ଭୁବନେଶ୍ବର: ‘ସମ୍ବାଦ’ର ୪୦ ବର୍ଷ ଓ ‘କନକ ନ୍ୟୁଜ୍’ର ୧୫ ବର୍ଷ ପୂର୍ତ୍ତି ଉତ୍ସବ    ଅବସରରେ ଆୟୋଜିତ ତିନିଦିନିଆ ‘ପୁନଶ୍ଚ ପୃଥିବୀ ମହାସମ୍ମିଳନୀ’ ଅକ୍ଟୋବର ୪ ତାରିଖ ଶୁକ୍ରବାର ସନ୍ଧ୍ୟା ୬ଟାରେ ଉଦ୍‌ଯାପିତ ହେବ। ହୋଟେଲ୍‌ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ‘ଦି ପ୍ରିଣ୍ଟ’ର ଅଧ୍ୟକ୍ଷ ଓ ମୁଖ୍ୟ ସମ୍ପାଦକ ଶେଖର ଗୁପ୍ତା ଓ ବରିଷ୍ଠ ସାମ୍ବାଦିକ ତଥା‌ ସ୍ତମ୍ଭକାର ଦିନେଶ ଚନ୍ଦ୍ର ଶର୍ମା ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ‌ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାର ତିନିଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏଥିସହ ପୂର୍ବରୁ ଘୋଷଣା ହୋଇଥିବା ରାଜ୍ୟସ୍ତରୀୟ ଭାଷାଜ୍ଞାନ, ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମଧ୍ୟ ପୁରସ୍କୃତ ହେବେ।

Advertisment

ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଚିତ୍ରାଙ୍କନରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହାସ୍ଥିତ ସିଦ୍ଧାର୍ଥ ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ଭାଗ୍ୟଶ୍ରୀ ମାନବୀ ମିଶ୍ର, କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ଅନ୍ତର୍ଗତ କୁମୁଡ଼ାବାହାଲସ୍ଥିତ ଗ୍ରାମବିକାଶ ଶିକ୍ଷା ନିକେତନର ଚତୁର୍ଥ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଓ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାସ୍ଥିତ ସୁନାବେଢ଼ା ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ଦେବାଂଶୀ କୁଳଦୀପଙ୍କୁ ପୁରସ୍କୃତ କରାଯିବ। ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା ବଡ଼ଚଣାସ୍ଥିତ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରୀନିକା ପଣ୍ଡା, ଜଗତ୍‌ସିଂହପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମଜା ମହାନ୍ତି ଓ କେନ୍ଦୁଝର ଜିଲ୍ଲା ତେଲକୋଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଡ଼ିଆ)ର ସପ୍ତମ ଶ୍ରେଣୀ ଛାତ୍ରୀ ସାଗରିକା ମହାନ୍ତ ଏବଂ ଓଡ଼ିଆ ଭାଷାଜ୍ଞାନ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସେଣ୍ଟସ୍‌ ଭେଲି ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଗୁଞ୍ଜନ ପୁରୋହିତ, ବାଲେଶ୍ବର ଜିଲ୍ଲା ମାର୍କୋଣାର ରଘୁନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଭବାନୀଶଙ୍କର ମହାରଣା ଓ ଖୋର୍ଦ୍ଧା ଜିଲ୍ଲା ତମାଣ୍ତୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ପ୍ରୀତି ପ୍ରିୟଦର୍ଶିନୀ ନାୟକଙ୍କୁ ପୁରସ୍କୃତ କରାଯିବ।