ସମ୍ବଲପୁରରେ ‘ସମ୍ବାଦ’ ପାଠକ ମଞ୍ଚ : ମହାନଗର ନିର୍ବାଚନ ନ ହେବାରୁ ବାବୁରାଜ୍‌ ବଢ଼ିଛି

ସମ୍ବଲପୁର : ମହାନଗର ନିଗମ ଘୋଷଣାର ୭ ବର୍ଷ ପରେ ବି ଆଇନଗତ ପ୍ରତିବନ୍ଧକ ଓ ଇଚ୍ଛାଶକ୍ତିର ଅଭାବ ଯୋଗୁ ସମ୍ବଲପୁରରେ ପୌର ନିର୍ବାଚନ ହୋଇପାରିନି। ଫଳରେ, ବାବୁରାଜ୍‌ ବଢ଼ିଛି। ସେପଟେ ମହାନଗରବାସୀଙ୍କ ସୁବିଧା ପରିବର୍ତ୍ତେ ଅସୁବିଧା ବଢ଼ିଛି। ନିର୍ବ‌ାଚିତ ପ୍ରତିନିଧି ନଥିବାରୁ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା ବଢ଼ିଛି। ରାସ୍ତାଘାଟ, ସ୍ବେରେଜ୍‌, ବିଶୁଦ୍ଧ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଭଳି ସର୍ବନିମ୍ନ ସୁବିଧ‌ା ସୁଯୋଗ ପାଇବାରୁ ବି ଅଧିକାଂଶ ସହରବାସୀ ବଞ୍ଚିତ ହେଉଛନ୍ତି। ସେ ଦୃଷ୍ଟିରୁ ଆଇନଗତ ପ୍ରତିବନ୍ଧକକୁ ଶୀଘ୍ର ଦୂର କରିବା ସହିତ ଯଥାଶୀଘ୍ର ସମ୍ବଲପୁର ମହାନଗର ନିଗମ ନିର୍ବାଚନ କରାଯାଉ ବୋଲି ଆଜି ‘ସମ୍ବାଦ ପାଠକ ମଂଚ’ରେ ମତପ୍ରକାଶ ପାଇଛି। ଏଥିଲାଗି ଦଳମତ ନିର୍ବିଶେଷରେ ସହରର ସମସ୍ତ ରାଜନୈତିକ ଦଳର ନେତା ଓ ବୁଦ୍ଧିଜୀବୀ ଏକାଠି ହୋଇ ସରକାର ଓ ପ୍ରଶାସନ ଉପରେ ଚାପ ପକାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସାକ୍ଷୀପଡ଼ାସ୍ଥିତ ‘ସମ୍ବାଦ ଭବନ‌’ରେ ରବିବାର ସନ୍ଧ୍ୟାରେ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ‘ସମ୍ବାଦ ପାଠକ ମଂଚ’ରେ ସମ୍ବଲପୁରର ବହୁ ବିଶିଷ୍ଟ ରାଜନେତା, ବୁଦ୍ଧିଜୀବୀ, ସମାଜସେବୀ ଅଂଶଗ୍ରହଣ କରିଥିଲେ। ‘ ସମ୍ବଲପୁରରେ ବାବୁରାଜ୍ ଆଉ କେତେ ଦିନ?’ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରି ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ନଗରପାଳ ଗିରୀଶ ପଟେଲ କହିଲେ, ମହାନଗର ନିଗମ ଘୋଷଣାକୁ ୭ ବର୍ଷ ପୂରି ଗଲାଣି। ନିର୍ବାଚନ ହୋଇନଥିବାରୁ ବିକାଶ କାର୍ଯ୍ୟ ଆଗେଇ ପାରୁ ନାହିଁ। ସରକାରୀ ବାବୁମାନେ ମନଇଚ୍ଛା କାମ କରୁଛନ୍ତି। ସମ୍ବଲପୁର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁରେଶ୍ବର ମିଶ୍ର କହିଲେ, ସାମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ପ୍ର‌ତ୍ୟେକ ୫ବର୍ଷରେ ଥରେ ନିର୍ବାଚନ ହେବା କଥା। ମହାନଗର ନିଗମ ନିର୍ବାଚନ ହେଉନଥିବାରୁ ଜନପ୍ରତିନିଧିମୂଳକ ଶାସନ ଚାଲିପାରୁନାହିଁ। ୱାର୍ଡ ସଂରକ୍ଷଣକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ନାଗରିକମାନେ ନିଜ ମୌଳିକ ଅଧିକାରରୁ ବଂଚିତ ହେଉଛନ୍ତି। ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ତଥା ପ୍ରବକ୍ତା ସଂଜୟ ବାବୁ କହିଲେ, ସମ୍ବଲପୁରର ଉନ୍ନତି ପାଇଁ ଓ ଲୋକଙ୍କ ସମସ୍ୟା ବୁଝିବା ପାଇଁ ମହାନଗର ଅଂଚଳରେ ୱାର୍ଡ ଅଫିସ୍ ‌ଖୋଲାଯାଇଛି। ସମସ୍ତେ ନହେଲେ ବି ନିଶ୍ଚିତ ଭାବେ ଅନେକ ଭଲ ଅଧିକାରୀ/କର୍ମଚାରୀ ରହିଥିବାରୁ ଉନ୍ନତିମୂଳକ କାମ ଜାରି ରହିଛି। ବିକାଶ ଏକ ଗତିଶୀଳ ପ୍ରକ୍ରିୟା। ‌ତେବେ, ‌ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ରହିଥିବାରୁ କେତେକ କାମରେ ଅର୍ଥର ଅପଚୟ ହେଉଛି। ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ କହିଥିଲେ ସମ୍ବଲପୁର ବିକାଶ ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ଆମେ କଣ କରୁଛୁ, ନିଜକୁ ପଚାରିବାର ବି ଆବଶ୍ୟକତା ରହିଛି।

‘ସମ୍ବାଦ’ ପଶ୍ଚିମ ଓଡ଼ିଶା ସଂସ୍କରଣର ଉପମହାପ୍ରବନ୍ଧକ(ବାର୍ତ୍ତା) ଦେବେନ୍ଦ୍ର ସାମନ୍ତରାୟ ପାଠକ ମଂଚର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ‘ସମ୍ବାଦ’ ସମ୍ବଲପୁରର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ପ୍ରାରମ୍ଭିକ ସୂଚନା ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଶାଖା ପରିଚାଳକ ଗଜେନ୍ଦ୍ରନାଥ ମଲ୍ଲିକଙ୍କ ସହିତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର