfxcc

ମୁଖ୍ୟଅତିଥି ଯାଜପୁର ଭେଷଜ ମହାବିଦ୍ୟାଳୟର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର କହିଥି‌ଲେ, ବର୍ତ୍ତମାନର ପିଢ଼ି ବୈଷୟିକ ଜ୍ଞାନକୌଶଳ ପ୍ରତି ବିଶେଷ ଭାବରେ ଆକର୍ଷିତ ହେଉଛନ୍ତି। ଏହି ଅଭ୍ୟାସ ଭଲ, କିନ୍ତୁ ଏଥିରେ ଅତ୍ୟଧିକ ପ୍ରଭାବିତ ହେଲେ ତାହାର ଖରାପ ପ୍ରଭାବ ରହିଛି। ପୁରସ୍କାର ପ୍ରଦାନ ଉତ୍ସବ ଓ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଗଣେଶ ପୂଜା ନାଁରେ ଯେପରି ମହାରାଷ୍ଟ୍ର ସହର କିମ୍ବା ଦୁର୍ଗାପୂଜା ପାଇଁ କଲିକତା ସହର ପ୍ରସିଦ୍ଧି ଲାଭ କରିଛି, ସେହିପରି ଓଡ଼ିଶାରେ ମଧ୍ୟ କାଳୀପୂଜା ପାଇଁ ଯାଜପୁର ଜିଲ୍ଲା ପ୍ରସିଦ୍ଧି ଲାଭ କରିଛି। ଏହି ପୂଜା ଏବେ ଏଠାରେ ଏକ ବିରାଟ ଗଣପର୍ବରେ ପରିଣତ ହୋଇଛି।

ଯେଉଁଥିରେ ଜିଲ୍ଲାର ସବୁବର୍ଗର ଲୋକ ସାମିଲ ହୋଇଛନ୍ତି। ‘ସମ୍ବାଦ’ ମଧ୍ୟ ଏହି ଅବସରରେ ନିଜକୁ ଯୋଡ଼ିବାର ଏକ ପ୍ରୟାସ କରିଛି। ସମ୍ମାନିତ ଅତିଥି ଓଡ଼ିଶା ଖଣି ନିଗମର ଉପମହାପ୍ରବନ୍ଧକ ଦେବାଶିଷ ସାମଲ,  କଳିଙ୍ଗ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଡ. ଆଲେକ୍‌ଜାଣ୍ଡାର ଦାସ ‘ସମ୍ବାଦ’ ଏକ ଦାୟିତ୍ବସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ଭାବେ ଲୋକମାନଙ୍କ ପାଖରେ ପହଞ୍ଚିବାର ପ୍ରୟାସ ଜାରି ରଖିଥିବାରୁ ସାଧୁବାଦ ଜଣାଇଥିଲେ। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ କଟକର ଦୁର୍ଗାପୂଜା ଉଦାହରଣ ଦେଇ କହିଥିଲେ, ଏହି ପର୍ବ କଲିକତାଠାରୁ ବେଶ୍‌ ପୁରୁଣା। ନିଜର ଇତିହାସକୁ ମନେପକାଇ ଓ ଏହାକୁ ଉପସ୍ଥାପନ କରିବାକୁ ସେ ପରାମର୍ଶ ଦେଇଥିଲେ। ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାକ୍‌ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସହ ସମ୍ପାଦକ ପ୍ରଦୀପ କୁମାର ଦାସ। ଯାଜପୁର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।