ଭୁବନେଶ୍ବର : ରାଜ୍ୟରେ ପୁଣିଥରେ ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବ ବିଜୁ ଜନତା ଦଳ। ନବୀନ ପଟ୍ଟନାୟକ ରେକର୍ଡ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ। ବିଧାନସଭାରେ ବହୁମତ ପାଇଁ ୭୪ ଆସନର ଆବଶ୍ୟକତା ଥିବାବେଳେ ବିଜେଡି ଏକାକି ଏଥର ୮୫ରୁ ୯୫ ଆସନରେ ବିଜୟ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିବାକୁ ଯାଉଛି। ଅନ୍ୟପକ୍ଷରେ ମିଶନ୍-୧୨୦+ର ସ୍ବପ୍ନ ଦେଖୁଥିବା ବିଜେପିର ସ୍ବପ୍ନ ସାକାର ହେବାର କୌଣସି ଲକ୍ଷଣ ଦେଖା ଯାଉନାହିଁ। ୨୦୧୪ ତୁଳନାରେ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କଲେ ମଧ୍ୟ ରାଜ୍ୟରେ ସରକାର ଗଢ଼ିବା ଆଶା ପୂରଣ ହେଲା ଭଳି ମନେ ହେଉ ନାହିଁ। ଓଡ଼ିଶାରେ ପ୍ରଥମ ଥର ପାଇଁ ୧୪୬ଟି ଯାକ ବିଧାନସଭା ଆସନରେ ପାଖାପାଖି ୧ ଲକ୍ଷ ମତଦାତାଙ୍କୁ ‌େନଇ ‘ସମ୍ବାଦ-କନକ ନ୍ୟୁଜ୍‌’ ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ରୁ ମିଳିଛି ଏଭଳି ସଂକେତ।

Advertisment

କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ରାଜ୍ୟର ଅଧିକାଂଶ ଲୋକସଭା ଆସନରେ ବିଜେଡିଠାରୁ ବିଜେପି ଆଗରେ ରହିବାର ସୂଚନା ମିଳୁଛି। ଗତ ନିର୍ବାଚନରେ ଓଡ଼ିଶାର ୨୧ ଲୋକସଭା ଆସନରୁ ବିଜେଡି ୨୦ରେ ବିଜୟୀ ହୋଇଥିବାବେଳେ ଏଥର ବିଜେପି ୮ରୁ ୧୨ ଆସନରେ ବାଜିମାତ୍ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ବିଜେଡିର ଲୋକସଭା ଆସନ ସଂଖ୍ୟା ୧୦ ତଳକୁ ମଧ୍ୟ ଖସି ଆସିବାର ଆଶଙ୍କା ସୃଷ୍ଟି ହୋଇଛି। ସହରାଞ୍ଚଳ ଗ୍ରାମାଞ୍ଚଳ ନିର୍ବିଶେଷର ରାଜ୍ୟରେ ପ୍ରଥମ ଥର ପାଇଁ ଏକ ବୃହତ ମତଦାତା ଗୋଷ୍ଠୀ ବିଧାନସଭା ଓ ଲୋକସଭାରେ ସ୍ପ୍ଲିଟ୍ ଭୋଟିଂ (ବିଭାଜିତ ମତଦାନ) କରିଥିବାରୁ ଫଳାଫଳ ଏଭଳି ହେବାର ସୂଚନା ମିଳୁଛି।

ଅନ୍ୟପକ୍ଷରେ ବିଧାନସଭାରେ ବିଜେଡି ପୂର୍ବ ଚାରିଟି ନିର୍ବାଚନ ଭଳି ଏଥର ମଧ୍ୟ ବାଜିମାତ କରିବାକୁ ଯାଉଛି। ତେବେ ଗତଥର ତୁଳନାରେ ଏଥର ବିଜେଡିର ଆସନ ସଂଖ୍ୟା କମିବ ବୋଲି ଅନୁମାନ କରାଯାଉଛି। ଗ୍ରାମାଞ୍ଚଳ ଓ ମହିଳା ଭୋଟରଙ୍କ ବିପୁଳ ସମର୍ଥନ ସତ୍ତ୍ବେ ବିଜେଡି ଏଥର ୮୫ରୁ ୯୫ ଆସନରେ ବିଜୟୀ ହେବ ବୋଲି ଅନୁମାନ କରାଯାଉଛି। ସରକାର ଗଢ଼ି ନ ପାରିଲେ ମଧ୍ୟ ବିଜେପି ୨୫ରୁ ୩୪ ଆସନ ଜିତି ଦ୍ବିତୀୟ ଦଳର ମାନ୍ୟତା ପାଇବାକୁ ଯାଉଛି। ଆଉ କ୍ରମଶଃ ତଳକୁ ତଳକୁ ଯାଉଥିବା କଂଗ୍ରେସ ୧୨ରୁ ୧୫ ଆସନ ଜିତି ତୃତୀୟ ସ୍ଥାନରେ ରହିବ ବୋଲି ଅନୁମାନ କରାଯାଉଛି।

ଭୋଟ ପ୍ରତିଶତ ଦୃଷ୍ଟିରୁ ବିଚାର କଲେ ବିଜେପିକୁ ବଡ଼ ଧରଣର ଲାଭ ମିଳିବାକୁ ଯାଉଥିବାବେଳେ କଂଗ୍ରେସ ବିପୁଳ କ୍ଷତି ସହିବାକୁ ଯାଉଛି। ବିଜେଡିର ଭୋଟ ପ୍ରତିଶତ ପ୍ରାୟତଃ ସ୍ଥିର ରହିଛି। ଲୋକସଭା ଆସନ‌ ପାଇଁ ହୋଇଥିବା ମତଦାନରେ ବିଜେଡିକୁ ୩୯ ପ୍ରତିଶତ ଭୋଟ ମିଳିବ‌ାକୁ ଯାଉଥିବାବେଳେ ବିଜେପିକୁ ତିନି ପ୍ରତିଶତ ଅଧିକ ମତ ଅର୍ଥାତ ୪୨ ପ୍ରତିଶତ ମତ ମିଳିବାର ସମ୍ଭାବନା ରହିଛି। ଆଉ କଂଗ୍ରେସ ମାତ୍ର ୧୬ ପ୍ରତିଶତ ମତ ପାଇବ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୪ରେ ଲୋକସଭା ଆସନରେ ବିଜେପିକୁ ୨୧.୫ ପ୍ରତିଶତ ମତ ମିଳିଥିବାବେଳେ ବିଧାନସଭାରେ ପ୍ରାୟ ୧୮ ପ୍ରତିଶତ ମିଳିଥିଲା। ସେହିପରି ବିଜେଡିକୁ ବିଧାନସଭାରେ ୪୪.୧୦ ପ୍ରତିଶତ ଏବଂ ବିଧାନସଭାରେ ୪୩.୬୫ ପ୍ରତିଶତ ଭୋଟ ମିଳିଥିଲା। ଆଉ କଂଗ୍ରେସକୁ ଲୋକସଭା ଓ ବିଧାନସଭାରେ ପ୍ରାୟ ୨୬ ପ୍ରତିଶତ ଭୋଟ ମିଳିଥିଲା। ତେଣୁ ଯଦି ଏକଜିଟ୍ ପୋଲ ଫଳାଫଳ ସତ ହୁଏ ଏଥର କଂଗ୍ରେସ ପ୍ରାୟ ୧୦ ପ୍ରତିଶତ ଭୋଟ ହରାଇବାକୁ ଯାଉଥିବାବେଳେ ବିଜେପି ଲୋକସଭାରେ ପ୍ରାୟ ୨୦ ପ୍ରତିଶତ ଅଧିକ ଭୋଟ ହାତେଇବାକୁ ଯାଉଛି।

ସମ୍ବାଦ-କନକ ନ୍ୟୁଜ୍‌ ଏକଜିଟ୍‌ ପୋଲ୍‌ ସର୍ଭେ ଅନୁଯା‌ୟୀ ପ୍ରଥମ ଥର ପାଇଁ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁରରୁ ବଡ଼ ବ୍ୟବଧାନରେ ବିଜୟୀ ହେବେ। ଅନ୍ୟ ହେଭିୱେଟ୍ ନେତାମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡ଼ ଲୋକସଭା ଆସନରୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘସିପୁରା ଆସନରୁ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଜଗତସିଂହପୁର ବିଧାନସଭା ଆସନରୁ, ଅନ୍ୟତମ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ନବରଙ୍ଗପୁର ଲୋକସଭା ଆସନରୁ, ରାଜ୍ୟସଭା ସାଂସଦସୌମ୍ୟରଂଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାନସଭା ଆସନରୁ, ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ, କଂଗ୍ରେସରୁ ବିଜେଡିକୁ ଯାଇଥିବା ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁର ଲୋକସଭା ଆସନରୁ, ମନ୍ତ୍ରୀ ମହେଶ୍ବର ମହାନ୍ତି ପୁରୀ ବିଧାନସଭା ଆସନରୁ, ପ୍ରଦୀପ ମହାରଥୀ ପିପିଲିରୁ, ସୂର୍ଯ୍ୟନାରାୟଣ ପାତ୍ର ଦିଗପହଣ୍ଡିରୁ, ବିକ୍ରମ କେଶରୀ ଆରୁଖ ଭଞ୍ଜନଗରରୁ, ଅରୁଣ ସାହୁ ନୟାଗଡ଼ରୁ, ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ାରୁ, ସାରଦା ନାୟକ ରାଉକେଲାରୁ, ନବ ଦାସ ଝାରସୁଗୁଡ଼ାରୁ, ପ୍ରତାପ ଦେବ ଆଳିରୁ, ପ୍ରତାପ ଜେନା ମାହାଙ୍ଗରୁ ବିଜୟୀ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଡ.ଦାମଦୋର ରାଉତ, ନରସିଂହ ମିଶ୍ର, ବୈଜୟନ୍ତ ପଣ୍ଡା, କେଭି ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ ଓ ଖାରବେଳ ସ୍ବାଇଁ ଭଳି ହେଭିୱେଟ୍ ନେତାମାନଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଥିବା ଜଣାପଡ଼ିଛି।