କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ଟପର୍ସ ଓ ସେମାନଙ୍କ ସ୍କୁଲର ପ୍ରଧାନ ଶିକ୍ଷକ ଅଥବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ମେ ୨୪ ତାରିଖ, ବୁଧବାର ଠାରୁ ଏହି କାର୍ଯ୍ୟକ୍ରମ କଟକରୁ ଆରମ୍ଭ ହେବାକୁ ଯାଉଛି।
କଟକର ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇ ମାଟ୍ରିକ ଟପର୍ସ ମାନଙ୍କୁ ସମ୍ବର୍ଦ୍ଧିତ କରିବେ। ପରେ ପରେ ରାଜ୍ୟର ଅନ୍ୟ ୭ଟି ସ୍ଥାନରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହେବ। ମେ ୨୫ ତାରିଖରେ ଭୁବନେଶ୍ବର, ୨୬ ତାରିଖରେ ଜୟପୁର, ୨୭ ତାରିଖରେ ଅନୁଗୁଳ, ୨୮ ତାରିଖରେ ଯାଜପୁର, ୨୯ ତାରିଖରେ ସମ୍ବଲପୁର, ୩୦ ତାରିଖରେ ବାଲେଶ୍ବର ଓ ୩୧ ତାରିଖରେ ବ୍ରହ୍ମପୁରରେ ସଂପୃକ୍ତ ଅଞ୍ଚଳର ମାଟ୍ରିକ ଟପର୍ସ ଓ ସେମାନଙ୍କ ସ୍କୁଲର ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ମାଟ୍ରିକ ଟପର୍ସ ମାନଙ୍କୁ ମେଡାଲ ଓ ପ୍ରମାଣପତ୍ର ଏବଂ ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ।