‘ସମ୍ବାଦ’ର ପ୍ରକାଶକ ବିଜୟ ପଟ୍ଟନାୟକଙ୍କ ପରଲୋକ

‘ସମ୍ବାଦ’ ହରାଇଲା ପ୍ରଥମ କର୍ମଚାରୀ, ଭାଗ୍ୟରେ ଥିଲେ ଏପରି ସହକର୍ମୀ ମିଳନ୍ତି: ସୌମ୍ୟରଞ୍ଜନ

ଭୁବନେଶ୍ୱର/ଜଗତସିଂହପୁର ଟାଉନ୍ : ‘ସମ୍ବାଦ’ର ପ୍ରକାଶକ ତଥା ‘ସମ୍ବାଦ’ ପରିବାରର ଅନ୍ୟତମ ମୁରବୀ ବିଜୟ ପଟ୍ଟନାୟକ ଆଉ ନାହାନ୍ତି। କରୋନା ଆକ୍ରାନ୍ତ ହେବା ପରେ କରୋନାରୁ ସୁସ୍ଥ ହୋଇଯାଇଥିଲେ ହେଁ ଶେଷରେ ନିମୋନିଆ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଅସୁସ୍ଥ ହୋଇପଡ଼ିବାରୁ ଅଗଷ୍ଟ ୩୧ ତାରିଖରେ ତାଙ୍କୁ ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାର୍‌ରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୧୦ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କୁ ୬୨ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ବହୁ ବିଜୟପ୍ରେମୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

୧୯୫୮ ମସିହା ନଭେମ୍ବର ୧୫ ତାରିଖ‌ରେ ଜଗତ୍‌ସିଂହପୁର ମଣ୍ଡାସାହିସ୍ଥିତ ଟିଟିଙ୍ଗାରେ ଧ୍ରୁବଚରଣ ପଟ୍ଟନାୟକ ଓ ପ୍ରତିଭା ପଟ୍ଟନାୟକଙ୍କଠାରୁ ଜନ୍ମଗ୍ରହଣ କରିଥି‌‌ଲେ ବିଜୟ। ‘ସମ୍ବାଦ’ ପ୍ରତିଷ୍ଠା ହେବା ଦିନରୁ ସେ ଜଡ଼ିତ ରହି ପ୍ରକାଶନ ଦାୟିତ୍ବ ନିଭାଇ ଆସୁଥିଲେ। କମ୍ପାନିର ଉଚ୍ଚ ପଦବିରେ ଅଧିଷ୍ଠିତ ‌ଥିଲେ ମଧ୍ୟ ସରଳ ଜୀବନଶୈଳୀ, ପରୋପକାରୀ, ଦୟାଶୀଳ ଭାବନା, ଭଗବତ‌ପ୍ରେମୀ ଓ କର୍ମଚାରୀ ବତ୍ସଳ ଅଧିକାରୀ ଭାବେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ।

