ଜୟପୁର : ଚାପଗ୍ରସ୍ତ ହୁଅନି। ହାରଜିତକୁ ସମାନ ଭାବରେ ଦେଖ। ଜ୍ଞାନଯୋଦ୍ଧା ହୋଇ ବିଦ୍ୟା ଆରୋହଣ କର। ଭଲ ପାଠ ପଢ଼ି ପଇସା ରୋଜଗାର ଏବଂ ଚାକିରି କରିବା ନିହାତି ଜରୁରି। ବ୍ୟକ୍ତିବାଦୀ, ସ୍ବାର୍ଥପରତା ଅପେକ୍ଷା ସ୍ବାଭିମାନୀ ଜୀବନଶୈଳୀ ଦେଶ ଓ ଜାତିକୁ ଆଗକୁ ନେବାସହ ଜୀବନକୁ ପରିପୂର୍ଣ୍ଣତା କରି ଗଢ଼ି ତୋଳ। ଜୟପୁର ସନ୍ଧ୍ୟା ଫଙ୍କସନ୍ ହଲ୍‌ରେ ‘ସମ୍ବାଦ’ ଜୟପୁର ସଂସ୍କରଣ ପକ୍ଷରୁ ଆୟୋଜିତ ମାଟ୍ରିକ ଚାମ୍ପିଅନ୍ସ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି।

Advertisment

ସଫଳତା ଗନ୍ତବ୍ୟସ୍ଥଳ ନୁହେଁ, ଲମ୍ବା ଯାତ୍ରା : ହରିଶ୍ ବି.ସି
ନିରନ୍ତର ପ୍ରଚେଷ୍ଟା, ସାଧନା ସଫଳତାର ସୂତ୍ର: ସ୍ବରାଜ ମିଶ୍ର

‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ, ବିଦେଶର ତଥାକଥିତ ବିଦ୍ୟାରେ ଭଦ୍ରବ୍ୟକ୍ତି ଗଢ଼ା ହୁଅନ୍ତି। ଅଥଚ ଭାରତରେ ସାଧନା ବଳରେ ସିଦ୍ଧପୁରୁଷ ଗଢ଼ା ହୁଅନ୍ତି। ଓଡ଼ିଶାର ସନ୍ଥମାନେ ନିଜ ସିଦ୍ଧି, ମୁକ୍ତି, ନିର୍ବାଣ ପାଇଁ ସାଧନା ନ କରି ବିଶ୍ବକଲ୍ୟାଣ ପାଇଁ ଚିନ୍ତା କରିଥିଲେ। ହେଲେ ଏ ମାଟିର ସନ୍ଥକବି ଭୀମଭୋଇ, ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ବିଚା‌ରଧାରା ଆମ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ନଥିବାରୁ ଆମ ପରିବେଶ ଓ ସଂସ୍କୃତି ବଦଳିଯାଇଛି। ଆଜିର ପିଲାଙ୍କ ଲକ୍ଷ୍ୟ ଯଦି ସମାଜ ନିର୍ମାଣ ନ ହୋଇ ବ୍ୟକ୍ତିବାଦୀ ହେବ, ତେବେ ମଧୁବାବୁଙ୍କ ସ୍ବପ୍ନ କିଏ ପୂରଣ କରିବ ବୋଲି କୁଳପତି ଶ୍ରୀ ତ୍ରିପାଠୀ କହିଥିଲେ।
ମୁଖ୍ୟବକ୍ତା ଭାବେ ଜୟପୁର ଏସ୍‌ଡିପିଓ ଆଇପିଏସ୍ ହରିଶା ବି. ସି ଯୋଗଦେଇ ନିଜ ବକ୍ତବ୍ୟରେ ସଫଳତା ଏକ ଗନ୍ତବ୍ୟସ୍ଥଳ ନୁହେଁ, ଲମ୍ବା ଯାତ୍ରା ବୋଲି କହିଥିଲେ। ନିରନ୍ତର ପ୍ରଚେଷ୍ଟା ତଥା ସାଧନା ବଳରେ ଆହୁରି ଅଧିକ କିଛି କରିବା ପାଇଁ ଛାତ୍ରଛାତ୍ରୀ ପ୍ରୟାସ ଜାରି ରଖିବା ଆବଶ୍ୟକ।

ସମାରୋହର ଅଧ୍ୟକ୍ଷ ତଥା ‘ଆମ ଓଡ଼ିଶା’ ସମ୍ପାଦକ ସ୍ବରାଜ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ, ସଫଳତାର ଶୀର୍ଷ ଛୁଇଁଥିବା ଛାତ୍ରଛାତ୍ରୀ ଆଗକୁ କୌଣସି କାରଣରୁ ଶୀର୍ଷରେ ପହଞ୍ଚି ନପାରିଲେ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। ହାରଜିତ୍‌କୁ ସମାନ ଭାବରେ ଗ୍ରହଣ କରି ଜୀବନକୁ ପରିପୂର୍ଣ୍ଣ ଭାବେ ଉପଭୋଗ କଲେ ସଫଳତା ଆପେ ଆପେ ପାଦ ଛୁଇଁବ ବୋଲି ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ।

ଏହି ଅବସରରେ କୋରାପୁଟ, ନବରଙ୍ଗପୁର, ମାଲାକାନଗିରି ଓ ରାୟଗଡ଼ା ଜିଲ୍ଲାର ଏ-୧ ଗ୍ରେଡ୍‌ରେ ପାସ୍ କରିଥିବା ୫୩ ଛାତ୍ରଛାତ୍ରୀ, ସ୍କୁଲ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅତିଥିମାନେ ପ୍ରମାଣପତ୍ର, ମେଡାଲ୍ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହିପରି କାର୍ଯ୍ୟକ୍ରମର ପୃଷ୍ଠପୋଷକଙ୍କୁ ମଧ୍ୟ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ‘ସମ୍ବାଦ’ ଜୟପୁର ସଂସ୍କରଣର ବରିଷ୍ଠ ସହ ସମ୍ପାଦକ ନବୀନ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ‘ସମ୍ବାଦ’ର ବିଜ୍ଞାପନ ବିଭାଗ ପ୍ରବନ୍ଧକ ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।