ସମ୍ବଲପୁର: ସମ୍ବଲପୁର ପୁସ୍ତକ ମେଳା ପରିସରରେ ଚାଲିଥିବା ‘ସମ୍ବାଦ’ କୁଇଜ୍ ଓ ଫଟୋ କ୍ୟାପ୍‌ସନ ପ୍ରତିଯୋଗିତାକୁ ନେଇ ଲୋକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ସମ୍ବଲପୁର ସହର ବାହାରୁ ବି ଉତ୍ସାହୀ ଲୋକେ ଆସି ଏଥିରେ ଭାଗ ନେଉଛନ୍ତି। ଦିନ ୨ଟାରୁ ଆଗ୍ରହୀ ପ୍ରତିଯୋଗୀମାନେ ଆସି ସମ୍ବଲପୁର ପୁସ୍ତକ ମେଳାର ମୁଖ୍ୟ ମଞ୍ଚ ନିକଟରେ ଭିଡ଼ ଲଗାଉଛନ୍ତି। ୨ଟା ୩୦ରୁ ପ୍ରତିଯୋଗିତା ଆରମ୍ଭ ହେବା ସହ ଭିଡ଼ ବଢ଼ୁଛି ଓ ପ୍ରତିିଦିନ ଅନେକ ନୂଆ ପ୍ରତିଯୋଗୀ ଆସି ଏଥିରେ ସାମିଲ ହେଉଛନ୍ତି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ ଆନନ୍ଦରେ ଏଥିରେ ଭାଗ ନେଉଛନ୍ତି। ବୁଧବାର କୁଇଜ୍ ପ୍ରତିଯୋଗିତାବେଳେ ସମ୍ବଲପୁରରେ ପଡ଼ୁଥିବା ଝାରସୁଗୁଡ଼ାର ଛାତ୍ରୀ ଗିରିଜା ପ୍ରଧାନ ବୋଲିଥିବା ‘ତେରି ଝଲକ୍‌ ଅସର୍‌ଫି’ ଓ ‘ରାନୀ ଗୁରି’ ଗୀତ ଉପସ୍ଥିତ ଶ୍ରୋତାଙ୍କ ମନ ମୋହି ନେଇଥିଲା। କୁଇଜ୍ ପ୍ରତିଯୋଗିତାରେ ସିନେମା, ଟେଲିଭିଜନ୍, ଖେଳ, ସଂଗୀତ, ସାଂପ୍ରତିକ ପ୍ରସଂଗ, ରାଜନୀତି, ସ୍ଥାନୀୟ ବିଷୟ, ଇତିହାସ, ଭୂଗୋଳ, ସାହିତ୍ୟ, ସଂସ୍କୃତି, ଧର୍ମ ଆଦି ବିଭିନ୍ନ ପ୍ରସଂଗରେ ପ୍ରଶ୍ନ କରା ଯାଇଥିଲା। ସବୁ ପ୍ରଶ୍ନର ଉତ୍ତର ଆସିବା ସହ ଲୋକେ ଏହାକୁ ମନଭରି ଉପଭୋଗ କରିଥିଲେ। କୁଇଜ୍‌ରେ ଅଇଁଠାପାଲିର ସୁମନ ଅଗ୍ରୱାଲ, ଝାରସୁଗୁଡ଼ାର ଗିରିଜା ପ୍ରଧାନ ଏବଂ ଅମିତ ପଟେଲ, ପଟ୍ଟନାୟକପଡ଼ାର ଆଭାସ ପଣ୍ଡା, କେଭି-୧ର ନବମ ଶ୍ରେଣୀ ଛାତ୍ର ଆଦିତ୍ୟ ସାହୁ, ଜଗନ୍ନାଥ କଲୋନିର କାହ୍ନା ସମର୍ପିତା ପଟ୍ଟନାୟକ, ଏମ୍‌ସ ଭୁବନେଶ୍ବରର ଛାତ୍ରୀ ଜ୍ୟୋତିର୍ମୟୀ ପ୍ରଧାନ, ଗୋପାଲମାଲର ସଂଜୟ ତ୍ରିପାଠୀ, ବୁଢ଼ାରଜାର ରାକେଶ ସାହୁ, ମାନେଶ୍ବରର ମହମ୍ମଦ କାସିମ୍, ଧମାର ଅନନ୍ତ ପ୍ରସାଦ କୁମ୍ଭାର ଏବଂ ଜଗନ୍ନାଥ କଲୋନିର ପ୍ରକାଶ ଚନ୍ଦ୍ର ଦୀକ୍ଷିତ ବିଭିନ୍ନ ପ୍ରଶ୍ନର ଠିକ୍ ଉତ୍ତର ଦେଇ ଆକର୍ଷଣୀୟ ପୁରସ୍କାର ଜିତିଥିଲେ।

Advertisment

ସେହିପରି ଫଟୋ କ୍ୟାପ୍‌ସନ ପ୍ରତିଯୋଗିତାରେ ଗୋପାଲମାଲର ନିହାର ରଂଜନ ନାୟକ ପ୍ରଥମ, ଜିଏମ୍‌ ବିଶ୍ବବିଦ୍ୟାଳୟର ବିଶ୍ବନାଥ ସାହୁ ଦ୍ବିତୀୟ ଏବଂ ପଟ୍ଟନାୟକପଡ଼ାର ଆଭାସ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୂର୍ବତନ ଏସ୍‌ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି ମୁଖ୍ୟ ଅତିଥି ଏବଂ ‘ସମ୍ବାଦ’ ସାହିତ୍ୟଘରର ସଭାପତି ପ୍ରଫେସର ଗିରିଜା ଶଂକର ଶର୍ମା ସମ୍ମାନିତ ଅତିଥିଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ବୁଧବାର କୁଇଜ୍‌ ପ୍ରତିଯୋଗିତାର ପ୍ରାୟୋଜକ ପ୍ରୋଗ୍ରେସିଭ୍‌ ସମ୍ବଲପୁର ତରଫରୁ ଏହାର ସହଆବାହକ ସୁମିତ ପଟେଲ ଉପସ୍ଥିତ ଥିଲେ। କୁଇଜ୍‌କୁ ‘ସମ୍ବାଦ’ର ମୁଖ୍ୟ ସହସଂପାଦକ ଜ୍ଞାନରଂଜନ ମିଶ୍ର ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ପରିଚାଳନା କରିଥିଲେ। ସହର ପ୍ରତିନିଧି ମଳୟ ପରିଡ଼ା ଧନ୍ୟବାଦ ଦେଇଥିଲେ। ଗୁରୁବାର ହେବାକୁ ଥିବା କୁଇଜ୍ ଓ ଫଟୋ କ୍ୟାପ୍‌ସନ ପ୍ରତିଯୋଗିତାର ପ୍ରାୟୋଜକ ଅଛନ୍ତି ଦୟାନନ୍ଦ ପବ୍ଲିକ୍‌ ସ୍କୁଲ୍‌। ଏଥିରେ ବହୁ ସଂଖ୍ୟାରେ ଭାଗ ନେବାକୁ ‘ସମ୍ବାଦ’ ପକ୍ଷରୁ ଅନୁରୋଧ କରାଯାଇଛି।