ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ତଥା ବିଶ୍ବସନୀୟ ଡିଜିଟାଲ ଖବର ମାଧ୍ୟମ ‘ସମ୍ବାଦ ଡଟ୍ ଇନ୍’ ଶୁକ୍ରବାର (୨୦୨୩ ଅଗଷ୍ଟ ୧୮) ଆଠ ବର୍ଷରେ ପାଦ ଥାପିଛି। ଏହି ଅବସରରେ ସ୍ଥାନୀୟ ରସୁଲଗଡ଼ସ୍ଥିତ ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ‘ସମ୍ବାଦ ଗ୍ରୁପ୍’ର ଅଧ୍ୟକ୍ଷ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କେକ୍ ଖୁସି ମନାଇଥିଲେ। ଏହି ଅବସରରେ ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ‘ସମ୍ବାଦ’ର ସିଜିଏମ୍-ନ୍ୟୁଜ୍ ଅରବିନ୍ଦ ଦାସ, ଉପମହାପ୍ରବନ୍ଧକ (ଡିଜିଟାଲ୍) ଧୃତିକାମ ମହାନ୍ତି ଓ ସମ୍ବାଦର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏଥିସହ ସମ୍ବାଦ ଡଟ୍ ଇନ୍ରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟର ଦୁର୍ଗମ ଅଞ୍ଚଳଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଘଟୁଥିବା ସମସ୍ତ ଘଟଣା, ଅଘଟଣ, ଦୁର୍ଘଟଣା, ଅପରାଧ, ବିକାଶ, ଅବହେଳିତ, ଲୁକ୍କାୟୀତ ପ୍ରତିଭାଙ୍କୁ ଡିଜିଟାଲ ମାଧ୍ୟମରେ ଜନସାଧାରଣଙ୍କ ନିକଟକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ୨୦୧୬ ଅଗଷ୍ଟ ୧୮ ତାରିଖରେ ସମ୍ବାଦ ଡଟ୍ ଇନ୍ ଆରମ୍ଭ କରାଯାଇଥିଲା। ଓଡ଼ିଆ ଲୋକଙ୍କୁ ଦିନରାତି ନିରବଚ୍ଛିନ୍ନ ଭାବେ ଖବର ଯୋଗାଇବା ଏହାର ମୂଳ ଲକ୍ଷ୍ୟ ଥିଲା, ଯାହାକି ଏବେ ବି ଜାରି ରହିଛି। ଆଜିର ଦିନରେ ସମ୍ବାଦ ଡଟ୍ ଇନ୍ ପାଠକ ମହଲରେ ବିଶ୍ବସନୀୟ ହୋଇପାରିଛି। ଏଥିରେ ପ୍ରକାଶିତ ଖବର ଫେସ୍ବୁକ୍, ଏକ୍ସ (ଟୁଇଟର୍), ଇନ୍ଷ୍ଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମ ଜରିଆରେ ଘରୋଇ ତଥା ଦେଶ-ବିଦେଶରେ ରହୁଥିବା ଓଡ଼ିଆଙ୍କ ନିକଟରେ ପହଞ୍ଚୁଛି।