ସମ୍ବଲପୁର: ଅତୀତରେ ସାହିତ୍ୟିକଙ୍କ ପାଇଁ ଆଜି ଭଳି ପୁରସ୍କାର କି ପ୍ରୋତ୍ସାହନ ନଥିଲା। ଜ୍ଞାନପୀଠ ଆରମ୍ଭ ହୋଇ ନ ଥିଲା କି ସାହିତ୍ୟିକଙ୍କୁ ନୋବେଲ ପୁରସ୍କାର ବି ମିଳୁନଥିଲା। ତଥାପି ଓଡ଼ିଶାରେ ଗଙ୍ଗାଧର ମେହେର, ଫକୀରମୋହନ ସେନାପତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭଳି ମହାନ ସ୍ରଷ୍ଟା କାଳଜୟୀ ରଚନା କରିଥିଲେ। ପ୍ରତିକୂଳ ପରିସ୍ଥିତିରେ ଓଡ଼ିଶାରେ ଅନେକ ସାହିତ୍ୟର ସର୍ଜନା ହୋଇଥିଲା। ଏବେ ସୁଯୋଗ ଓ ସମ୍ଭାବନା ଯଥେଷ୍ଟ ରହିଛି। ମାତ୍ର ଆଉ ଜଣେ ଗଙ୍ଗାଧର କି ଫକୀରମୋହନଙ୍କୁ ଓଡ଼ିଶା ସୃଷ୍ଟି କରିପାରୁନି କାହିଁକି? ସମ୍ବଲପୁର ତପସ୍ବିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ‘ସମ୍ବାଦ’ର ସାହିତ୍ୟୋତ୍ସବ ‘ମହୁଲ ଝାରେ ବରଷିଲା ପାନି’କୁ ଉଦ୍ଘାଟନ ଅବସରରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି କିଛି ପ୍ରଶ୍ନ କରିବା ସହିତ ଏହା ଉପରେ ଗବେଷଣା ଜରୁରି ବୋଲି କହିଥିଲେ। ‘ସମ୍ବାଦ’ ଓ ‘କନକନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ସମାରୋହରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର କାଳିଦାସ ମିଶ୍ର ମୁଖ୍ୟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ’ ଓ ‘କନକ୍ନ୍ୟୁଜ୍’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ମଞ୍ଚାସୀନ ଥିଲେ।
ଉଦ୍ଘାଟକ ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ ସମ୍ବଲପୁରକୁ ଓଡ଼ିଶା ସାହିତ୍ୟର ଅନ୍ତୁଡ଼ିଶାଳ ବୋଲି ଅଭିହିତ କରିଥିଲେ। ଗଙ୍ଗାଧର ସାହିତ୍ୟ ହେଉ ବା ଭୀମ ଭୋଇଙ୍କ କାବ୍ୟ, ସବୁ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଛି। ଯାହାର ହୃଦୟ ନ ଥିବ ସେ ସାହିତ୍ୟିକ ହୋଇ ପାରିବନି। ସାହିତ୍ୟର ଯାତ୍ରା କଣ୍ଟକମୟ। ଏ ରାସ୍ତାରେ ଚାଲି ପାଦ ରକ୍ତାକ୍ତ ହେଲେ ଯାଇ ଜଣେ ଉତ୍ତମ ସାହିତ୍ୟିକ ହୋଇପାରିବ ବୋଲି ଶ୍ରୀ ପୂଜାରୀ କହିଥିଲେ। ମୁଖ୍ୟ ଅତିଥି ପ୍ରଫେସର