ଭୁବନେଶ୍ୱର: ଯୁକ୍ତ୨ ହେଉଛି ଜୀବନ ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ସୋପାନ। ଏହା ପରେ ଯେ କୌଣସି କ୍ଷେତ୍ରରେ ସଫଳ ହେବାକୁ ହେଲେ ସାଧନାର ଏକାନ୍ତ ଆବଶ୍ୟକତା ରହିଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ସଫଳତା ହାସଲ କରିବା ପାଇଁ ଅନେକ ଦିଗ ଓ ସୁଯୋଗ ସୃଷ୍ଟି ହୋଇଛି। ତେଣୁ ଲକ୍ଷ୍ୟ ପୂରଣ କରିବା ପାଇଁ  ସାହସ ରଖି କାର୍ଯ୍ୟ କଲେ ଶ୍ରେଷ୍ଠତା ହାସଲ କରିହେବ। ଅଳ୍ପରେ ସନ୍ତୁଷ୍ଟ ନ ହୋଇ ନିଜ ଲକ୍ଷ୍ୟକୁ ବିଶାଳ ଓ ବ୍ୟାପକ କରିବା ପାଇଁ ‘ସମ୍ୱାଦ’ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ‘ଯୁକ୍ତ୨ ଚାମ୍ପ୍‌’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଗତ ୫/୬ ବର୍ଷ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢ଼ିବାରେ ଲାଗିଛି। ସେଥିପାଇଁ ସାମାଜିକ ଗଣମାଧ୍ୟମରେ ନୁହେଁ ବାସ୍ତବ ଜୀବନରେ ଭଲ ବନ୍ଧୁ କରିବାକୁ ଶ୍ରୀ ଭୋଳ କହିଥିଲେ। 

Advertisment

ଛାତ୍ରଛାତ୍ରୀଙ୍କ ବୃତ୍ତି ଓ ପ୍ରବୃତ୍ତି ମେଳ ଖାଇବା ଆବଶ୍ୟକ: ସୌମ୍ୟରଂଜନ 
ପ୍ରବଳ ଇଚ୍ଛାଶକ୍ତି ସହିତ ଲକ୍ଷ୍ୟ ଯୋଡ଼ି ହେଲେ ସଫଳତା ମିଳେ: ପ୍ରଫେସର ଚଣ୍ଡୀଚରଣ ରଥ

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀଚରଣ ରଥ ଯୋଗଦେଇ ପ୍ରବଳ ଇଚ୍ଛାଶକ୍ତି ସହିତ ଲକ୍ଷ୍ୟ ଯୋଡ଼ି ହେଲେ ସଫଳତାର ଶୀର୍ଷରେ ପହଞ୍ଚି ହେବ ବୋଲି କହିଥିଲେ। କର୍ମ ସହିତ ଆତ୍ମା ଯୋଡ଼ିହେଲେ ସେଥିରେ ଉତ୍କର୍ଷ ଆସେ। ନାରୀ ଶିକ୍ଷା ତଥା ଶିକ୍ଷାର ବିକାଶ କ୍ଷେତ୍ରରେ ‘ସମ୍ୱାଦ’ ଓ ମା’ ରମାଦେବୀଙ୍କ ଆଦର୍ଶ ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ। ଏଥିସହିତ ମା’ ରମାଦେବୀଙ୍କ ସଂଗ୍ରାମ ଛାତ୍ରଛାତ୍ରୀଙ୍କ ନିକଟରେ ଉପସ୍ଥାପନ କରିବା ସହିତ ଜଣେ ଭଲ ମଣିଷ ହେବା ପାଇଁ ପ୍ରେରଣା ଦେଇଥିଲେ। 

ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ବୃତ୍ତି ଓ ପ୍ରବୃତ୍ତି ମେଳ ଖାଇବା ଆବଶ୍ୟକ ବୋଲି କହିଥିଲେ। ଅଭିଭାବକମାନଙ୍କୁ ନିଜ ଅଭିଳାଷକୁ ପିଲାମାନଙ୍କ ଉପରେ ଲଦି ‌ନ ଦେଇ ଭବିଷ୍ୟତରେ ସେମାନେ କ’ଣ କରିବେ ତାହା ସେମାନଙ୍କ ଉପରେ ଛାଡ଼ି ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥିସହିତ ମା’କୁ ଭଲପାଇବା, ଜନ୍ମମାଟି ପ୍ରତି ସଂକଳ୍ପବଦ୍ଧ ହେବା, ମାତୃଭାଷା ପ୍ରତି ସମ୍ମାନ, ମୋବାଇଲ୍‌ର ଉଚିତ ବ୍ୟବହାର, ମଦମୁକ୍ତ ଓଡ଼ିଶା ଗଠନ, ନିରୋଗ ରହିବା, ନିରହଙ୍କାର ହେବା, ନିରାଡ଼ମ୍ବର ଜୀବନ ବଞ୍ଚିବା, ନିଡ଼ର ରହିବା ଓ ନିଶାମୁକ୍ତ ପରିବେଶ ପାଇଁ ସମସ୍ତେ ଉଦ୍ୟମ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଜ୍ଞାନ ବିଭାଗରେ ଶ୍ରେଷ୍ଠ ଶହେ ଜଣଙ୍କ ସମେତ ବାଣିଜ୍ୟ ଓ କଳା ବିଭାଗର ଶ୍ରେଷ୍ଠ ୫୦ ସ୍ଥାନରେ ରହିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶୁଭୋଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।