ବ୍ରହ୍ମପୁର : ସଫଳତା ଏକ ସିଡ଼ି। ସଫଳତାର ପାହାଚ ଚଢ଼ିବା ପାଇଁ ଦୃଢ ଆତ୍ମବିଶ୍ବାସ ଜରୁରୀ। ଆତ୍ମବିଶ୍ବାସ, ଦୃଢ ମନୋବଳ ରହିଲେ ଜଣେ ଯେ କୌଣସି କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିବ ଓ ଲକ୍ଷ୍ୟର ଶୀର୍ଷରେ ପହଞ୍ଚି ପାରିବ ବୋଲି ‘ସମ୍ବାଦ’ ପକ୍ଷରୁ ବ୍ରହ୍ମପୁରରେ ଆୟୋଜିତ ମାଟ୍ରିକ ଚାମ୍ପିୟନସ୍-୨୦୧୯ କାର୍ଯ୍ୟକ୍ରମରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଆଜି ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ମାଟ୍ରିକ ଚାମ୍ପିୟନସ-୨୦୧୯ କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ଼ରେ ଉତ୍ତୀର୍ଣ ହୋଇଥିବା ୧୭୩ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ମେଡାଲ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା। ଏଥିସହ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା। ସଭାରେ ସଭାପତିତ୍ବ କରି ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଥିଲେ, ସଫଳତା ଏକ ସିଡ଼ି, ଏହା ଏସ୍କାଲେଟର ନୁହେଁ। ମାଟ୍ରିକ ହେଉଛି ସଫଳତାର ପ୍ରଥମ ସୋପାନ। ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କଲେ ସଫଳତା ମିଳିଥାଏ। ମେଧାବୀ ଛାତ୍ରଛାତ୍ରୀ ନିଜ ସାମର୍ଥ୍ୟ ଅନୁଯାୟୀ ବୃତ୍ତି ଚୟନ କରିବାକୁ ଏବଂ ଲକ୍ଷ୍ୟପଥରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ସଫଳ ବ୍ୟକ୍ତିଙ୍କ ଉପଦେଶ ଗ୍ରହଣ କରି ନିଜ ସାମର୍ଥ୍ୟ ଅନୁଯାୟୀ ତାହାକୁ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ, ନିଜକୁ ଅନ୍ୟ କାହା ସହିତ ତୁଳନା କରନାହିଁ। ନିଜ ଉନ୍ନତିର ରାସ୍ତା ନିଜକୁ ହିଁ ବାଛିବାକୁ ପଡ଼ିବ। ମେଧବୀ ମାନେ ଲକ୍ଷ୍ୟର ଶୀର୍ଷରେ କିଭିଳି ପହଞ୍ଚି ସଫଳତା ପାଇବେ ତାହା ସବୁବେଳେ ଚିନ୍ତା କରିବା ଆବଶ୍ୟକ। ବର୍ତମାନ ସମୟରେ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟପଥରୁ ବିଚ୍ୟୁତ କରିବା ଲାଗି ବିଭିନ୍ନ ମାଧ୍ୟମ ରହିଛି। କିନ୍ତୁ ଛାତ୍ରଛାତ୍ରୀ ସେମାନଙ୍କ ଲକ୍ଷ୍ୟ ପଥରେ ସ୍ଥିର ରହିବା ଆବଶ୍ୟକ। ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ପିତାମାତାଙ୍କ ଅବଦାନ ନ ଭୁଲିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଯୋଗ ଦେଇ କହିଥିଲେ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସମ୍ବର୍ଦ୍ଧନା ଦେବା କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ‘ସମ୍ବାଦ’ ପରିବାରକୁ ସାଧୁବାଦ ଜଣାଉଛି। ସଫଳତାର ପ୍ରଥମ ସୋପାନରେ ସମ୍ବର୍ଦ୍ଧନା ଓ ସମ୍ମାନିତ ହେଲେ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସ ବଢ଼ିଥାଏ। ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କ ସଂସ୍ପର୍ଶ ଆସିଲେ ସେମାନଙ୍କ ମନୋବଳ ଦୃଢ ହୋଇଥାଏ। ଅନୁଶାସନ, ସକାରାତ୍ମକ ଚିନ୍ତାଧାରା, ମାନବିକତା ଓ ଆତ୍ମବିଶ୍ବାସ ହେଉଛି ସଫଳତାର ମୂଳମନ୍ତ୍ର। ଏ ସବୁ ନ ଥିଲେ ସଫଳତା ଚିରସ୍ଥାୟୀ ହୁଏ ନାହିଁ।
ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ଯୋଗଦେଇ କହିଥିଲେ, ଏକବିଂଶ ଶତାଦ୍ଦୀରେ ଜ୍ଞାନ ତଥା ମେଧାର ସଂଜ୍ଞା ବଦଳିଛି, ଅଭିବୃଦ୍ଧି ଆସିଛି। ପୂର୍ବରୁ ମାଟ୍ରିକରେ ଭଲ ନମ୍ବର ରଖି ହାତ ଗଣତି ପିଲା ପ୍ରଥମ ଶ୍ରେଣୀରେ ପାସ କରୁଥିବା ବେଳେ ବର୍ତ୍ତମାନ ଶହ ଶହ ପିଲା ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଛନ୍ତି। ଶୀର୍ଷକୁ ଯିବାକୁ ହେଲେ ଜାଣିବାର ଇଚ୍ଛା ତଥା ଜିଜ୍ଞାସା ରହିବା ଆବଶ୍ୟକ।
ଅନିବାର୍ଯ୍ୟ କାରଣ ବଶତଃ ସଭାରେ ଯୋଗ ଦେଇ ପାରି ନ ଥିବା ‘ସମ୍ବାଦ’ର ସମ୍ପାଦକ ସୌମରଞ୍ଜନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା। ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଥିଲେ, ସଫଳ ହେବା ପାଇଁ ପ୍ରଥମେ ଅହଙ୍କାର ଛାଡ଼ିବା ସହ ବାପା ମା’ ଓ ଗୁରୁଜନ ତଥା ଶିକ୍ଷକଙ୍କ ପ୍ରତି କୃତଜ୍ଞ ହେବାକୁ ହେବ। ବୃତ୍ତି ଓ ପ୍ରବୃତ୍ତି ମିଶିଗଲେ ସଫଳତା ନିଶ୍ଚିୟ ମିଳିବ। ଅଭିଭାବକଙ୍କ ଆଡୁ ପିଲାଙ୍କ ଉପରେ ଅଯଥା ଚାପ ରହୁଛି। ସଫଳତା ପାଇଁ ଏକନିଷ୍ଠ ଉଦ୍ୟମ ଜାରି ରଖିବାକୁ ସେ କହିଥିଲେ। ଏଥିସହ ଭଲ ଲୋକଙ୍କ ସହ ସମସ୍ତଙ୍କୁ ଯୋଡ଼ିବାକୁ ‘ସମ୍ବାଦ’ ଉଦ୍ୟମ କରିଆସୁଛି ବୋଲି ସେ କହିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ନ୍ୟୁଜ୍) ଅରବିନ୍ଦ ଦାସ ସ୍ବାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସେ କାର୍ଯ୍ୟକ୍ରମର ପୃଷ୍ଠଭୂମି ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ, ସମ୍ବାଦ ପରିବାରର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ‘ସାମ୍ବାଦ’ କୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ଯାଇ ମେଧାବୀ ଛାତ୍ରଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ପ୍ଲାଟଫର୍ମ ଯୋଗାଇ ଦେଇଥିଲେ, ତାହା ହେଉଛି ମୋଧବୀ ଛାତ୍ର ନେତା ପ୍ରତିଯୋଗିତା। ପରବର୍ତ୍ତୀ ସମୟରେ ମାଟ୍ରିକର ମେଧାବୀ ତଥା ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯାଇ ମାଟ୍ରିକ ଚାମ୍ପିୟନସ୍ କାର୍ଯ୍ୟକ୍ରମ ଆୟୋଜନ ହୋଇ ଆସୁଛି ବୋଲି ସୂଚନା ଦେଇଥିଲେ। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶିଲ ପ୍ରଧାନ ସ୍ବାଗତ ସୂଚନା ପ୍ରଦାନ କରିଥିଲେ। ବ୍ରହ୍ମପୁର ସଂସ୍କରଣର ନ୍ୟୁଜ ବିଭାଗ ମୁଖ୍ୟ ପ୍ରଶାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି, ସାମ୍ମାନିତ ଅତିଥି, ମୁଖ୍ୟବକ୍ତା ଏବଂ କାର୍ଯ୍ୟକ୍ରମର ପ୍ରାୟୋଜକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠ ନଗରର ପରିଚାଳନା ସମିତି କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ଜେନା ଏବଂ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଏସ୍.ମୋହନ ରାଓଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା।