ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ‘ସମ୍ବାଦ’ ପ୍ରତିନିଧି ରାଜେଶ ନାୟକ (୩୮)ଙ୍କ ଆଜି ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବଅଁରପାଳରୁ ନିଜଘର ମହୀଧରପୁରକୁ ସେ ବାଇକ୍‌ରେ ଯାଉଥିବା ବେଳେ ବଉଳିଗଡ଼ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀ ନାୟକଙ୍କ ମୃତ୍ୟୁ ଖବର ପାଇ ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ବହୁ ସାମ୍ବାଦିକ, ସ୍ବେଚ୍ଛାସେବୀ, ରାଜନେତା ତଥା ଗଣ୍ୟମାନ୍ୟ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ବନା ଦେବା ସହିତ ତାଙ୍କ ଶେଷଦର୍ଶନ କରିଥିଲେ। ତାଙ୍କ ପରଲୋକ ଖବର ସ୍ଥାନୀୟ ଅଞ୍ଚଳ‌ରେ ଶୋକର ଛାୟା ଖେଳାଇ ଦେଇଛି।

Advertisment

ସ୍ବର୍ଗତ ନାୟକ ଜଣେ ସାହସୀ ସାମ୍ବାଦିକ ଥିଲେ। ୨୦୧୪ ନଭେମ୍ବର ୨୮ ତାରିଖରେ ତାଙ୍କ ଦ୍ବାରା ପ୍ରକାଶିତ ‘ସାଇକେଲ୍‌ ପମ୍ପ ମାରି ପରିବାର ନିୟୋଜନ ଅସ୍ତ୍ରୋପଚାର’ ଖବର ସମଗ୍ର ଦେଶରେ ଚହଳ ପକାଇଥିଲା। ସାଇକଲ୍‌ ପମ୍ପ ମାରି ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯିବାର ସେହି ଦୃଶ୍ୟକୁ ନିଜ ମୋବାଇଲରେ ଶ୍ରୀ ନାୟକ ଉତ୍ତୋଳନ କରି ସେତେବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଗୁମର ଖୋଲିଥିଲେ। ଶେଷରେ ରାଜ୍ୟ ସରକାର ପରିବାର ନିୟୋଜନ ଅସ୍ତ୍ରୋପଚାର ନିମନ୍ତେ ଏସ୍‌ଓପି ଜାରି କରି ଉକ୍ତ ଡାକ୍ତରଙ୍କୁ ବହିଷ୍କାର କରିଥିଲେ। ସେହିପରି ତଳମୂଳରେ ନକଲି ଅଟା ମିଲ୍‌, ନକୁଳ ଅନ୍ଧ ମୂକ ସ୍କୁଲ୍‌ କେଳେଙ୍କାରୀ ଉପରେ ଡବଲ ଚାକିରି ଡବଲ୍‌ ଦରମା, ବର୍ଷେ ନ ପୂରୁଣୁ ସ୍କୁଲ୍‌ ତୋରଣରୁ ଖସିଲା ଟାଇଲ୍‌ ଆଦି ପ୍ରଭାବୀ ଖବର ପ୍ରଶାସନର ନିଦ ହଜାଇ ଦେଇଥିଲା। ସାଧାରଣ ଲୋକଙ୍କ ସ୍ବରକୁ ‘ସମ୍ବାଦ’ ଜରିଆରେ ସାମ୍ନାକୁ ଆଣି ସେ କେବଳ ପ୍ରଶାସନର ମୁଖା ଖୋଲୁ ନଥିଲେ ବରଂ ଏହି ଖବରର ସୁଦୂରପ୍ରସାରୀ ପ୍ରଭାବରୁ ବହୁ ‌ହିତାଧିକାରୀ ଉପକୃତ ହୋଇଛନ୍ତି।

ଦେଢ଼ ବର୍ଷ ତଳେ ସ୍ବର୍ଗତ ନାୟକ ବିବାହ କରିଥିଲାବେଳେ ତାଙ୍କର ୪ ମାସର ଝିଅଟିଏ ରହିଛି। ତାଙ୍କ ବିବାହ ଉତ୍ସବରେ ସେ ଅତିଥିମାନଙ୍କୁ ମାଗଣା ଚାରା ବାଣ୍ଟି ପ୍ରଶଂସା ସାଉଁଟିଥିଲେ। ‘ସମ୍ବାଦ’ ପରିବାର ସହ ସେ ଗତ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଜଡ଼ିତ ରହିଥିଲେ। ସ୍ଥାନୀୟ ଅଞ୍ଚଳର ଶ୍ମଶାନରେ ସେ କାଠ ଯୋଗାଇ ଶବସାଥୀ ଭାବେ ପରିଚିତ ଥିଲେ। ସେହିପରି କରୋନା ସଂକ୍ରମଣ ସମୟରେ ସେ ନିଜ ହାତରୁ ମାସ୍କ, ସାନିଟାଇଜର୍‌ ଆଦି ବଣ୍ଟନ କରିବା ସ‌ହିତ କରୋନାରୁ ରକ୍ଷା ପାଇବା ଲାଗି ସଚେତନତା ସୃଷ୍ଟି କରିଥିଲେ। ଜଣେ ମେଳାପୀ, ସ୍ପଷ୍ଟବାଦୀ ଓ ଅମାୟିକ ମଣିଷ ଭାବେ ସମସ୍ତଙ୍କର ପ୍ରିୟ ହୋଇ ରହିଥିଲେ। ଶ୍ରୀ ନାୟକଙ୍କ ପରଲୋକରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ପାଦକ ଅରବିନ୍ଦ ଦାସ, ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ‘ସମ୍ବାଦ’ ଗ୍ରୁପ୍‌ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ମାନବସମ୍ବଳ ବିଭାଗର ଜିଏମ୍‌ ବୈଜୟନ୍ତୀ କର ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।