‘ସମ୍ବାଦ’ ଲଗାତାର ୧ ନମ୍ବର, ୬୬ ଲକ୍ଷ ୬ ହଜାର ପାଠକ ‘ସମ୍ବାଦ’ ପଢ଼ନ୍ତି

ଭୁବନେଶ୍ବର : ୨୦୧୮ ବର୍ଷ ପାଇଁ ଆଇଆର୍‌ଏସ୍ ରିପୋର୍ଟ ଇତିମଧ୍ୟରେ ପ୍ରକାଶ ପାଇଛି। ସର୍ବାଧିକ ପ୍ରସାରିତ ଓ ପଠିତ ଓଡ଼ିଆ ଦୈନିକ ‘ସମ୍ବାଦ’ ତା’ର ଏକ ନମ୍ବର ସ୍ଥାନ ବଜାୟ ରଖିଛି। ସାମଗ୍ରିକ ଭାବରେ ଓଡ଼ିଆ ଖବରକାଗଜର ପାଠକ ସଂଖ୍ୟା ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଥିବା ବେଳେ ‘ସମ୍ବାଦ’ କିନ୍ତୁ ଅଭିବୃଦ୍ଧି ପଥରେ ରହିଛି। ୨୦୧୭ ବର୍ଷ ତୁଳନାରେ ୨୦୧୮ ବର୍ଷରେ ସମ୍ବାଦର ପାଠକ ସଂଖ୍ୟା ବୃଦ୍ଧି ପାଇ ୬୬ ଲକ୍ଷ ୬ ହଜାରରେ ପହଞ୍ଚିଛି। ଅନ୍ୟପକ୍ଷରେ ପୂର୍ବବର୍ଷ ତୁଳନାରେ ହ୍ରାସ ପାଇ ‘ସମାଜ’ର ପାଠକ ସଂଖ୍ୟା ୫୪ ଲକ୍ଷ ୮୬ ହଜାରରେ ପହଞ୍ଚିବା ସହ ଏହା ପୂର୍ବଭଳି ଦ୍ବିତୀୟ ସ୍ଥାନରେ ରହିଛି। ‘ଧରିତ୍ରୀ’ର ପାଠକ ସଂଖ୍ୟା ହ୍ରାସ ପାଇ ୩୧ ଲକ୍ଷ ୮୭ ହଜାର ରହିଥିବା ଜଣାଯାଇଛି। ‘ପ୍ରମେୟ’ର ପାଠକ ସଂଖ୍ୟା ବୃଦ୍ଧି ପାଇ ଏହା ୩୭ ଲକ୍ଷ ୭୨ ହଜାରରେ ପହଞ୍ଚିଥିବା ଉକ୍ତ ରିପୋର୍ଟ ଦର୍ଶାଇଛି। ସୂଚନାଯୋଗ୍ୟ, ଇଣ୍ଡିଆନ ରିଡର‌୍ସିପ ସର୍ଭେ (ଆଇଆର୍‌ଏସ୍) ଦେଶର ପ୍ରମୁଖ ଖବରକାଗଜ ପାଠକ ସର୍ବେକ୍ଷଣ ସଂସ୍ଥା। ପ୍ରତିବର୍ଷ ଦେଶବ୍ୟାପୀ ଏହି ସଂସ୍ଥା ତରଫରୁ ସର୍ଭେ କରାଯାଇ ରିପୋର୍ଟ ପ୍ରକାଶ କରାଯାଇଥାଏ।

କ୍ରମାଗତ ଭାବେ ‘ସମ୍ବାଦ’କୁ ୧ ନମ୍ବର ଓଡ଼ିଆ ଦୈନିକ ସ୍ଥାନରେ ରଖିଥିବାରୁ ଏହାର ଅଗଣିତ ପାଠକ, ଶୁଭେଚ୍ଛୁ ଓ ପୃଷ୍ଠପୋଷକଙ୍କୁ ‘ସମ୍ବାଦ’ ସମ୍ପାଦକ ସୋୖମ୍ୟରଂଜନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର