ବାଲେଶ୍ବର: ସଫଳତା ନିଜ ଉପରେ ନିର୍ଭର କରେ। ଲକ୍ଷ୍ୟ ହାସଲ ପାଇଁ ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଓ ଉଦ୍ୟମ ଯଦି ଜାରି ରୁହେ, ତା’ହେଲେ ଜୀବନରେ ସଫଳତା ନିଶ୍ଚିତ। ଅଭିଭାବକମାନେ କହିବେ ଓ ପରାମର୍ଶ ଦେବେ। କିନ୍ତୁ ପଢ଼ିବା, ଲେଖିବା ଓ ପରିଶ୍ରମ ନିଜକୁ ହିଁ କରିବାକୁ ପଡ଼ିବ ବୋଲି ‘ସମ୍ବାଦ’ ବାଲେଶ୍ବର ସଂସ୍କରଣ ପକ୍ଷରୁ ଆଜି ଭେନ୍ୟା ପାରାଡାଇଜ୍ ସମ୍ମିଳନୀ କକ୍ଷରେ ଆୟୋଜିତ ‘ମାଟ୍ରିକ ଚାମ୍ପିଅନ୍ସ-୨୦୨୩’ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏଭଳି ମତପ୍ରକାଶ କରିଛନ୍ତି।
ମୁଖ୍ୟଅତିଥି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ ତାଙ୍କ ଛାତ୍ର ଜୀବନରେ ସାମ୍ନା କରିଥିବା ପ୍ରତିକୂଳ ପରିସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିବା ସହ ଲକ୍ଷ୍ୟ ସ୍ଥିର କରି ପରିଶ୍ରମ ଜାରି ରଖିଲେ ସଫଳତା ପଛରେ ଗୋଡ଼ାଇବ ବୋଲି କହିଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଥିଲେ, ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହେବାର ସୁଯୋଗ ରହିଛି। ଖାଲି ଜଣେ ଡାକ୍ତର, ଇଞ୍ଜିନିୟର, ଆଇଏଏସ୍ କି ଆଇପିଏସ୍ ହେବ, ତାହା ମନରୁ ପରିହାର କରିବା ଆବଶ୍ୟକ। ପିଲା କ’ଣ ପଢ଼ିଲେ ତା’ ପାଇଁ ଠିକ୍ ହେବ, ଭବିଷ୍ୟତରେ ସେ କି ବୃତ୍ତି ଚୟନ କରିବ; ତାହା ଅଭିଭାବକମାନେ ସ୍ଥିର ନ କରି ପିଲାମାନଙ୍କ ଉପରେ ଛାଡ଼ିଦେବା ଉଚିତ। ସେମାନଙ୍କୁ ବାଟ କଡ଼େଇ ନେବା ବଦଳରେ ବାଟବଣା କରିବା ଭଳି କୌଣସି କାମ ନ କରିବାକୁ ସେ ମତ ରଖିଥିଲେ। ଫକୀରମୋହନ ସରକାରୀ ଭେଷଜ ମହାବିଦ୍ୟାଳୟର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ରାମଚନ୍ଦ୍ର ଗିରି ଶିକ୍ଷାଲାଭ ପାଇଁ ବର୍ତ୍ତମାନ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବାରୁ ନିରନ୍ତର ଅଧ୍ୟୟନ ଓ ଅଧ୍ୟବସାୟ ଉପରେ ଗୁରୁତ୍ବାରୋପ କରିଥିଲେ। ବାଲେଶ୍ବର ଏସ୍ପି ସାଗରିକା ନାଥ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍ଦେଶ୍ୟରେ ତିନୋଟି ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ଜୀବନରେ ଯାହା ବି ହୁଅନ୍ତୁ, କେବେ ବି ନିଜ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ରାଷ୍ଟ୍ରକୁ ସମ୍ମାନ ଦେବା ଭୁଲନ୍ତୁ ନାହିଁ। ପାଠପଢ଼ା ଓ ଭବିଷ୍ୟତ ଗଢ଼ିବା ନାଁରେ ପିଲାଙ୍କୁ ଅଧିକ ଚାପରେ ରଖାନଯାଉ। ସାମାଜିକ ଗଣମାଧ୍ୟମ ଏବେ ଆମ ସମାଜ ତଥା ଯୁବପିଢ଼ିକୁ ପୂରା ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ତାର ସଦୁପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଇଏଏସ୍ ପ୍ରୋବେସନର କିରଣଦୀପ୍ କୌର କହିଥିଲେ, ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଥମେ ନିଜ ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ। ମାଟ୍ରିକରେ କେବଳ ଭଲ ନମ୍ବର ରଖିଲେ ହେବନାହିଁ, ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ମଧ୍ୟ ଏହି ସଫଳତା ଦୋହରାଇବା ଆବଶ୍ୟକ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ସବୁ ମେଧାବୀ ଛାତ୍ରଛାତ୍ରୀ ଡାକ୍ତର, ଇଞ୍ଜିନିୟର ବା ପ୍ରଶାସକ ହେବା ପାଇଁ ଲକ୍ଷ୍ୟ ରଖୁଥିବା ବେଳେ ପ୍ରଥମେ ସେ ଜଣେ ଭଲ ମଣିଷ ନିହାତି ଆବଶ୍ୟକ। ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ପାଞ୍ଚଟି ‘ମ’ ଓ ପାଞ୍ଚଟି ‘ନ’ର ସୂତ୍ର ବତାଇଥିଲେ ଶ୍ରୀ ପଟ୍ଟନାୟକ। ଏହି ପାଞ୍ଚଟି ‘ମ’ ହେଲା ମା’କୁ ସମ୍ମାନ, ଜନ୍ମଭୂମି ପ୍ରତି ସମର୍ପଣ ଭାବ, ମାତୃଭାଷା ପ୍ରତି ଆଦର, ବର୍ତ୍ତମାନର ଡିଜିଟାଲ ଯୁଗରେ ମୋବାଇଲର ସଦ୍ବ୍ୟବହାର କରି ନୂତନ ଜ୍ଞାନକୌଶଳ ଆହରଣ ଓ ନିଶାଠାରୁ ଦୂରେଇ ରହି ମଦମୁକ୍ତ ସମାଜ ଗଠନ ପାଇଁ ଦୃଢ ସଂକଳ୍ପ। ସେହିପରି ପାଞ୍ଚଟି ‘ନ’ ଉପରେ ଗୁରୁତ୍ବ ଦେବାକୁ ଯାଇ ନିରୋଗ, ନିରହଙ୍କାର, ନିରାଡ଼ମ୍ବର ଜୀବନଶୈଳୀ ସହ ନିଡର ବା ଭୟମୁକ୍ତ ହେବା ଓ ନିଶାମୁକ୍ତ ପରିବେଶ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ। ଅହଙ୍କାରକୁ ତ୍ୟାଗ କରି ସଦାସର୍ବଦା ସତ୍ୟ ସହ ଯୋଡ଼ି ହେଲେ ବା ସତ୍ୟାଗ୍ରହୀ ହେଲେ କାହାକୁ ଡରିବାର ଅବକାଶ ରହିବ ନାହିଁ ବୋଲି କହିଥିଲେ। ଏହି ସୂତ୍ରକୁ ନିଜ ଜୀବନରେ ଅବଲମ୍ବନ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଶ୍ରୀ ପଟ୍ଟନାୟକ।
‘ସମ୍ବାଦ’ ବାର୍ତ୍ତା ବିଭାଗର ମହାପ୍ରବନ୍ଧକ ଅରବିନ୍ଦ ଦାସ ସ୍ବାଗତ ଅଭିଭାଷଣ ରଖି ରାଜ୍ୟର ବିଭିନ୍ନ କ୍ଷେତ୍ରର ସୁନାମଧନ୍ୟ ବ୍ୟକ୍ତିତ୍ବଙ୍କ ମାର୍ଗଦର୍ଶନ ପାଇବା ପାଇଁ ‘ସମ୍ବାଦ’ର ଏହି ମଞ୍ଚ ଛାତ୍ରଛାତ୍ରୀଙ୍କୁ ଏକ ସୁଯୋଗ ଦେଇଛି ବୋଲି କହିଥିଲେ। ‘ସମ୍ବାଦ’ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ଅତିଥି ପରିଚୟ ଦେଇଥିବା ବେଳେ ‘ସମ୍ବାଦ’ ବାଲେଶ୍ବର ସଂସ୍କରଣର ସହକାରୀ ମହାପ୍ରବନ୍ଧକ ଗୌତମ ଶଙ୍କର ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ମାଟ୍ରିକ୍ ପରୀକ୍ଷାରେ ୯୪ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ୧୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପଦକ ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିବା ବେଳେ ସେମାନଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଝାଡ଼େଶ୍ବର ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ, ନିଷ୍ଟ ଉଚ୍ଚ ମାଧ୍ୟମିକ ସ୍କୁଲ, ସିଦ୍ଧି ବିଜ୍ଞାନ ଉଚ୍ଚମାଧ୍ୟମିକ ସ୍କୁଲ, ସୁଲଗ୍ନା ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ, ଶ୍ରୀରାମ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ, ସୋର, ପ୍ରିନ୍ସ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ, ସାଗର ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବାଲେଶ୍ବର, ଗୁରୁକୃପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟୋକିଓ ଆଡ୍ଭାନ୍ସଡ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୱିଜ୍ଡମ୍ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଲେଶ୍ବର, କେଏମ୍ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର, ଜୁପିଟର ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ, ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଲେନ୍ କ୍ୟାରିୟର ଇନ୍ଷ୍ଟିଚ୍ୟୁଟ୍, ଶିକ୍ଷା ଇନ୍ଷ୍ଟିଚ୍ୟୁସନ୍ସ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିର ସଦସ୍ୟମାନେ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିୟର ଗଠନ ଦିଗରେ ଉପାଦେୟ ପରାମର୍ଶ ଦେଇଥିଲେ।