ମିଶ୍ର ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା କରି ଗଙ୍ଗାଧର ମେହେରଙ୍କଠାରୁ ନେଇ ୱିଲିୟମ୍ ୱର୍ଡସ୍ୱର୍ଥଙ୍କ ଯାଏଁ ଉଦାହରଣ ରଖିଥିଲେ। ଯେଉଁଥିରେ କିଭଳି ଭାବେ ଓଡ଼ିଆ ସାହିତ୍ୟର ବିକାଶ ହୋଇଛି ତାହା ପ୍ରଫେସର ମିଶ୍ର ବୁଝାଇଥିଲେ। ପ୍ରକୃତି ଓ ସାହିତ୍ୟର ସମ୍ପର୍କ ଅନନ୍ୟ। ବଣ ଜଙ୍ଗଲରୁ ଭାସିଆସୁଥିବା ଆଭାସରେ ଯେଉଁ ବାର୍ତ୍ତା ଅଛି, ତାହା ମୁନିଋଷିଙ୍କଠାରୁ ବି ମିଳେନି। ମଣିଷ ପ୍ରକୃତିଠାରୁ ଦୂରେଇଯାଉଛି। ପ୍ରତିକୂଳ ପରିସ୍ଥିତିରେ ଓଡ଼ିଶାରେ ଅନେକ ସାହିତ୍ୟର ସର୍ଜନା ହୋଇଥିଲା। ମଣିଷ ନିଜର ବୈଜ୍ଞାନିକ ଚିନ୍ତାଧାରାକୁ ପାଥେୟ କରି ପ୍ରକୃତି ଉପରେ ନିଜ ଆଧିପତ୍ୟ ବିସ୍ତାର କରିବାକୁ ପ୍ରୟାସ କରୁଛି। ଯାହାକୁ ‘ଦ ଏଜ୍ ଅଫ୍ ଆନ୍ଥ୍ରୋପୋସିନ୍’ ବୋଲି ମଧ୍ୟ କୁହାଯାଉଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଶ୍ରୀ ହୋତା ତାଙ୍କ ବକ୍ତବ୍ୟରେ ସାହିତ୍ୟର ସଂଜ୍ଞା ଓ ସ୍ବରୂପ ବଦଳିଥିବାର ମତବ୍ୟକ୍ତ କରିଥିଲେ। ‘ଏଆଇ’ ଯୁଗରେ ସାହିତ୍ୟ ସାଧନା କରୁଥିବା ଲୋକଙ୍କ ପାଇଁ ସାହିତ୍ୟ କେମିତି ହେବା ଆବଶ୍ୟକ ତାହା ଉପରେ ଆଲୋକପାତ କରିଥିଲେ। ସବୁ ସୃଜନଶୀଳତାର ମାନବିକ ଦିଗ ରହିଛି। ‘ଏଆଇ’ କେବେ ସୃଜନଶୀଳତାକୁ ଟପିଯାଇ ପାରିବନି ବୋଲି ମତ ରଖିଥିଲେ।
ପ୍ରକୃତି ଓ ସାହିତ୍ୟର ସମ୍ପର୍କ ଅନନ୍ୟ: ପ୍ରଫେସର କାଳିଦାସ
ଏଆଇ କେବେ ସୃଜନଶୀଳତାକୁ ଟପି ଯାଇପାରିବନି: ଚନ୍ଦ୍ରଶେଖର ହୋତା
ସମ୍ପାଦିକା ଶ୍ରୀମତୀ ପଟ୍ଟନାୟକ ‘ସମ୍ବାଦ’ ଓ ‘ସାହିତ୍ୟ’ର ସମ୍ପର୍କ ବିଷୟରେ ସୂଚନା ପ୍ରଦାନ କରିବାକୁ ଯାଇ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ହିଁ ‘ସମ୍ବାଦ’ର ପ୍ରଥମ ସମ୍ପାଦକ ଥିଲେ ବୋଲି କହିଥିଲେ। ସେବେଠାରୁ ‘ସମ୍ବାଦ’ ସ୍ବତନ୍ତ୍ର ସାହିତ୍ୟ ପୃଷ୍ଠା ପ୍ରକାଶ କରିଆସୁଛି। ସ୍ବର୍ଗତ ମହାନ୍ତିଙ୍କ ରଚନା ‘ନୀଳଶୈଳ’ ଉପରେ ଆଧାରିତ ‘ଆହେ ନୀଳଶୈଳ’ ନାଟକ ବେଶ୍ ଖ୍ୟାତି ଅର୍ଜନ କରିବା ସହ ଓଡ଼ିଶାର ସବୁଠୁ ସଫଳ ନାଟକ ହୋଇପାରିଛି। ସାଧାରଣ ଲୋକଙ୍କ ପାଇଁ ସାହିତ୍ୟ ତିଆରି ହେଉ। ‘ସମ୍ବାଦ’ ସେହି ସାହିତ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ବାର୍ତ୍ତା ସମ୍ପାଦକ ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ସାହିତ୍ୟୋତ୍ସବ ପରିକଳ୍ପନାର କାରଣ, ସାହିତ୍ୟ ଓ ସାମ୍ବାଦିକତାର ସମ୍ପର୍କ, ଭାଷା ଓ ସାହିତ୍ୟର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ସାହିତ୍ୟ ଓ ଗଣମାଧ୍ୟମ ହେଉଛି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ। ସାହିତ୍ୟ ସାମ୍ବାଦିକଙ୍କ କଲମରେ ପ୍ରକାଶ ପାଇଲେ ଖବରକାଗଜରେ ସମାଜର ଦରିଦ୍ର, ଅତି ଦରିଦ୍ର ଲୋକ ସମ୍ପର୍କରେ ଆବେଗ ଓ କଷ୍ଟ ପ୍ରସ୍ଫୁଟିତ ହୁଏ। ସାହିତ୍ୟ ବିନା ସାମ୍ବାଦିକତାରେ ବେଶୀ କିଛି କଥା ନାହିଁ। ଆମ ଭାଷା ଆମ ସ୍ପନ୍ଦନ, ଆମ ଇତିହାସକୁ ଏକ ଭିନ୍ନ ସ୍ତରରେ ପହଞ୍ଚାଇଛି।
ଆମେ ଆମ ଘରେ ଯେତିକି ଅଧିକ ଓଡ଼ିଆ ଭାଷାର ପ୍ରୟୋଗ କରିବା, ସ୍ବାଭାବିକ ଭାବେ ଓଡ଼ିଆ ଗଣମାଧ୍ୟମର ସ୍ବର ସେତିକି ଅଧିକ ସୁଦୃଢ଼ ହେବ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ଉପମହାପ୍ରବନ୍ଧକ (ବାର୍ତ୍ତା) ଶ୍ରୀ ନାୟକ ସ୍ବାଗତ ଭାଷଣ ରଖିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ ରାଉରକେଲାର ଅନୀଲ ମଲ୍ଲିକ ଏବଂ ସମ୍ବଲପୁରର ରାମାଶିଷ ତ୍ରିପାଠୀ ସଂଯୋଜନା କରିଥିଲେ। ତୁଳାରାମ କଲେଥ ଓ ଚେତନାମୟୀ ବେହେରା ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ମହୁଲଝାରେ ବରଷିଲା ପାନି’ ପରିବେଷଣ କରିଥିଲେ। ଗୀତର ତାଳେତାଳେ ‘ଉଡ଼ାନ’ ଅନୁଷ୍ଠାନ ତରଫରୁ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମର ପରବର୍ତ୍ତୀ ଅଧିବେଶନଗୁଡ଼ିକରେ କବିତା ପାଠ, ଦଳଗତ ଆଲୋଚନା, ବ୍ୟଙ୍ଗ କବିତା ଆସର, ସାହିତ୍ୟ ଆଳାପ, ସାହିତ୍ୟ କୁଇଜ୍, ଗପନାଟକ ଆଦି କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୫୦୦ କବି, ଲେଖକ ଓ ସାହିତ୍ୟ ଅନୁରାଗୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।