ମୃତ୍ୟୁ ପରେ ତାଙ୍କ ମରଶରୀର ହସ୍ପିଟାଲ୍‌ରୁ ବରମୁଣ୍ଡା ହାଉସିଂବୋର୍ଡସ୍ଥିତ ବାସଭବନ ‘ପଟ୍ଟନାୟକ ନିବାସ: ଏମ୍‌-୮୩’କୁ ଅଣାଯାଇଥିଲା। ସେଠାରେ ତାଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଉପସ୍ଥିତ ହୋଇଥିଲେ। ଶେଷଦର୍ଶନ ପାଇଁ ଆସୁଥିବା ବ୍ୟକ୍ତିବିଶେଷଙ୍କ ମୁହଁରେ ଗୋଟିଏ ବାକ୍ୟ ଥିଲା ‘ଭଲ ଲୋକଟିଏ ଚାଲିଗଲା’। ମରଶରୀର ନିକଟରେ ପତ୍ନୀ ସରୋଜିନୀ ପଟ୍ଟନାୟକ, ଭାଇ ଡେପୁଟି ଲେବର କମିସନର୍‌ ଅଜୟ ପଟ୍ଟନାୟକ, ଭାଇବୋହୂ ମିନତି ପଟ୍ଟନାୟକ, ପୁଅ ଡାକ୍ତର ସୌରଭ ପଟ୍ଟନାୟକ, ଝିଅ ଡାକ୍ତର ସୋନମ ପଟ୍ଟନାୟକ, ବୋହୂ ଡାକ୍ତର ସମ୍ବେଦନା ପଟ୍ଟନାୟକଙ୍କ ସମେତ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଜୟଙ୍କ ଜନ୍ମମାଟି ଟିଟିଙ୍ଗା ସହ ଜଗତ୍‌ସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିଲା। ବିଜୟଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରୁ ଅଣାଯିବା ବେଳେ ବାଟରେ ମଣ୍ଡାସାହି ଓ ଟିଟିଙ୍ଗା ଗାଁ ଭିତରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅପରାହ୍‌ଣ ପ୍ରାୟ ୪ଟା ବେଳେ ମରଶରୀର ପୈତୃକ ଘରେ ପହଞ୍ଚିବା ପରେ ପୂରା ଗାଁ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ଆଖି ଆଗରେ ପୁଅର ମୃତଦେହ ଦେଖି ବାପା- ମା’ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ମରଶରୀରକୁ ପ୍ରଥମେ ଘର ଭିତରକୁ ନିଆଯାଇଥିଲା। କୋକେଇ ବନ୍ଧା ଯାଇ ଫୁଲ ଓ ଅବିର ଦିଆଯାଇଥିଲା। ଘର ଅଗଣାରୁ କୋକେଇ ଉଠି ଗାଁ ମଣାଣି ଅଭିମୁଖେ ଯାଇଥିଲା। ଗ୍ରାମବାସୀଙ୍କ ନାମ ସଂକୀର୍ତ୍ତନ, ହରିନାମ ସତ୍ୟ ହେ, ବିଜୟ ପଟ୍ଟନାୟକ ଅମର ରହେ ଧ୍ୱନିରେ ଗାଁ ଦାଣ୍ଡ କମ୍ପି ଉଠିଥିଲା। ଗାଁ ମଶାଣିରେ ରିତିନୀତି ଅନୁସାରେ ପୂଜାପାଠ କରାଯିବା ପରେ ଜୁଇକୁ ମରଶରୀର ନିଆଯାଇଥିଲା। ପୁଅ ଡ. ସ୍ୱରୂପ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସମୟରେ ଡ. ବିପିନ ସିଂ, ଡ. ଶାନ୍ତନୁ ଦାସ, ପ୍ରସନ୍ନ ପଟ୍ଟନାୟକ, ଡ. ଅଜୟ ନାୟକ, ରବି ନନ୍ଦ ପଟ୍ଟନାୟକ, ମୁକେଶ ଗୋଏଙ୍କା, ଆଶିଷ କାନୁନଗୋ, ବନ୍ଧୁ ପରିବାରବର୍ଗ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ମଧ୍ୟାହ୍ନରେ ତାଙ୍କ ମରଶରୀରକୁ ସିଆର୍‌ପି ଛକ ହନୁମାନ ମନ୍ଦିର ଏବଂ ତାଙ୍କ ଦ୍ବାରା ପ୍ରତିଷ୍ଠିତ ସିଆର୍‌ପି ଛକସ୍ଥିତ ମହାବୀର କମ୍ପ୍ଲେକ୍ସକୁ ନିଆଯାଇଥିଲା। ସେଠାରୁ ରସୁଲଗଡ଼ସ୍ଥିତ ‘ସମ୍ବାଦ ଭବନ’କୁ ଅଣାଯିବା ପରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, ଫିଚର ସମ୍ପାଦକ ଡ. ଗୌରହରି ଦାସ, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର, ‘ଆମ ଓଡ଼ିଶା’ ପ୍ରକାଶନ ସମ୍ପାଦକ ତଥା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ‘ସମ୍ବାଦ’ର ଉପମହାପ୍ରବନ୍ଧକ ବୈଜୟନ୍ତୀ କର, ‘କନକ ନ୍ୟୁଜ’ ଓ ମଞ୍ଜରୀର ରତିକାନ୍ତ ଶତପଥୀ, କନକ ନ୍ୟୁଜ ଏଡିଟର୍‌ ମନୋରଂଜନ ମିଶ୍ର, ‘ସମ୍ବାଦ’ ଗ୍ରୁପ୍‌ର ବିତ୍ତ ପରାମର୍ଶଦାତା ପ୍ରହ୍ଲାଦ ଦାଶ, ‘ସମ୍ବାଦ’ ଡିଜିଟାଲ୍‌ର ନ୍ୟୁଜ ଏଡିଟର ଧ୍ରୁତିକାମ ମହାନ୍ତି ଓ ସମ୍ବାଦର କର୍ମକର୍ତା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ‘ସମ୍ବାଦ ଭବନ’ରୁ ମରଶରୀରକୁ ଜନ୍ମମାଟି ଟିଟିଗାଁ’ ଅଭିମୁଖେ ନିଆଯାଇଥିଲା।

‘ସମ୍ବାଦ’ ଭବନଠାରେ ସ୍ବର୍ଗତ ବିଜୟ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରି ସହଯୋଗୀମାନଙ୍କ ଉଦ୍ଦେଶ୍ୟରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ବିଜୟ ବାବୁଙ୍କ ଭଳି ସହଯୋଗୀ ଭାଗ୍ୟରେ ଥିଲେ ମିଳନ୍ତି। ‘ସମ୍ବାଦ’ର ପ୍ରଥମ କର୍ମଚାରୀ ବିଜୟ ବାବୁଙ୍କ ବିନା ‘ସମ୍ବାଦ’ର ପାଖାପାଖି ଚାରି ଦଶନ୍ଧିର ଜୟଯାତ୍ରା କେବେ ବି ସମ୍ଭବ ହୋଇନଥା’ନ୍ତା। ଜଣେ ସଫଳ ମଣିଷ ଭାବେ ନିଜକୁ ଗଢ଼ିଥିବା ବିଜୟ ବାବୁ ଅନ୍ୟ ସହଯୋଗୀଙ୍କ ଦ୍ବାରା ଜଣେ ଅନୁକରଣୀୟ ବ୍ୟକ୍ତିତ୍ବ ଥିଲେ ବୋଲି ସେ କହିଛନ୍ତି। ‘ସମ୍ବାଦ’କୁ ଆଜିର ସ୍ଥିତିକୁ ଆଣିବା ପଛରେ ସାଂଗଠନିକ ଦୃଷ୍ଟିରୁ ବିଜୟ ବାବୁଙ୍କୁ ଅନେକ କଷ୍ଟସ୍ବୀକାର କରିବାକୁ ପଡ଼ିଛି। ସିଆରପି ଛକ ପାଖେ ପୁରୁଣା ‘ସମ୍ବାଦ’ କାର୍ଯ୍ୟାଳୟ ପରିସରରେ ହନୁମାନ ମନ୍ଦିର ପରିକଳ୍ପନା କିପରି ବିଜୟ ବାବୁଙ୍କର ଥିଲା, ତା’ର ସେ ଅବତାରଣା କରିଥିଲେ। ‘ସମ୍ବାଦ’ ପ୍ରତି ବିଜୟ ବାବୁଙ୍କ ଅବଦାନ ମନେ ପକେଇବା ବେଳେ ସ୍ବାଭାବିକ ଭାବେ ଭାବବିହ୍ବଳ ହୋଇପଡୁଥିଲେ ଶ୍ରୀ ପଟ୍ଟନାୟକ।

ଅତୀତରେ ‘ସମ୍ବାଦ’ ଦୁଃସ୍ଥିତି ମଧ୍ୟ ଦେଖିଛି। ବିଜୟ ବାବୁ ଦୁର୍ଦ୍ଦିନରେ ‘ସମ୍ବାଦ’କୁ ଉଠାଇବାରେ ସଂପାଦକଙ୍କ ପାଇଁ କେତେ ଉପଯୋଗୀ ଥିଲେ, ‘ସମ୍ବାଦ’ର ଫିଚର୍‌ ସଂପାଦକ ଡ. ଗୌରହରି ଦାସ ଓ ଅନ୍ୟମାନେ ସେ କଥା ମନେ ପକେଇଥିଲେ। ଗୃହ ସଂଗରୋଧରେ ଥିବା ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଇଷ୍ଟର୍ଣ୍ଣ ମିଡିଆ ନିର୍ଦେଶିକ‌ା ତଲ୍ଲୀନା ପଟ୍ଟନାୟକ, ନିର୍ଦେଶକ ଶ୍ରୀ ପୃଥ୍ବୀବଲ୍ଲଭ ପଟ୍ଟନାୟକ ମଧ୍ୟ ବିଜୟ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ନିଜ ଶୋକବାର୍ତ୍ତାରେ ବିଶିଷ୍ଟ କଣ୍ଠଶିଳ୍ପୀ ଈରା ମହାନ୍ତି ବିଜୟ ବାବୁଙ୍କୁ ଜଣେ ମେଳାପି ବ୍ୟକ୍ତିତ୍ବ ଯାହାଙ୍କ ବିୟୋଗରେ ଲୁହ ରୋକି ହେଉନି ବୋଲି କହିଛନ୍ତି। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ‘ସମ୍ବାଦ ଗ୍ରୁପ୍‌’ରେ ଜଣେ ସହକର୍ମୀ ହିସାବରେ ସେ ତାଙ୍କ ଭଳି ଅନେକଙ୍କୁ ସାନଭାଇର ମର୍ଯ୍ୟାଦା ଦେଇ ଭଲ ପାଉଥିଲେ ବୋଲି କହିଛନ୍ତି। ‘ତିନିମାସ ତଳେ ଯେଉଁ ଦରଦୀ ମଣିଷ ମୋତେ ଓ ସଂଜୟବାବୁଙ୍କୁ ଏକାଧିକ ଡାକ୍ତରଙ୍କ ପାଖକୁ ନେଇ ସ୍ବ୍ୟାସ୍ଥ୍ୟ ପରୀକ୍ଷା କରେଇଥିଲେ ସିଏ ଏମିତି ଚାଲିଯିବେ!’ -ସ୍ବର୍ଗତ ପଟ୍ଟନାୟକଙ୍କ ବିୟୋଗରେ ସମ୍ବାଦ ସାହିତ୍ୟ ଘର ତରଫରୁ ଏହାର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଏହି ମର୍ମରେ ଶୋକପ୍ରକାଶ କରିଛନ୍ତି।

ସେହିପରି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘ସମ୍ବାଦ’ ଓ ଗଣମାଧ୍ୟମ ଜଣେ ପ୍ରତିଭାବାନ୍‌ ବ୍ୟକ୍ତିଙ୍କୁ ହରାଇଲା। ତାଙ୍କ ବିୟୋଗ ଓଡ଼ିଆ ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଅବସରରେ ଶ୍ରୀ ପଣ୍ଡା ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସମ୍ବନ୍ଧିତ ଖବର